ନୂଆବର୍ଷରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରସ୍ତାବିତ UAE ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ ୨୯।୧୨:  ନୂଆ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ ୟୁନାଇଟେଡ ଆରବ ଏମିରେଟସ (ୟୁଏଇ) ଯାତ୍ରାକୁ ସ୍ଥଗିତ   କରାଯାଇଛି। ପ୍ରଧାନମନ୍ତ୍ରୀ ଜାନୁୟାରୀ ୬ ତାରିଖ ବେଳକୁ ଗଲଫ ଗସ୍ତରେ ଯାଇଥାନ୍ତେ। ଏହା ଏକ ରଣନୈତିକ ଗସ୍ତ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏହାକୁ ସ୍ଥଗିତ କରାଯାଇଥିବା ସୂତ୍ରରୁ ସୂଚନା ମିଳିଛି। ଏହି ସୂତ୍ର ଅନୁସାରେ କୋଭିଡ-୧୯ର ନୂଆ ଭାରିଏଣ୍ଟ  ଓମିକ୍ରନର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି।

ଭାରତ-ୟୁଏଇ କୁଟନୈତିକ ସମ୍ପର୍କକୁ ୨୦୨୨ ମସିହାରେ ୫୦ ବର୍ଷ ପୂରଣ ହେବାକୁ ଯାଉଛି। ଏହି ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀଙ୍କ ୟୁଏଇ ଗସ୍ତ ନିର୍ଦ୍ଧାରିତ ହୋଇଥିଲା। ଭାରତ ଓ ୟୁଏଇ ଏବେ ସେମାନଙ୍କ ଆର୍ଥିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଲାଗି ଅଗ୍ରସର ହେଉଛନ୍ତି। ଏଥିରେ ବ୍ୟାପକ ଓ ମୁକ୍ତ ବାଣିଜ୍ୟ ଲାଗି ଦୁଇ ଦେଶଙ୍କ ଆଲୋଚନା ଜାରି ରହିଛି। ଭାରତ ଓ ୟୁଏଇ ନିକଟରେ ଏକ ୪ ଦେଶଙ୍କ ସମୂହରେ ଯୋଗ ଦେଇଛନ୍ତି। ଏଥିରେ ସେମାନେ ବାଣିଜ୍ୟ ଓ ନିବେଶ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି। ଏହି ସମୂହର ଅନ୍ୟ ଦୁଇ ରାଷ୍ଟ୍ର ହେଉଛନ୍ତି ଆମେରିକା ଓ ଇସ୍ରାଏଲ।

୨୦୧୫ ମସିହାରେ ମୋଦି ପ୍ରଥମ ୟୁଏଇ ଗସ୍ତ କରିଥିଲେ। ଏହି ଗସ୍ତ ପରେ ଦୁଇ ଦେଶଙ୍କ ସମ୍ପର୍କରେ ବେଶ ପ୍ରଗତି ଦେଖା ଯାଇଛି। ମୋଦିଙ୍କ ଗସ୍ତ ପରେ ପରେ ୨୦୧୬ ମସିହାରେ ୟୁଏଇ ସଶସ୍ତ୍ର ବଳର ସର୍ବୋଚ୍ଚ ଉପ କମାଣ୍ଡର ତଥା ଆବୁଧାବୀ କ୍ରାଉନ ପ୍ରିନ୍ସ ମୋହମ୍ମଦ ବିନ ଜାୟଦ ଅଲ ନହାୟନ ଭାରତ ଗସ୍ତରେ ଆସିଥିଲେ। ଏହି ଗସ୍ତ ବାଦେ ସେ ୨୦୧୭ ସାଧାରଣତନ୍ତ୍ର ଦିବସ ପରେଡରେ ନିମନ୍ତ୍ରିତ ଅତିଥି ଭାବେ ମଧ୍ୟ ଯୋଗ ଦେବାକୁ ଦ୍ୱିତୀୟବାର ଭାରତ ଆସିଥିଲେ। ଏହା ପରେ ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ଦୁବାଇରେ ଅନୁଷ୍ଠିତ ଷଷ୍ଠ ୱାର୍ଲଡ ଗଭର୍ଣ୍ଣମେଣ୍ଟ ସମ୍ମିଟରେ ଯୋଗ ଦେବାକୁ ଯାଇଥିଲେ। ଏହା ପରବର୍ଷ ୨୦୧୯ରେ ୟୁଏଇ ମୋଦିଙ୍କୁ ଆମନ୍ତ୍ରିତ କରିବା ସହ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦି ଅର୍ଡର ଅଫ ଜାୟେଦ’ରେ ସମ୍ବର୍ଦ୍ଧିତ କରିଥିଲା।

Spread the love