ସେଞ୍ଚୁରିୟନ ଟେଷ୍ଟ: ଚତୁର୍ଥ ଦିନ ଶେଷସୁଦ୍ଧା ଦ.ଆଫ୍ରିକା ୯୪/୪, ଶେଷ ଦିନରେ ଭାରତକୁ ବିଜୟ ପାଇଁ ଆବଶ୍ୟକ ୬ଓ୍ବିକେଟ

ସେଞ୍ଚରିୟନ ୨୯/୧୨ : ସେଞ୍ଚୁରିୟନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜାରି ରହିଥିବା ବକ୍ସି ଡେ ଟେଷ୍ଟରେ ମଜୁବତ ସ୍ଥିତିରେ ରହିଛି ଭାରତୀୟ ଦଳ । ୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ଦ.ଆଫ୍ରିକା ୪ ଓ୍ବିକେଟ ହରାଇ ସଂଗ୍ରହ କରିଛି ୯୪ରନ । ପଞ୍ଚମ ଦିନରେ ଦଳକୁ ବିଜୟ ପାଇଁ ୨୧୧ ରନ ଆବଶ୍ୟକ ଥିବା ବେଳେ ଭାରତକୁ ବିଜୟ ହାସଲ ପାଇଁ ଆବଶ୍ୟକ ୬ଟି ଓ୍ବିକେଟ୍ ।

୪ର୍ଥ ଦିନ​‌ରେ ଭାରତ ୧୭୪ରନରେ ଅଲଆଉଟ ହୋଇଯିବା ପରେ ସାଉଥ ଆଫିକାକୁ ବିଜୟ ପାଇଁ ୩୦୫ରନ ଧାର୍ଯ୍ୟ କରିଥିଲା । କିନ୍ତୁ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ଘରୋଇ ଦଳ । ଯାହା ଫଳରେ ଶେଷ ଦିନରେ ଦଳର ୬ ଓ୍ବିକେଟ ବାକିଥାଇ ବିଜୟ ପାଇଁ ଆହୁରି ୨୧୧ ରନ କରିବାକୁ ହେବ । ୩୦୫ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଆଇଡେନ୍‌ ମାର୍କରମ୍‌ଙ୍କ ଓ୍ବିକେଟ୍‌ ହରାଇଥିଲା । ସେ ମାତ୍ର ୧ ରନକରି ଆଉଟ ହୋଇଥିଲେ । ସେହିଭଳି କେଗାନ୍‌ ପିଟରସେନ୍‌ ୧୭ରନ ଏବଂ ରାଶେ ଭାନ୍‌ ଡର୍‌ ଡୁସେନ୍‌ ୧୧ରନ, ନାଇଟ୍ ଓ୍ବାଚ୍‌ ମ୍ୟାନ୍‌ କେଶବ ମହାରାଜ ୮ରନକରି ଆଉଟ ହୋଇଛନ୍ତି । ଡିନ୍‌ ଏଲଗାର ଅପରାଜିତ ଅର୍ଦ୍ଧଶତକ ୫୨ରନ କରିଛନ୍ତି ।

ଭାରତ ପକ୍ଷରୁ ଯଶପ୍ରୀତ ବୁମରାହ ୨୨ରନ ଦେଇ ୨ ଓ୍ବିକେଟ ନେଇଥିବା ବେଳେ, ମହମ୍ମଦ ସାମୀ ୨୯ରନଦେଇ ୧ ଓ୍ବିକେଟ, ମହମ୍ମଦ ସିରାଜ ୨୫ ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି । ଶାର୍ଦ୍ଦୁଳ ଠାକୁର ୧୧ରନ ଏବଂ ଅଶ୍ବିନ ୬ରନ ଦେଇଛନ୍ତି ।

ମ୍ୟାଚ୍‌ ସାରାଂଶ ବିଷୟରେ କହିବାକୁ ଗଲେ, ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆ । ଦଳ ପ୍ରଥମ ଇନିଂସରେ ୩୨୭ରନ କରି ଅଲଆଉଟ ହୋଇଯାଇଥିଲା । ବର୍ଷା ଯୋଗୁଁ ଦ୍ବିତୀୟ ଦିନ ଖେଳ ସମ୍ପୂର୍ଣ୍ଣ ଭାବେ ଧୋଇହୋଇଯିବା ପରେ ତୃତୀୟ ଦିନ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା । ଘରୋଇ ଦକ୍ଷିଣ ଆଫ୍ରିକା ମାତ୍ର ୧୯୭ରନରେ ଅଲଆଉଟ ହୋଇଯିବା ପରେ ଭାରତକୁ ୧୩୦ରନର ଲିଡ୍‌ ମିଳିଥିଲା । ତେବେ ଦ୍ବିତୀୟ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୭୪ରନରେ ଅଲଆଉଟ ହୋଇଯାଇଛି । ଦଳ ପକ୍ଷରୁ ପ୍ରଥମ ଇନିଂସରେ ଶତକୀୟ ପାଳି ଖେଳିଥିବା ଲୋକେସ ରାହୁଲ ଭଲ ଆରମ୍ଭ କରିଥିଲେ ସୁଦ୍ଧା ବଡ ସ୍କୋର କରିବାକୁ ସକ୍ଷମ ହୋଇନାହାନ୍ତି । ସେ ୨୩ରନ କରି ଆଉଟ ହୋଇଥିବା ବେଳେ, ମୟଙ୍କ ଅଗ୍ରଓ୍ବାଲ ୪ରନ, ଶାର୍ଦ୍ଦୁଳ ଠାକୁର ୧୦ରନ, ଚେତେଶ୍ବର ପୁଜାରା ୧୬ରନ, ବିରାଟ କୋହଲି ୧୮ରନ, ଅଜିଙ୍କ୍ୟ ରାହାଣେ ୨୦ରନ, ଋଷଭ ପନ୍ତ ୩୪ରନ, ରବିଚନ୍ଦ୍ରନ ଅଶ୍ବିନ ୧୪ରନ, ମହମ୍ମଦ ସାମୀ ୧ରନ, ମହମ୍ମଦ ସିରାଜ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଯଶପ୍ରୀତ ବୁମରାହ ୭ରନ କରି ଅପରାଜିତ ଥିଲେ । ଫଳରେ ଦ.ଆଫ୍ରିକାକୁ ବିଜୟ ପାଇଁ ୩୦୫ରନର ଆବଶ୍ୟକତା ରହିଥିଲା ।

ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବାଡା ୪୨ରନ ଦେଇ ୪ଟି ଓ୍ବିକେଟ ନେଇଥିବା ବେଳେ, ମାର୍କୋ ଜନସେନ୍‌ ୫୫ରନ ନେଇ ୪ ଓ୍ବିକେଟ, ଲୁଙ୍ଗି ଏନ୍‌ଗିଡି ୩୧ରନ ଦେଇ ୨ ଓ୍ବିକେଟ ଏବହ ଓ୍ବିଆନ୍‌ ମଲଡର୍‌ ୨୫ରନ ଦେଇଥିଲେ ।

Spread the love