ରାଜ୍ୟର ‘କ୍ରିମିନାଲାଇଜେସନ୍ ଇନ୍ ପଲିଟିକ୍ସ’ ବନ୍ଦ ନହେବା ପର୍ଯ୍ୟନ୍ତ ମହିଳା ଅସୁରକ୍ଷିତ : ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ

ଭୁବନେଶ୍ୱର: ରାଜ୍ୟରେ ଭୁଷୁଡି ପଡିଥିବା ଆଇନ ଶୃଙ୍ଖଳା କାରଣରୁ ରାଜ୍ୟବାସୀ ଆଜି ସାଧାରଣ ନ୍ୟାୟ
ପାଇବାରୁ ବଂଚିତ ହେବା ସହ ହନ୍ତସନ୍ତ ହେଉଛନ୍ତି । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ଚେର ଆଜି ରାଜ୍ୟର କୋଣ ଅନୁକୋଣକୁ ପହଂଚିସାରିଛି । କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ । ଗତ ୨୪ ତାରିଖରେ କୋରାପୁଟ ସଦର ଅଂଚଳର ଗୋଟିଏ
ପରିବାରକୁ ବନ୍ଧକ ରଖି ଗନ୍ ପଏଂଟରେ ଭୟଭୀତ କରାଯାଇ ଯେଉଁ ଭଳି ଭାବେ ମହିଳାଙ୍କ ସହ ଗଣଦୁଷ୍କର୍ମ କରାଯାଇଛି, ତାହା ଅତ୍ୟନ୍ତ ଲଜ୍ଜାଜନକ । ଏଭଳି ଜଘନ୍ୟ ଘଟଣା ଘଟିବାର ୭ ଦିନ ବିତି ଯାଇଥିଲେ ସୁଦ୍ଧା ଜଣେ ହେଲେ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଛି ପୋଲିସ । ଏହା ରାଜ୍ୟ ସରକାରଙ୍କ ମହିଳାବିରୋଧୀ ନୀତିକୁ ପୁଣି ଥରେ ସ୍ପଷ୍ଟ ପ୍ରମାଣିତ କରିଛି । ଏହି ସ୍ପର୍ଷକତାପୁର୍ଣ୍ଣ ଘଟଣାକୁ ବିଜେପି ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ଆଜି ଜୟପୁରଠାରେ ଆନ୍ଦୋଳନ ଆରମ୍ଭ କରିଛି । ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରୀ ତୀବ୍ରତର କରିବ ବୋଲି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦିକା ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି । ବିଜେଡି ଶାସନରେ ମହିଳା ବିପଦରେ । ପ୍ରତ୍ୟେକ ଦିନ ରାଜ୍ୟରେ ହାରାହାରି ୪ ଦୁଷ୍କର୍ମ ଏବଂ ୬ ଅପହରଣ ହେଉଛି । ଗତ ୫ ବର୍ଷରେ ୨୭୦୦୦ ଶିଶୁ ନିଖୋଜ ଅଛନ୍ତି । ମମିତା ମେହେର ହତ୍ୟାକାଣ୍ଡ, ପରୀ ହତ୍ୟାକାଣ୍ଡ, ମାହାଙ୍ଗା କ୍ୱାଡ୍ରାପଲ ମର୍ଡର, ଏସିଏଫ ସୈାମରଞ୍ଜନ ହତ୍ୟାକାଣ୍ଡରେ ରାଜ୍ୟ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀମାନଙ୍କ ସଂପୃକ୍ତିକୁ ରାଜ୍ୟ ସରକାର ଘଂଟ ଘୋଡାଇ ସୁରକ୍ଷା ପ୍ରଦାନ କରୁଛନ୍ତି । ବିଜେଡି ଶାସନରେ ‘କ୍ରିମିନାଲାଇଜେସନ୍ ଇନ୍ ପଲିଟିକ୍ସ’ କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି ଏବଂ ଏହା ବନ୍ଦ ନହେବା ପର୍ଯ୍ୟନ୍ତ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ରହିବେ । ବିଶେଷ ଭାବେ ମହିଳା ସୁରକ୍ଷାକୁ ଆଦୈା ଗୁରୁତ୍ୱ ଦେଉନାହାନ୍ତି ରାଜ୍ୟ ସରକାର ା ଯେତେ ଦିନ ପର୍ଯ୍ୟନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ର, ଆଇନ ମନ୍ତ୍ରୀ ପ୍ରତାପ ଜେନା, ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଭଳି ଅଭିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ନିଜ କୋଳରେ ବସାଇ ସୁରକ୍ଷା ପ୍ରଦାନ କରୁଥିବେ, ସେତେ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଆହୁରି ଖରାପ ଆଡକୁ ଗତି କରିବ ବୋଲି ଡ.ବିଶ୍ୱାଳ କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ଶ୍ରୀମତୀ ରଶ୍ମୀରେଖା ଦାସ ଉପସ୍ଥିତ ଥିଲେ ।

Spread the love