ଆଜି ଘୋଷଯାତ୍ରା

ଅସୁସ୍ଥ ଥିଲେ ମହାପ୍ରଭୁ। ସୁସ୍ଥ ହେବା ପରେ ବଡ଼ଦାଣ୍ଡକୁ ଯାଇ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଅତ୍ୟନ୍ତ ବ୍ୟାକୁଳ ଅଛନ୍ତି। କେତେବେଳେ ସେନାପଟା ଲାଗି ସରିବ? କେତେବେଳେ ମୁଦିରସ୍ତ, ପତିମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବେ? କେତେବେଳେ ଦଇତାପତି ଶ୍ରୀଜିଉଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିବେ? କେତେବେଳେ ଘଣ୍ଟୁଆ ଘଣ୍ଟନାଦ କରିବ? କେତେବେଳେ ବାଜିବ ବିଜେ କାହାଳି? ଅପେକ୍ଷା କରିଛନ୍ତି ମହାପ୍ରଭୁ। ଶ୍ରୀ ବିଗ୍ରହଙ୍କୁ ବାମନ ରୂପରେ ଦର୍ଶନ ଦ୍ୱାରା ପୁନର୍ଜନ୍ମରୁ ମୁକ୍ତି ମିଳିବ ବୋଲି ବିଶ୍ବାସ ରହିଛି। ଏଣୁ ମହାପ୍ରଭୁଙ୍କୁ ରଥ ଉପରେ ଟିକିଏ ଆଖି ପୂରାଇ ଦର୍ଶନ କରିବା ଲାଗି ଆଜିଠାରୁ ଲକ୍ଷାଧିକ ଭକ୍ତ ଭି଼ଡ଼ ଜମାଇଛନ୍ତି ପୁରୀରେ। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ଦୁର୍ଲଭ ମିଳନ ଘଟିବ। ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ବଜ ରଥ ସିଂହଦ୍ବାର ଚକଡ଼ାରେ ବିେଜ କରିଛନ୍ତି। ଟିକିଏ ସ୍ପର୍ଶ ପାଇଁ ଅପେକ୍ଷା କରିଛନ୍ତି ବ୍ରହ୍ମାଣ୍ଡ କର୍ତାଙ୍କୁ। ଦେବତା ହୋଇଯିବେ ତିନି ରଥ। ଗୁରୁବାର ଆଷାଢ଼ ଶୁକ୍ଲ ପକ୍ଷ ଦ୍ବିତୀୟା ତିିଥିରେ ବଡ଼ଦାଣ୍ଡରେ ଭଗବାନ-ଭକ୍ତ-ରଥ-ପଥର ମହାମିଳନ ପର୍ବ ଅନୁଷ୍ଠିତ ହେବ। ଆରମ୍ଭ ହେବ, ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା। ଭାଇଭଉଣୀଙ୍କ ସହିତ ଭଗବାନ ଶ୍ରୀଜଗନ୍ନାଥ େଘାଷଯାତ୍ରାରେ ବାହାରିବେ। ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଏଥର ପ୍ରଥମ ଥର ପାଇଁ ଆଖି ଝଲସା ଫୁଲରେ ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର। ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଚଳଚଞ୍ଚଳ ହୋଇଉଠିଛି ପୁଣ୍ୟଭୂମି ଶ୍ରୀକ୍ଷେତ୍ର। ବୁଧବାର ସକାଳେ ରଥ କାମ ଶେଷ ହୋଇଥିଲା। ପୂର୍ବାହ୍ଣ ୧୦ଟା ୫୦ ସୁଦ୍ଧା ବଲ୍ଲଭ ଓ ସକାଳ ଧୂପ ଶେଷ ହୋଇ ସାଢ଼େ ୧୧ଟାରେ ଶ୍ରୀମନ୍ଦିରରୁ ରଥଖଳାକୁ ତିନି ଆଜ୍ଞାମାଳ ବିଜେ କରିଥିଲେ। ପରେ ରଥଖଳାରୁ ତିନି ରଥକୁ ରଥ ଚକଡ଼ାକୁ ନିଆଯାଇଥିଲା। ‌ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନଙ୍କୁ ପୁଲିସଙ୍କ ସହ ଭକ୍ତବୃନ୍ଦ ସିଂହଦ୍ବାର ସମ୍ମୁଖକୁ ଟାଣି ଆଣିଥିଲେ। ଆସନ୍ତାକାଲି ରଥଯାତ୍ରା ପାଇଁ ସକାଳ ସାଢ଼େ ୯ରୁ ସାଢ଼େ ୧୨ଟା ଭିତରେ ପହଣ୍ଡି ଶେଷ ହେବ। ଅପରାହ୍ଣ ୪ଟାରେ ଆରମ୍ଭ ହେବ ରଥଟଣା। ଏପଟେ ରଥଯାତ୍ରା ପାଇଁ ଆଜିଠୁ ଭକ୍ତ ମହଲରେ ଉତ୍ସାହ ଦେଖିବାକୁ ମିଳିଛି। ପୂରା ବଡ଼ଦାଣ୍ଡ ଧୀରେ ଧୀରେ ଲୋକାରଣ୍ୟ ହେବାରେ ଲାଗିଛି। ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି ଭକ୍ତ। ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପୁରୀ ସହର ଓ ସହରତଳି ଅଞ୍ଚଳକୁ ପୁଲିସ ଛାଉଣିରେ ପରିଣତ େହାଇଛି। ପ୍ରାୟ ୧୦ ହଜାର ପୁଲିସ ରଥଯାତ୍ରା ଉପରେ ନଜର ରଖିଛନ୍ତି। ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୧୬ ଜଣ କମାଣ୍ଡାଣ୍ଟ, ୩୭ ଜଣ ଅତିରିକ୍ତ ଏସ୍‌ପି, ୮୫ ଜଣ ଡିଏସ୍‌ପି, ୭୭୫ ଜଣ ଇନ୍ସପେକ୍ଟର ଓ ସବ୍‌ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ବରେ ମୁତୟନ ହୋଇଛନ୍ତି। ଏହାବ୍ୟତୀତ ୧୩୮ ପ୍ଳାଟୁନ୍ ଫୋର୍ସ ମୁତୟନ କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନର ଚୂଡ଼ାନ୍ତ ନୀତି ଅନୁଯାୟୀ, ଆଜି ରାତି ୧୧ଟାରୁ ଆସନ୍ତାକାଲି ଭୋର ୫ଟା ଭିତରେ ସେନାପଟା ଲାଗି ହେବ। ଆସନ୍ତାକାଲି ସକାଳ ୬ଟାରେ ମଙ୍ଗଳଆଳତି, ୬ଟା ୧୦ରେ ମଇଲମ, ସାଢ଼େ ୬ଟାରେ ତଡ଼ପଲାଗି ଓ ରୋଷହୋମ, ୭ଟାରେ ରୋଷହୋମ, ୭ଟା୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଓ ବେଶଶେଷ, ୮ଟାରୁ ୯ଟା ଗୋପାଳବଲ୍ଲଭ ଓ ସକାଳଧୂପ (ଖେଚୁଡ଼ି ଭୋଗ) ନୀତି ଅନୁଷ୍ଠିତ ହେବ। ତିନି ରଥଙ୍କ ପ୍ରତିଷ୍ଠା ପୂଜା ସକାଳ ୯ଟାରେ ଅନୁଷ୍ଠିତ ହେବ। ୯ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢ଼େ ୯ଟାରେ ପହଣ୍ଡି ଆରମ୍ଭ ହେବ। ସାଢ଼େ ୯ରୁ ସାଢ଼େ ୧୨ଟା ଭିତରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶେଷ ପରେ ମଦନମୋହନ ବିଜେ କରିବେ। ସାଢ଼େ ୧୨ରୁ ଅପରାହ୍ଣ ଗୋଟାଏ ଭିତରେ ମଦନ ମୋହନଙ୍କ ବିଜେ ନୀତି ସଂପନ୍ନ ପରେ ସାଢ଼େ ଗୋଟାଏରୁ ସାଢ଼େ ୨ଟା ଭିତରେ ଚିତାଲାଗି ଓ ବେଶ ଶେଷ ହେବ। ଅପରାହ୍ଣ ୨ଟାରେ ଗଜପତି ମହାରାଜଙ୍କ ଦ୍ବାରା ଛେରାପହଁରା ନୀତି ସଂପନ୍ନ ହେବ। ଅପରାହ୍ଣ ୨ରୁ ୩ଟା ଭିତରେ ଛେରାପହଁରା ନୀତି ଶେଷ ପରେ ୩ଟାରୁ ୪ଟା ଭିତରେ ଚାରମାଳ ଫିଟା ହୋଇ ତିନି ରଥରେ ଘୋଡ଼ା ଓ ସାରଥୀ ଲାଗିବା କାମ ଶେଷ ହେବ। ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ପହଞ୍ଚିବା ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହେବ।

Spread the love