ଦୁଇ ପୁଅକୁ ମାଆ ଛେଉଣ୍ଡ କରିଦେଲା ରାକ୍ଷସ ବାପା

ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ସୁନିତାଙ୍କୁ ସାତ ଜନମର ଜୀବନ ସାଥୀ କରିଥିଲେ ଲକ୍ଷ୍ମଣ ସିଂ। ହେଲେ ଏଇ ଜନମରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ନିଜର ଦୁଇ ପୁଅଙ୍କୁ ମାଆ ଛେଉଣ୍ଡ କରିଦେଇଛି ଲକ୍ଷ୍ମଣ। ଏବେ ଅନାଥ ଦୁଇ ପୁଅ ମାଆକୁ ବାହୁନି ହେଉଛନ୍ତି। ଏପରି ଘଟଣା ସୁବର୍ଣ୍ଣପୁର ଜିଲ୍ଲାରେ ଘଟିଛି।ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଟିକିରାପଡା ହରିଜନ ସାହିର ଲକ୍ଷ୍ମଣ ସିଂ ଆଜକୁ ଆଠ ବର୍ଷ ତଳେ ସିନ୍ଦୁରପୁର ଗାଁର ସୁନିତା ସିଂଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ବିବାହ ପରେ ପାରିବାରିକ ସଂସାର ଠିକ୍‌ଠାକ୍‌ ଚାଲିଥିଲା। ଉଭୟଙ୍କ ଔରଷରୁ ଦୁଇପୁଅ ଅଛନ୍ତି। ତେବେ ହଠାତ କଣ ହେଲା, ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ଆରମ୍ଭ ହେଲା। କଥା କଥାରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା।

ସ୍ୱାମୀ-ସ୍ତ୍ରୀଙ୍କ ବିବାଦ ଘର ଛାତ ତଳେ ସମାଧାନ ନହେବାରୁ ଥାନାକୁ ଯାଇଥିଲା। ଏନେଇ ବିନିକା, ବୀରମହାରାଜପୁର ଓ ସୁବଳୟା ଥାନାରେ ମାମଲା ହୋଇଥିଲା। ସବୁଥର ସ୍ୱାମୀ ଓ ସ୍ତ୍ରୀଙ୍କ କଳି ସମାଧାନ କରୁଥିଲେ ଥାନାବାବୁ। ପରେ ଉଭୟ ଘରକୁ ଫେରୁଥିଲେ। ଗୋଟିଏ ଛାତ ତଳେ ଏକାଠି ରହୁଥିଲେ। ହେଲେ ଲକ୍ଷ୍ମଣ ସିଂ ଥାନାବାବୁଙ୍କ ମିଳାମିଶାରେ ସନ୍ତୁଷ୍ଟ ନଥିଲେ। ସ୍ତ୍ରୀକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରୁଥିଲେ।

ବୁଧବାର ଲକ୍ଷ୍ମଣ ବାହାନା କରି ନିଜର ଦୁଇ ପୁଅଙ୍କୁ ସମ୍ପର୍କୀୟଙ୍କ ଘରେ ଛାଡ଼ି ଆସିଥିଲେ। ବିଳମ୍ବିତ ରାତିରେ ସୁନିତାଙ୍କୁ ଅତି ନିର୍ମମ ଭାବେ ହାତୁଡ଼ିରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ସେ ବୀରମହାରାଜପୁର ଥାନାକୁ ଯାଇ ଆତ୍ମସମର୍ପଣ କରିଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଲକ୍ଷ୍ମଣ ବିରୋଧ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ସୁନିତାଙ୍କ ପରିବାର ଲୋକେ।

Spread the love