ଭିକି କୌଶଲଙ୍କ ପାଇଁ ବଢିଲା ଅଡୁଆ, ନମ୍ବର ପ୍ଲେଟକୁ ନେଇ ଥାନାରେ ମାମଲା ରୁଜୁ

ନୂଆଦିଲ୍ଳୀ ୦୨।୦୧ : ବଲିଉଡ୍‌ର ବହୁ ଚର୍ଚ୍ଚିତ ଯୋଡି ଭିକି-କ୍ୟାଟ୍ରିନା  ନିକଟରେ ବିବାହ କରିଥିଲେ । ପରେ ଦୁହେଁ ରାଜସ୍ଥାନରୁ ଫେରି ଆସିଥିଲେ । ଏବେ ଦୁହେଁ ନିଜ ନିଜ କାମରେ ତଥା ସୁଟିଂକୁ ଫେରିଛନ୍ତି । ଏବେ ଭିକି କୌଶଲଙ୍କ ବିରୋଧରେ ମଧ୍ୟପ୍ରଦେଶ ଇନ୍ଦୌରରେ ମାମଲା ରୁଜୁ ହୋଇଛି । ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, କିଛି ଦିନ ପୂର୍ବରୁ ଭିକି କୌଶଲ ଓ ସାରା ଅଲ୍ଲି ଖାନ୍ ଯେଉଁ ନମ୍ବର ବାଇକରେ ବୁଲୁଥିବାର ଦେଖିବାକୁ ମିଳିଥିଲା, ତାହା ତାଙ୍କ ସ୍କୁଟିର ନମ୍ବର । କିନ୍ତୁ ବିନା ଅନୁମତିରେ ସେମାନେ ତାଙ୍କ ସ୍କୁଟିର ନମ୍ବର ବ୍ୟବହାର କରିଥିଲେ । ଏହି ମାମଲାକୁ ନେଇ ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗକାରୀ ଜୟ ସିଂହ ଯାଦବ କହିଛନ୍ତି ଯେ, ‘ଫିଲ୍ମର ଏକ ଦୃଶ୍ୟରେ ମୋ ଗାଡ଼ି ନମ୍ବର ବ୍ୟବହୃତ ହୋଇଛି । ଫିଲ୍ମ ୟୁନିଟକୁ ଏ ବିଷୟରେ ଜଣା ଅଛି କି ନାହିଁ ବୋଲି ମୁଁ ଜାଣିନି, କିନ୍ତୁ ଏହା ବେଆଇନ୍ ଅଟେ । ବିନା ଅନୁମତିରେ ସେମାନେ ମୋ ନମ୍ବରକୁ ବ୍ୟବହାର କରିପାରିବେ ନାହିଁ । ମୁଁ ପୋଲିସ ଷ୍ଟେସନରେ ଏନେଇ ଅଭିଯୋଗ କରିଛି । ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ଅଟେ । ଅନ୍ୟପଟେ ନମ୍ବର ପ୍ଲେଟକୁ ବେଆଇନ ଭାବେ ବ୍ୟବହାର କରାଯାଇଛି କି ନାହିଁ, ସେନେଇ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

ତେବେ କିଛି ଦିନ ପୂର୍ବରୁ ଭିକି କୌଶଲ ଓ ସାରା ଅଲ୍ଲି ଖାନଙ୍କ ଏକ ଫଟୋ ଭାଇରାଲ ହୋଇଥିଲା। ଫଟୋରେ ଦୁହେଁ ବାଇକରେ ବସି ଇନ୍ଦୌରର ରାସ୍ତାରେ ବୁଲୁଥିବାର ନଜର ଆସିଥିଲେ । ମିଳିଥିବା ସୂଚନା ମୁତାବକ, ଉଭୟ ସେଲିବ୍ରିଟ ସେମାନଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି, ଯାହାର ନାଁ ‘ଲୁକା ଛୁପି ୨’ ।

Spread the love