ଗାନ୍ଧୀ ଜୀଙ୍କୁ ଗାଳି ଦେଇଥିବା ଗାଳିକାଳୀଚରଣଙ୍କୁ ମିଳିଲାନି ଜାମିନ, ଏବେ ଜେଲ୍‌ରେ କଟିବ ରାତି

ରାୟପୁର ୦୩।୦୧: ଛତିଶଗଡ ରାଜଧାନୀ ରାୟପୁରରେ ଆୟୋଜିତ ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନଜନକ ଟିପ୍ପଣୀ କରିବା ଏବଂ ନାଥୁରାମ ଗୋଡସେଙ୍କୁ ସାଷ୍ଟଙ୍ଗା ପ୍ରଣାମ କରି ମହିମା ମଣ୍ଡନ କରିଥିବା କାଳୀଚରଣ ମହାରାଜଙ୍କ ଜାମିନ ଆବେଦନକୁ ନ୍ୟାୟାଳୟ ଖାରଜ କରିଛନ୍ତି। ସୋମବାର କାଳୀଚରଣଙ୍କ ଜାମିନ ଆବେଦନ ଉପରେ ରାୟପୁର କୋର୍ଟରେ ପ୍ରାୟ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଉଭୟ ପକ୍ଷ ମଧ୍ୟରେ ଗରମାଗରମ ବିତର୍କ ହୋଇଛି। ଉଭୟ ପକ୍ଷଙ୍କ ତର୍କ ଶୁଣିବା ପରେ ଏଡିଜେ ବିକ୍ରମ ଚନ୍ଦ୍ରଙ୍କ ଅଦାଲତ କାଳୀଚରଣଙ୍କ  ଜାମିନ ଆବେଦନ ଖାରଜ କରିଛନ୍ତି।

ଶୁଣାଣି ସମୟରେ କାଳୀଚରଣ ମହାରାଜଙ୍କ ଓକିଲ ଛତିଶଗଡ ପୋଲିସଙ୍କ ଗିରଫଦାରୀକୁ ଭୁଲ ଦର୍ଶାଇଛନ୍ତି। ଓକିଲ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର କିଛି କେସ୍‌କୁ ଉଦାହରଣ ସ୍ଵରୂପ ଅଦାଲତରେ ଉପସ୍ଥାପନ କରିଛନ୍ତି। ଓକିଲଙ୍କ ଦଲିଲ୍ ଶୁଣିବା ପରେ ଜଜ ଜାମିନ ଯାଚିକା ଖାରଜ କରିଛନ୍ତି। ଏବେ ତାଙ୍କ ଓକିଲ ଜାମିନ ଆବେଦନ ପାଇଁ ହାଇକୋର୍ଟର ଦ୍ଵାରସ୍ଥ ହୋଇ ପାରନ୍ତି। ସଂପ୍ରତି କାଳୀଚରଣଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ସୂଚନାଯୋଗ୍ୟ, ଡିସେମ୍ବର ୨୬ରେ ରାୟପୁରର ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କ ଉପରେ କାଳୀଚରଣ ମହାରାଜ ଅପମାନଜନକ ଟିପ୍ପଣୀ କରିଥିଲେ।  ଏହା ପରେ ଛତିଶଗଡ କଂଗ୍ରେସ ରାଜ୍ୟ ସଭାପତି ମୋହନ ମରକାନ ସିଭିଲ ଲାଇନ ଓ ରାୟପୁର ନିଗମର ସଭାପତି  ପ୍ରମୋଦ ଦୁବେ ଟିକରାପରା ଥାନାରେ ମାମଲା ରୁଜୁ କରାଇଥିଲେ। ଏଫଆଇଆର ରୁଜୁ ହେବାର ପରବର୍ତ୍ତୀ ଦିନ କାଳୀଚରଣଙ୍କ ଆଉ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏଥିରେ ସେ ନିଜର ପୂର୍ବ ଟିପ୍ପଣୀକୁ ପୁଣି ଥରେ ଦୋହରାଇଥିଲେ।

ଭିଡିଓରେ ସେ କହିଥିଲେ, ମୋର ଟିପ୍ପଣୀକୁ ନେଇ ମୁଁ ଦୁଃଖିତ ନୁହେଁ କି ପଶ୍ଚାତାପ କରୁନାହିଁ। ମୁଁ ଗାନ୍ଧୀଜୀଙ୍କୁ ଜାତିର ପିତା ମାନେ ନାହିଁ। ଯଦି ସତ୍ୟ କହିବାର ସଜା ମୃତ୍ୟୁ ଦଣ୍ଡ ହୁଏ ତେବେ ମୁଁ ଏହାକୁ ସ୍ଵୀକାର କରିବାକୁ ପ୍ରସ୍ତୁତ। କାଳୀଚରଣ ଏହି ଭିଡିଓରେ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେଙ୍କ ମହାତ୍ମା ଦର୍ଶାଇଥିଲେ। ଛତିଶଗଡ ପୋଲିସ କାଳୀଚରଣଙ୍କୁ ମଧ୍ୟ ପ୍ରଦେଶର ଖଜୁରାହୋରୁ ଗିରଫ କରିଥିଲା। ବର୍ତ୍ତମାନ ସେ ବିଚାର ବିଭାଗୀୟ ହାଜତରେ ରାୟପୁର ଜେଲରେ ଅଛନ୍ତି।

Spread the love