ତୃତୀୟ ଶ୍ରେଣୀର ଝିଅ ପାଲିଟିଛି ପକ୍ଷୀରାଣୀ

ବୟସ ମାତ୍ର ୮ ବର୍ଷ। ସାନ ସିନା ଦାନ ତା ମହାନ। ନା ସମାଜକୁ ଚିହ୍ନିଛି, ନା ସେ ସମାଜକୁ ଜାଣିଛି। ସମାଜକୁ ନବୁଝି ବି ସେ ସମାଜ ପାଇଁ ଉଧାରଣ ପାଲିଟିଛି। କେତେବେଳେ ଆଦିବାସୀଙ୍କ ପାଇଁ ଦେବଦୂତ ତ ଆଉ କେତେବେଳେ ମହାମାରୀ କୋରୋନା ସମୟରେ ଯୋଦ୍ଧା ସାଜି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଛି। କେବଳ ସେତିକିରେ ଏଇ କୁନି ଦୂତଙ୍କ କାର୍ଯ୍ୟକ୍ରମ ସିମୀତ ହୋଇନାହିଁ। ଜିଲ୍ଲାରେ ସେ ଜଣେ ପକ୍ଷୀରାଣୀ ଭାବେ ବେଶ ଲୋକପ୍ରିୟ ହୋଇଛନ୍ତି। ଏଇ ତୃତୀୟ ଶ୍ରେଣୀର ଛାତ୍ରୀ କ୍ୟାନ୍ସର ରୋଗୀଙ୍କ ପାଇଁ ନିଜର କେଶ ଦାନ କରି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ବୟାବନପୁର ଗ୍ରାମର ଜ୍ୟୋତି ଶଙ୍କର ପଣ୍ଡା ଓ ରଚନା ପଣ୍ଡାଙ୍କ ୮ ବର୍ଷର ଝିଅ ମାମାଲି ପଣ୍ଡା। ତୃତୀୟ  ଶ୍ରେଣୀରେ ପାଠପଢୁଥିବା ଏହି ପିଲାଟି ବୟସରେ ସିନା ସାନ କିନ୍ତୁ ସାରା ଓଡ଼ିଶାର କୁନି ସମାଜସେବୀ       ତଥା ପକ୍ଷୀରଣୀ ଭାବରେ ସେ ବେଶ     ଲୋକପ୍ରିୟତା ହାସଲ କରିଛନ୍ତି। ସକାଳୁ ଉଠି ହାତରେ କିଛି ଖାଦ୍ୟ ଓ ପାଣି ବୋତଲ ଧରି ବାହାରି ଯାଆନ୍ତି। ପୂର୍ବରୁ ବିଭିନ୍ନ ଗଛ ଡାଳରେ ପକ୍ଷୀମାନଙ୍କ ପାଇଁ ତିଆରି କରିଥିବା ବସାରେ ଖାଦ୍ୟ ଓ ପାଣି ଦିଅନ୍ତି। କେବଳ ସେତିକି ନୁହେଁ କରୋନା ସମୟରେ ବିଭିନ୍ନ ଆଦିବାସୀ ଅଞ୍ଚଳରେ ପହଞ୍ଚି ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ କରିବା ଓ ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କୁ ସଚେତନ କରେଇବା ଓ ରାସ୍ତାରେ ବୁଲୁଥିବା ପଶୁଙ୍କୁ ଖାଦ୍ୟ ଦେଇ ମାମାଲି ବେଶ     ଲୋକପ୍ରିୟତା ହାସଲ କରିଥିଲେ।ସମାଜସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ମାମାଲିଙ୍କୁ ଜୀ ଓଡିଶା ପରିବାର ପକ୍ଷରୁ ଭଦ୍ରକ ଜିଲ୍ଲାରେ ଆୟୋଜିତ ବିକାଶ ପଥେ ଓଡିଶା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା। କୁନି ସମାଜସେବୀ      ଆଉ ଗୋଟାଏ ପାଦ ଆଗକୁ ଯାଇ ଏକ ମହାନ ଉଦ୍ଦେଶ୍ୟରେ ନିଜର ସମସ୍ତ କେଶ ଦାନ କରିଛନ୍ତି। କ୍ୟାନ୍ସର ରୋଗୀଙ୍କୁ। କ୍ୟାନ୍ସର ରୋଗୀମାନେ କେମୋ ଥରେପି ଯୋଗୁଁ ନିଜର କେଶ ହରାଇଥାନ୍ତି। ଏଇ କେଶକୁ ତାଙ୍କଠାରେ ପୁନଃରୋପଣ କରାଯାଇ ପାରିବ ବୋଲି ୟୁଟୁବରୁ ଦେଖି ମାମାଲି ନିଜ ବାପା ମାଆଙ୍କୁ ନିଜର କେଶ ଦେବାକୁ ବାଧ୍ୟ କରିଥିଲା। ମାମାଲିଙ୍କ ପରିବାର ପକ୍ଷରୁ ହାଇଦ୍ରାବାଦ ହେଆର ଡୋନେଟ ଚେରିଟେବୁଲ ଟ୍ରଷ୍ଟ ସହ ଯୋଗାଯୋଗ ପରେ ଏପରି କେଶ ପ୍ରଦାନ କରି ନିଜେ ବେଶ ଖୁସି ଥିବାବେଳେ ପରିବାର ଲୋକ ମଧ୍ୟ ବେଶ  ଗର୍ବ ଅନୁଭବ         କରୁଛନ୍ତି। ଓଡ଼ିଶାର ବୋଧହୁଏ ଏତେ କମ ବୟସର କେଇ ପିଲା ଏପରି ପଦକ୍ଷେପ ନେଇ ନାହାନ୍ତି। କୁନି ବୟସରେ ଏପରି ପଦକ୍ଷେପ ମାମାଲିଙ୍କୁ ନିଜ ଜିଲ୍ଲାରେ ନୁହେଁ ସାରା ରାଜ୍ୟରେ ପରିଚୟ ସୃଷ୍ଟି କରିପାରିଛନ୍ତି। ସମସ୍ତଙ୍କୁ ସିଏ ଶିଖାଇ ଦେଇଛନ୍ତି ସମାଜ ସେବାରେ ନଥାଏ ବୟସର ତାରତମ୍ୟ।

Spread the love