ପୁରୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ, ମୋଟ ୧୩ ଲକ୍ଷ ୯୧ ହଜାର ୬୪ ଜଣ ଭୋଟର ଦେବେ ଭୋଟ

ପୁରୀ, ୦୬/୦୧: ପୁରୀ ଜିଲ୍ଲାରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଜିଲ୍ଲାର ବିଭିନ୍ନ ୱାର୍ଡ, ସମିତି ସଭ୍ୟ, ସରପଞ୍ଚ ଓ ଅଧ୍ୟକ୍ଷ ପାଇଁ ୩୦୦ଟି ଅଭିଯୋଗ ଆସିଥିଲା। ପିଡି ଡିଆରଡିଏ, ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ନେଇ ଗଠିତ କମିଟି ସମସ୍ତ ଅଭିଯୋଗର ଶୁଣାଣୀ କରି ଫଇସଲା କରିଛନ୍ତି । ଏଥିସହ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାର ୬ଟି ବିଧାନସଭା ନିର୍ବାଚନ ମଣ୍ତଳୀରେ ମୋଟ ୧୩ ଲକ୍ଷ ୯୧ ହଜାର ୬୪ ଜଣ ଭୋଟର ଅଛନ୍ତି । ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୧୭ ହଜାର ୩୮୨ ଜଣ ପୁରୁଷ, ୬ ଲକ୍ଷ ୭୩ ହଜାର ୬୦୬ ଜଣ ମହିଳା ଏବଂ ୭୬ ଜଣ ଅନ୍ୟାନ୍ୟ ଭୋଟର ଅଛନ୍ତି ।

ପୂର୍ବରୁ ଜାରି ଚିଠା ଭୋଟର ତାଲିକାରେ ଜିଲ୍ଲାରେ ୧୩ ଲକ୍ଷ ୬୧ ହଜାର ୭୫୮ ଜଣ ଭୋଟର ଥିଲେ । ମୃତ ଭୋଟର ମାନଙ୍କୁ ତାଲିକାରୁ ବାଦ ଦେବା ପରେ ନୂତନ ଭୋଟର ଏବଂ ସ୍ଥାନାନ୍ତରଣ କରିଥିବା ମତଦାତାଙ୍କୁ ମିଶାଇ ମୋଟ ୨୯ ହଜାର ୩୦୬ ଜଣ ନୂଆ ମତଦାତା ଯୋଗ ହୋଇଛନ୍ତି । ଜିଲ୍ଲାର ୬ଟି ଯାକ ବିଧାନସଭା ନିର୍ବାଚନ ମଣ୍ତଳୀ ନିମନ୍ତେ ୧୫୯୩ଟି ମତଦାନ କେନ୍ଦ୍ର ରହିଥିବା ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଜଣେଇଛନ୍ତି ।

Spread the love