ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ ହେଉଛି ମାହାଙ୍ଗା ଡବଲ୍ ମର୍ଡର ଘଟଣା : ସମୀର

ଓଡିଶା ରାଜନୀତିରେ ମାହାଙ୍ଗା ଡବଲ୍ ମର୍ଡର ଏକ ପ୍ରମୁଖ ପ୍ରସଙ୍ଗ ହୋଇ ରହିଗଲା ଏବଂ ଏଭଳି ଜଘନ୍ୟ ହତ୍ୟାକାଣ୍ଡରେ ସଂପୃକ୍ତ ଦୋଷୀମାନେ ଆଜି ପର୍ଯ୍ୟନ୍ତ ଦଣ୍ଡ ପାଇଲେନାହିଁ । ରାଜ୍ୟର ଆଇନମନ୍ତ୍ରୀ ବେଆଇନ କାର୍ଯ୍ୟ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଛନ୍ତି । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ତଥା ଏଫଆଇଆରରେ ଉଲ୍ଲେଖ ଥିବା ୧୩ ନମ୍ବର ମୁଦାଲା ତଥା ରାଜ୍ୟ ଆଇନମନ୍ତ୍ରୀଙ୍କ ବିରୁଦ୍ଧରେ ତଦନ୍ତ ପ୍ରକ୍ରିୟାକୁ ଗତିରୋଧ କରାଯାଇ ନ୍ୟାୟ ପ୍ରଦାନରେ ସଂପୂର୍ଣ୍ଣ ଅନ୍ୟାୟ କରାଯାଇଛି । ଆଇନ ତା ବାଟରେ ଯାଉନାହିଁ, ବରଂ ଆଇନକୁ ମୋଡି ମୋକିଚି ଅପରାଧୀଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ମୁହଁ ଖୋଲିବାରୁ ସ୍ୱର୍ଗତଃ କୁଳମଣି ବରାଳ ଏବଂ ସ୍ୱର୍ଗତଃ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଗଲା । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମହାଦୁର୍ନୀତି ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାର ସର୍ବଶ୍ରେଷ୍ଠ ଦୃଷ୍ଟାନ୍ତ ହେଉଛି ମାହାଙ୍ଗା ଡବଲ୍ ମର୍ଡର ଘଟଣା ବୋଲି ବିଜେପିର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି ହତ୍ୟାକାଣ୍ଡର ଏକ ବର୍ଷ ପୁର୍ତି ଅବସରରେ ଅନୁଷ୍ଠିତ ସ୍ମୃତି ସଭାରେ ଯୋଗ ଦେଇ କହିଛନ୍ତି ।
ଦୁର୍ନୀତି ବିରୁଦ୍ଧରେ ଲଢେଇ କରି ନିଜ ପ୍ରାଣ ହରାଇଥିବା ସ୍ୱର୍ଗତଃ କୁଳମଣି ବରାଳ ଏବଂ ସ୍ୱର୍ଗତଃ ଦିବ୍ୟସିଂହ ବରାଳ ଆମ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ବିଶେଷ ଭାବେ ଗରୀବ ଓ ବାସହରାମାନେ ସବୁଦିନ ପାଇଁ ତାଙ୍କ ବଳିଦାନକୁ ମନେ ରଖିବେ । ଆଗାମୀ ପଂଚାୟତ ନିର୍ବାଚନରେ ଦୁର୍ନୀତି ଏବଂ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ନିଶ୍ଚିତ ଭାବେ ଏକ ପ୍ରମୁଖ ପ୍ରସଙ୍ଗ ହେବ ଏବଂ ରାଜ୍ୟ ସରକାର ଏହାର ଜବାବ୍ ଦେବା ଉଚିତ୍ । ପକ୍କାଘର, ପାଇଖାନା, ପଂଚାୟତ ବିକାଶ, ନରେଗା ଯୋଜନା, ପାନୀୟ ଜଳଠୁ ଆରମ୍ଭ କରି ସ୍ୱେରେଜ, ଡଷ୍ଟବିନ୍‌, ଲାଇଟ ପୋଷ୍ଟ୍ ଆଦି ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଠାଉଥିବା ବ୍ୟାପକ କେନ୍ଦ୍ରୀୟ ଆର୍ଥକ ଅନୁଦାନକୁ ଶାସକ ଦଳ ହରିଲୁଟ୍ କରି ରାଜ୍ୟ ବିକାଶର ବାଧକ ସାଜିଛନ୍ତି । ଦୋଷୀ ଯେତେ ଦିନ ପର୍ଯ୍ୟନ୍ତ ଦଣ୍ଡ ନପାଇଛି ଏହା ନିଶ୍ଚିତ ରୂପେ ଏକ ପ୍ରମୁଖ ପ୍ରସଙ୍ଗ ହୋଇରହିବ ଏବଂ ଏହି ପ୍ରସଙ୍ଗରେ ଓଡିଶାବାସୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରୁଥିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

କଟକ ଜିଲ୍ଲା ମାହାଙ୍ଗା ଅନ୍ତର୍ଗତ ନୃତଙ୍ଗଠାରେ ଅନୁଷ୍ଠିତ ସ୍ମୃତି ସଭାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗ ଦେଇଥିଲେ । ନୃତଙ୍ଗ ଗାଁ ମୁଣ୍ଡରେ ପ୍ରତିଷ୍ଠିତ ସ୍ୱର୍ଗତଃ କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ପ୍ରତିମୂର୍ତିକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଉନ୍ମୋଚିତ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

ଏହି ସ୍ମୃତି ସଭାରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର, ରାଜ୍ୟ ସଂପାଦକ ଅମର ନାଏକ, ଜିଲ୍ଲା ସଭାପତି ପ୍ରକାଶ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ପ୍ରଧାନ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଯାଞ୍ଜସେନୀ ଜେନା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।

Spread the love