ଭାରତକୁ ତୃତୀୟ ଟେଷ୍ଟ ପୂର୍ବରୁ ଝଟକା, କେପଟାଉନରେ ସିରାଜଙ୍କ ଖେଳିବା ନେଇ ସନ୍ଦେହ

ଜୋହାନ୍ସବର୍ଗ ୦୭।୦୧: ଜୋହାନ୍ସବର୍ଗ ଟେଷ୍ଟରେ ଭାରତ ପରାଜିତ ହେବା ପରେ ସିରିଜ୍ ବର୍ତ୍ତମାନ ୧-୧ରେ ଡ୍ର ରହିଛି। ଏବେ କେପଟାଉନରେ ନିର୍ଣ୍ଣାୟକ ଟେଷ୍ଟ ମ୍ୟାଚ୍ ଖେଳାଯିବ। ତେବେ ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ନିରାଶଜନକ ଖବର। ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ଜଂଘ ମାଂସପେଶୀ ଟାଣି ଧରିବାରୁ ଜାନୁଆରୀ ୧୧ରୁ କେପଟାଉନରେ ହେବାକୁ ଥିବା ତୃତୀୟ ଟେଷ୍ଟ ଖେଳିବା ନେଇ ସନ୍ଦେହ ରହିଛି।

ଦ୍ଵିତୀୟ ଟେଷ୍ଟ ପରିସମାପ୍ତି ପରେ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି, ସିରାଜ୍‌ ସଂପୂର୍ଣ୍ଣ ଫିଟ୍ ନାହାନ୍ତି। ହାର୍ମଷ୍ଟ୍ରିଙ୍ଗ କାରଣରୁ ସିରାଜ୍ ଦ୍ଵିତୀୟ ମ୍ୟାଚ୍‌ରେ କେବଳ ୧୫.୫ ଓଭର ବୋଲିଂ କରିଥିଲେ। ଦ୍ଵିତୀୟ ଇନିଂସରେ ସେ ମାତ୍ର ଛଅ ଓଭର ବୋଲିଂ କରିପାରିଥିଲେ। ଦ୍ରାବିଡ କହିଛନ୍ତି, ଆମକୁ ସିରାଜ୍‌ଙ୍କ ଫିଟନେସ୍‌ର ଆକଳନ କରିବାକୁ ପଡିବାକୁ ଯେ, ସେ ଆଗାମୀ ତିନି ଚାରି ଦିନରେ ଫିଟ୍ ହୋଇ ପାରିବେ କି ନାହିଁ। ସ୍କାନିଂ ପରେ ତାଙ୍କର ଆହତ କେତେ ଗୁରୁତର ସ୍ପଷ୍ଟ ହୋଇଯିବ। ଆହତ ସତ୍ତ୍ଵେ ସିରାଜ୍ ବୋଲିଂ କରିବାକୁ କୋଚ୍ ରାହୁଲ ଦ୍ରାବିଡ ଉଚ୍ଚ ପ୍ରଶଂସା କରିଛନ୍ତି।

ଦ୍ରାବିଡ କହିଛନ୍ତି, ଆମ ପାଖରେ ପଞ୍ଚମ ବୋଲର ଥାଇ ମଧ୍ୟ ଆମେ ସେମିତି ଉପଯୋଗ କରି ପାରିଲୁ ନାହିଁ ଯେମିତି ମ୍ୟାଚ୍‌ରେ କରିବାକୁ ଚାହୁଁଥିଲୁ। ଏଥିରେ ଆମର ରଣନୀତି ପ୍ରଭାବିତ ହୋଇଥିଲା ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି। ଯଦି ସିରାଜ ତୃତୀୟ ମ୍ୟାଚ୍ ନଖେଳନ୍ତି ତେବେ ଉମେଶ ଯାଦବ ଏବଂ ଇଶାନ୍ତ ଶର୍ମାଙ୍କ ମଧ୍ୟରୁ ଜଣଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ।

Spread the love