ଆଇସିସି ଲାଗୁ କଲା ନୂତନ ନିୟମ, ଗୋଟିଏ ଭୁଲ୍ ବୋଲିଂ ଦଳକୁ ପଡିବ ଭାରି

ନୂଆଦିଲ୍ଲୀ ୦୭।୦୧: ଏବେ ଟି-୨୦ରେ ବୋଲିଂ କରୁଥିବା ଦଳକୁ ଟିକେ ଭୁଲ୍ କଲେ ପଡିବ ମହଙ୍ଗା। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) କ୍ରିକେଟ୍ ନିୟମରେ କିଛି ପରିବର୍ତ୍ତନ କରିଛି। ନୂତନ ନିୟମ ଅନୁଯାୟୀ,  ବୋଲିଂ କରୁଥିବା ଦଳକୁ ଯେମିତି ହେଲେ ନିର୍ଦ୍ଧାରିତ ଓଭରରେ ନିଜର ବୋଲିଂ କୋଟା ପୁରା କରିବାକୁ ପଡିବ। ଯଦି ଦଳ ନିର୍ଦ୍ଧାରିତ ସମୟଠୁ ପଛରେ ରହେ ତେବେ ବଳକା ଓଭରରେ ଏହାର ଜଣେ ଫିଲ୍ଡର ୩୦ ଗଜ ପରିଧି ବାହାରେ ଫିଲ୍ଡିଂ କରି ପାରିବ ନାହିଁ। ଅର୍ଥାତ ଜଣେ ଖେଳାଳିଙ୍କୁ ୩୦ ଗଜ୍ ଭିତରେ ରହିବାକୁ ପଡିବ। ଏମିତିରେ ବୋଲିଂ କରୁଥିବା ଦଳକୁ ଏହାର କ୍ଷତି ସହିବାକୁ ପଡିପାରେ। ସଂପ୍ରତି ପାଓ୍ଵାଲ ପ୍ଲେ ପରେ ୩୦ ଗଜ୍‌ ସାର୍କିଲ ବାହାରେ ୫ ଫିଲ୍ଡର ରହୁଛନ୍ତି। ମାତ୍ର ନୂତନ ନିୟମ ପରେ କେବଳ ୪ ଫିଲ୍ଡର ସାର୍କିଲ ବାହାରେ ରହିବେ।

ଏହା ବ୍ୟତୀତ ଦ୍ଵିପାକ୍ଷିକ ସିରିଜ୍‌ର ପ୍ରତିଟି ଇନିଂସ ମଝିରେ ଅଢେଇ ମିନିଟ୍‌ର ଏକ ବିକଳ୍ପ ଡ୍ରିଙ୍କ୍ସ ବ୍ରେକ୍ ନିଆଯିବାର ନିୟମ ଲାଗୁ କରାଯାଇଛି। ଯଦି ଦୁଇ ଦଳ ସିରିଜ୍ ଆରମ୍ଭ ପୂର୍ବରୁ ଏଥିରେ ସହମତି ପ୍ରକାଶ କରନ୍ତି ତେବେ ଏହି ନିୟମ ଲାଗୁ ହୋଇପାରିବ। ଟି-୨୦ କ୍ରିକେଟ୍‌ର ପରିବର୍ତ୍ତିତ ଏହି ନୂତନ ନିୟମ ଓ୍ଵେଷ୍ଟଇଣ୍ଡିଜ୍ ଏବଂ ଆୟରଲାଣ୍ଡ ମଧ୍ୟରେ ଜାନୁଆରୀ ୧୬ରୁ ଏକ ମାତ୍ର ଟି-୨୦ ମ୍ୟାଚ୍‌ରୁ ଲାଗୁ ହେବ।

ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ ଅର୍ଥାତ ଇସିବି  ହଣ୍ଡ୍ରେଡ୍ କ୍ରିକେଟ୍ ଲିଗ୍‌ରେ ଏହି ଧରଣର ନିୟମ ସଫଳ ହେବା ପରେ ଆଇସିସି ଏହାକୁ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ସମସ୍ତ ଫର୍ମାଟ୍‌ରେ ଖେଳକୁ ଆହୁରି ସୁଧାର ଆଣିବା ପାଇଁ ଏହି ନିୟମ ଲାଗୁ କରାଯାଇଛି।

Spread the love