ଶୀତଦିନରେ ଶିଶୁମାନଙ୍କ କାନଟାଣିଲେ ବା କାନମୂଳ ଫୁଲିଗଲେ କଣ କରିବା

ଶୀତଦିନରେ ଶିଶୁମାନଙ୍କ କ୍ଷେତ୍ରରେ ଥଣ୍ଡାଜନିତ ଅନେକ ସମସ୍ୟା ଦେଖାଯାଏ। ସେସବୁ ମଧ୍ୟରୁ କାନଟାଣିବା ବା କାନମୂଳ ଫୁଲିଯିବା ଅନ୍ୟତମ। ଅନେକ କ୍ଷେତ୍ରରେ କାନଟାଣିବା ଯୋଗୁଁ ଶିଶୁମାନଙ୍କୁ ସାମାନ୍ୟ ଜ୍ବର ମଧ୍ୟ ହୋଇଥାଏ। ତେବେ ଏ ସମସ୍ୟାର ସମାଧାନ ପାଇଁ ଆପଣ ନିମ୍ନଲିଖିତ ଯେ କୌଣସି ଗୋଟିଏ ଚିକିତ୍ସା ପଦ୍ଧତିକୁ ଆପଣାଇ ପାରିବେ।

ନେଚୁରୋପାଥି (ଡାକ୍ତର ଦିଲ୍ଲୀପ କୁମାର ମହାନ୍ତ)

ସାଧାରଣତଃ ଥଣ୍ଡା ଅତ୍ୟଧିକ ହେଲେ ଶିଶୁଙ୍କ କାନ ଟାଣିଥାଏ। ଏହା ବ୍ୟତୀତ କାନ ଭିତରେ କିଛି ସମସ୍ୟା ଥାଇପାରେ। ତେଣୁ ପ୍ରଥମେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ। ଛୋଟ ପିଲାଙ୍କ କାନ ଟାଣିଲେ ‘ଷଡ଼ବିନ୍ଦୁ ତୈଳ’ ଏକ ଟୋପା କାନରେ ପକାଇଲେ ଉପଶମ ମିଳିଥାଏ। କିନ୍ତୁ ଡାକ୍ତରଙ୍କ ସହ ପରାମର୍ଶ ନକରି ଏହିସବୁ ଔଷଧ ଗ୍ରହଣ କରନ୍ତୁ ନାହିଁ।

ଆୟୁର୍ବେଦ (ଡାକ୍ତର ରାଜୀବଲୋଚନ ସେଠୀ)

ଗରମ ପାଣିରେ ଟାୱଲ୍‌କୁ ଓଦା କରି ସେହି ଗରମ ବାମ୍ଫକୁ କାନମୂଳରେ ଦିଅନ୍ତୁ। ଅଦା ରସକୁ କିମ୍ବା ରସୁଣର ପେଷ୍ଟ୍‌ ତିଆରି କରି କାନର ବାହାର ଅଂଶରେ ହାଲ୍‌କା ଭାବେ ମାଲିସ୍‌ କରନ୍ତୁ। ତୁଳସୀ ପତ୍ରର ରସକୁ ମଧ୍ୟ କାନରେ ୧ ବୁନ୍ଦା ପକାଇପାରିବେ। ୫-୬ ବର୍ଷର ଶିଶୁ କ୍ଷେତ୍ରରେ ଅଧାରୁ ଗୋଟିଏ ଛୋଟ ଚାମଚ ମଧ୍ୟରେ ତୁଳସୀ ପତ୍ର ରସ ବାହାର କରି ସେଥିରେ ୨-୩ ବୁନ୍ଦା ମହୁ ମିଶାଇ ଖାଇବାକୁ ଦିଅନ୍ତୁ। ଆୟୁର୍ବେଦରେ ସାରିବାଦି ଓ ଲକ୍ଷ୍ମୀବିଳାସ ଔଷଧ ରହିଛି, ଯାହାକୁ ବୟସ ଅନୁପାତରେ ଦିଆଯାଏ। ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରିନେବା ଉଚିତ।

ଏଲୋପାଥି (ଡାକ୍ତର ଗିରିଶଚନ୍ଦ୍ର ବେହେରା)

ଶିଶୁଙ୍କ କ୍ଷେତ୍ରରେ କାନଟାଣିବା ସମସ୍ୟା ଅନେକ କାରଣରୁ ହୋଇଥାଏ। ତେଣୁ କାରଣ ଅନୁଯାୟୀ ଔଷଧ ଅଛି। କାନ ଭିତରେ ମଇଳା ଜମିଗଲେ ମଧ୍ୟ କାନ ଟାଣି ହୋଇଥାଏ। ଏବେ ଶୀତଋତୁରେ ଥଣ୍ଡା ଯୋଗୁଁ ଶିରାପ୍ରଶିରା ଫୁଲିଯାଏ। ତେଣୁ କାନ ଟାଣିହୁଏ। ଏହି ସମସ୍ୟା ଦୂର କରିବା ପାଇଁ ପ୍ରଥମେ ଶିଶୁଙ୍କୁ ଥଣ୍ଡାଠାରୁ ଦୂରେଇ ରଖିବା ଉଚିତ। କାନକୁ ଘୋଡ଼ାଇବା ଭଳି ଟୋପି ପିନ୍ଧନ୍ତୁ। ସବୁଠାରୁ ବଡ଼ କଥା ହେଉଛି କାନ ଟାଣି ହେବାକୁ ସାଧାରଣ ସମସ୍ୟା ବୋଲି ମନେ କରି ଔଷଧ ଦୋକାନରୁ ନିଜେ କୌଣସି ଔଷଧ କିଣନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ କିଣନ୍ତୁ।

ଘରୋଇ ଉପଚାର

ଘରୋଇ ଉପଚାର କ୍ଷେତ୍ରରେ ଆପଣ ଶିଶୁର କାନ ପାଖରେ ହାଲୁକା ଭାବେ ଭିକ୍ସ ଲଗାଇ ପାରିବେ। ଯେତେ ସମ୍ଭବ ଥଣ୍ଡାରୁ ରକ୍ଷା କରିବା ପାଇଁ କାନକୁ ଘୋଡ଼ାଇବା ଭଳି ଟୋପି ପିନ୍ଧାନ୍ତୁ। ଶିଶୁକୁ ଗରମ ଖାଦ୍ୟ ଓ ଉଷୁମ ପାଣି ଦିଅନ୍ତୁ। ଏସବୁ ବ୍ୟତୀତ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

Spread the love