କୋଭିଡ ଟେଷ୍ଟିଙ୍ଗ କିଟ୍ ପୋଡ଼ିଦେଲେ ମେଡ଼ିକାଲ କର୍ତ୍ତୃପକ୍ଷ, ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି

ଯାଜପୁର, ୧୧।୦୧: ଯାଜପୁର ଜିଲ୍ଲା କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିପୁଳ ପରିମାଣର କୋଭିଡ୍ ଆଣ୍ଟିଜେନ୍ ଟେଷ୍ଟ କିଟ୍ ପୋଡ଼ା ଯାଉଥିବାର ଦେଖିବାକୁ ମିଳିଛି। ଏଗୁଡ଼ିକୁ ବ୍ୟବହାର କରାନଯାଇ ବେଆଇନ ଭାବେ ନଷ୍ଟ କରାଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି। ରାଜ୍ୟ ତଥା ଜିଲ୍ଲାରେ କୋଭିଡର ତୃତୀୟ ଲହର ବଢ଼ି ଚାଲିଥିବା ବେଳେ ଏଠାରେ ସମ୍ଭାବ୍ୟ ରୋଗୀଙ୍କ ପରୀକ୍ଷା କରାଯାଉନାହିଁ। କାଗଜକଲମରେ ଲୋକଙ୍କୁ ପଜିଟିଭ୍ କିମ୍ବା ନେଗେଟିଭ୍ ସାର୍ଟିଫିକେଟ୍‌ ଦିଆ ନ ଯାଇ ଏଥିପାଇଁ ଆସୁଥିବା ପରୀକ୍ଷା କିଟ୍‌କୁ ପୋଡ଼ି ଦିଆଯାଉଛି। ଲୁଚାଛପାରେ ଶହଶହ କିଟ୍ ପୋଡ଼ି ଦିଆଯାଉଥିବା ବେଳେ ଏବେ ଏହା  ଲୋକଙ୍କ ନଜରକୁ ଆସିଛି। ମାସ ମାସ ଧରି ଏଠାରେ ଏଭଳି କାରନାମା ଚାଲିଥିବା ଅଭିଯୋଗ ହୋଇଛି।

ଗତ ଅପରାହ୍ନରେ କୋରାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଛରେ ଏହି କରୋନା କିଟ୍ ପୋଡ଼ା ଯାଉଥିବା ଖବର ମିଳିଥିଲା । ଏହାକୁ ନେଇ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଅଭିଯୋଗ ଅନୁଯାୟୀ, କୋରାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା ହେଉନଥିବା କହି ଡାକ୍ତରଖାନା କର୍ତ୍ତୃପକ୍ଷ କିଛିଦିନ ହେଲା ଲୋକଙ୍କୁ ଫେରାଇ ଦେଉଥିଲେ। ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ହସ୍ତକ୍ଷେପ ପରେ ଏଠାରେ କରୋନା ପରୀକ୍ଷା ପାଇଁ ତାରିଖ ପ୍ରକାଶ ପାଇଥିଲା l ଏହାପରେ ରାତିଅଧରୁ ଲୋକମାନେ ଡାକ୍ତରଖାନା ପରିସରରେ ଧାଡ଼ିରେ ବସି ରହୁଥିଲେ l

ଅଭିଯୋଗ ଅନୁଯାୟୀ ଯେବେ ପରୀକ୍ଷା ହୁଏ, ମାତ୍ର କେଇଘଣ୍ଟା ମଧ୍ୟରେ ଟେଷ୍ଟ କିଟ୍ ସରିଯାଉଥିବା କହି ଡାକ୍ତରଖାନା କର୍ତ୍ତୃପକ୍ଷ ଲୋକଙ୍କୁ ଫେରାଇ ଦେଉଥିଲେ । ଅନ୍ୟପକ୍ଷରେ କିଛିଦିନ ହେଲା ବିନା ଟେଷ୍ଟରେ ଲୋକମାନଙ୍କୁ ପରୀକ୍ଷାର ପ୍ରମାଣପତ୍ର ଦିଆଯାଉଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ବଳି ପଡୁଥିବା କିଟ୍‌କୁ ଲୋକଙ୍କ ଦୃଷ୍ଟି ଆଢୁଆଳରେ ପୋଡ଼ି ପାଉଁଶ କରିଦିଆଯାଉଛି।

ତେବେ ମେଡିକାଲ ଅଫିସରଙ୍କ କହିବା ଅନୁଯାୟୀ, ଏହା ଦୃଷ୍ଟିଗୋଚର ହେବା ପରେ ଏହାର ତଦନ୍ତ ଚାଲିଛି । ଯଦି ଅଭିଯୋଗ ସତ ହୋଇଥାଏ ତେବେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

Spread the love