ଅସହାୟ ରୋଗାଗ୍ରସ୍ତକୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷାଙ୍କ ସହାୟତା ପ୍ରଦାନ, ଘର ଯୋଗାଇଦେବାକୁ ପ୍ରତିଶୃତି

ପୁରୁଷୋତ୍ତମପୁର, ୧୨/୦୧: ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ଶିକୁଳା ଗ୍ରାମ ଉପକଣ୍ଠ ଏକ ସରକାରୀ ଜମି ଉପରେ ବସବାସ କରନ୍ତି ଅସହାୟ ରୋଗାକ୍ରାନ୍ତ ଶିବରାମ । ପଲିଥିନ ଘେରା କୁଡ଼ିଆରେ ଦୀର୍ଘ ୧୦ ବର୍ଷ ହେବ ସେ ଜୀବନ ବିତାଉଛନ୍ତି । ବୟସ ତାଙ୍କର ୪୬ । ଏକମାତ୍ର ରୋଜଗାରକ୍ଷମ ଶିବରାମ ନିଜର ଦୁଇଟି ଯାକ କିଡନୀ ହରାଇ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ପରିବାର କହିଲେ ସ୍ତ୍ରୀ ଓ ତିନି ଛୋଟଛୋଟ ଝିଅ । ସ୍ତ୍ରୀ ଝୁନୁ ନାୟକ ସ୍ୱାମୀର ଦେଖାରଖା କରିବାସହ ତାଙ୍କରି ସେବାରେ ସମୟ ବିତାଉଛନ୍ତି । ଏପରିକି ପିଲାମାନଙ୍କ ପାଇଁ ଖାଦ୍ୟ ମଧ୍ୟ ଯୋଗାଡ଼ କରିପାରନ୍ତି ନାହିଁ ।

ଏହିଭଳି ଅବସ୍ଥାରେ ପିଲାମାନଙ୍କ ମୁହଁରୁ ହସ ଲିଭିଯାଇଛି । ସେମାନେ ପାଠପଢ଼ା କଥା ଚିନ୍ତା ନକରି ଖାଦ୍ୟ ଯୋଗାଡ଼ ପାଇଁ ଗ୍ରାମର ସାହି ବାସିନ୍ଦାଙ୍କ ଉପରେ ନିର୍ଭର କରିଥାନ୍ତି। ବାପାଙ୍କ ପାଇଁ ଔଷଧ କିପରି ଆସିବ, ପାଖରେ ଅର୍ଥ ନାହିଁ ଏଥିପାଇଁ ସବୁବେଳେ ଚିନ୍ତା ସେମାନଙ୍କର । ସ୍ଥାନୀୟ ତହସିଲଦାର ନୀତିଶ କୁମାର ତ୍ରିପାଠୀ କିଛି ଦିନ ତଳେ ଖବର ପାଇ ଶିବରାମଙ୍କ କୁଡ଼ିଆରେ ପହଞ୍ଚି କମଳ, ଆସବାବପତ୍ର, ଏକମାସ ନିମନ୍ତେ ଡାଲି ଚାଉଳ ଗ୍ରୋସରି, ପିଲାମାନଙ୍କ ପାଇଁ ଡ୍ରେସ ଓ ସ୍କୁଲ ବ୍ୟାଗ ଦେଇଛନ୍ତି।

ଆଗାମୀ ଦିନରେ ସରକାରଙ୍କ ସହାୟତାରେ ଜାଗା ସହ ଆବାସ ଯୋଜନାରେ ଘରଖଣ୍ଡେ ମଧ୍ୟ କରାଯିବା ପାଇଁ ପ୍ରତିଶୃତି ଦେଇଛନ୍ତି। ତହସିଲଦାରଙ୍କ ଏପରି ମହତ୍ କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଥିବା ବେଳେ ସେବଠାରୁ ପୁରୁଷୋତ୍ତମପୁର ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଛାତ୍ରଛାତ୍ରୀ ସ୍ୱଚ୍ଛାସେବୀ ଶିବରାମକୁ ଅର୍ଥ ସହିତ ପ୍ରତିଦିନ ଚଳିବାର କିଛି ସାମଗ୍ରୀ ପିଲାମାନଙ୍କ ପାଠ ପଢିବା ପାଇଁ ବହି ପତ୍ର ସାହାଯ୍ୟ କାରିଥାନ୍ତି l

ସେହିପରି ଆଜି ଗଞ୍ଜାମ ଜିଲ୍ଲା ପରିଷଦ ଉପାଧ୍ୟାକ୍ଷା ସ୍ନେହଲତା ପଣ୍ଡା ଶିକୁଳା ସ୍ଥିତ ଶିବରାମ ପାଖକୁ ଯାଇ ସାହାଯ୍ୟର ହାତ ବଢାଇବା ସହିତ ଜିଲ୍ଲାପ୍ରଶାସନ ଅଧିକାରୀଙ୍କ ଠାରେ ଶିବରାମର ଚିକିତ୍ସା ଖର୍ଚ୍ଚ ପରିବାର ଚଳଣି ଓ ପିଲାମାନଙ୍କ ପାଠ ପଢ଼ା ପାଇଁ ସରକାରୀ ସାହାଯ୍ୟ ପ୍ରଦାନ କରୁବା ନିମନ୍ତେ ପ୍ରଶାସନିକ ଅଧିକାରଙ୍କ ସହ ଆଲୋଚନା କରିବା ନେଇ ପ୍ରତିଶୃତି ଦେଇଛନ୍ତି ।

Spread the love