ଚାଖି ଖୁଣ୍ଟିଆଙ୍କ ୨୦୦ତମ ଜୟନ୍ତୀ ପାଳିତ, ସଂଗ୍ରାମୀଙ୍କ ତ୍ୟାଗ ଓ ନିଷ୍ଠା ସଂପର୍କରେ ଆଲୋକପାତ କଲେ ଅତିଥି

ପୁରୀ, ୧୨।୦୧: ସ୍ବାଧିନତା ସଂଗ୍ରାମୀ ଚନ୍ଦନ ହଜୁରୀ ତଥା ଚାଖି ଖୁଣ୍ଟିଆଙ୍କ ୨୦୦ତମ ଜୟନ୍ତୀ ଆଜି ପାଳିତ ହୋଇଛି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଏବଂ ଚାଖି ଖୁଣ୍ଟିଆ ସ୍ମୃତି ସଂସଦର ମିଳିତ ଉଦ୍ୟମରେ କୋଭିଡ କଟକଣା ମଧ୍ୟରେ ଏହା ପାଳିତ ହୋଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା ମୁଖ୍ୟ ଅତିଥି ଏବଂ ଉପ ଜିଲ୍ଲାପାଳ ଭବତାରଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ପିକେଡିଏ କାର୍ଯ୍ୟାଳୟ ପରିସରରେ ଥିବା ଚାଖି ଖୁଣ୍ଟିଆଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଏହି ବିପ୍ଲବୀଙ୍କ ସ୍ମୃତି ଚାରଣ କରିଥିଲେ ।

ଏହି ମହାନ ସଂଗ୍ରାମୀଙ୍କ ତ୍ୟାଗ ଓ ନିଷ୍ଠା ସଂପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । ୧୮୫୭ ମସିହାରେ ଇଂରେଜ ବିରୁଦ୍ଧ ସଂଗ୍ରାମରେ ଯୋଗଦେଇ ବିପ୍ଲବର ବହ୍ନିକୁ ପ୍ରଜ୍ଜଳିତ କରିଥିଲେ । ସେ ଏକଧାରରେ ଜଣେ କବି, ସମାଜ ସଂସ୍କାରକ ଓ ସଂଗୀତଜ୍ଞ ଭାବେ ମଧ୍ୟ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଚନ୍ଦନ ହଜୁରୀଙ୍କ ଦେଶପ୍ରେମର ପଟ୍ଟାନ୍ତର ନାହିଁ ଏବଂ ଏହି ମହାନ ସଂଗ୍ରାମୀ ଚିରସ୍ମରଣୀୟ ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଚାଖି ଖୁଣ୍ଟିଆଙ୍କ ଉତ୍ତରାଧିକାରୀଙ୍କ ମଧ୍ୟରୁ ଶ୍ରୀ ଭୀମସେନ ଖୁଣ୍ଟିଆ ଏବଂ ଅନ୍ୟ ପରିବାର ବର୍ଗ, ଚାଖି ଖୁଣ୍ଟିଆ ସ୍ମୃତି ସଂସଦର ସଂପାଦକ ଶ୍ରୀ ଧୃବ ଚରଣ କର, ଉପ ସଭାପତି ଶ୍ରୀ ମାୟାଧର ମହାରଣା, କୋଷାଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ଶ୍ରୀ ରାଧାକାନ୍ତ ଦାଶ, ଶ୍ରୀ ଶରତ ଜୟସିଂ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ଶ୍ରୀ ସୌମେନ୍ଦ୍ର ଦାସ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love