ଉପକୂଳ ସମେତ ୫ ଜିଲ୍ଲାରେ ଛେଚିବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ବର୍ଷା ଜାରି ରହିବ ।   ଆଜି ଉପକୂଳ ସମେତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ରାୟଗଡ଼ା ଓ କୋରାପୁଟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଶନିବାର ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆଶଙ୍କା ବି ରହିଛି ।

ବୁଧବାର ରାତି ଓ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଯାଜପୁର ଜିଲ୍ଲା ବଡ଼ଚଣାରେ ସର୍ବାଧିକ ୭୦ ମିଲିମିଟର ବର୍ଷା ହୋଇଛି । ବୁଧବାର ରାତିରୁ ଗୁରୁବାର ସକାଳ ସାଢ଼େ ୮ଟା ସୁଦ୍ଧା ଯାଜପୁର ଜିଲ୍ଲାରେ ହାରାହାରି ୧୯.୬, ଭଦ୍ରକରେ ୧୮.୧, ନବରଙ୍ଗପୁରରେ ୧୫.୫, କଟକରେ ୧୪.୨, ରାୟଗଡ଼ାରେ ୧୩, ଗଜପତିରେ ୧୨.୨, କନ୍ଧମାଳରେ ୧୧.୫, ନୂଆପଡ଼ାରେ ୧୧.୩ ମିଲିମିଟର ବର୍ଷା ହୋଇଛି ।

ସେହିଭଳି ତାଳଚେରରେ ୨୩ ମିମି, ଭଦ୍ରକରେ ୨୬, ଧାମନଗରରେ ୨୫, ଭଣ୍ଡାରୀପୋଖରୀରେ ୨୨, ବେଲପଡ଼ାରେ ୨୬, ନରସିଂହପୁରରେ ୩୫, କଟକ ସଦରରେ ୩୩, ମାଲକାନଗିରିରେ ୩୦ମିଲିମିଟର ବର୍ଷା ହୋଇଛି । ଗୁରୁବାର ସକାଳ ୮ଟାରୁ ଅପରାହ୍‌ଣ ଯାଏ ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇଛି। ଭବାନୀପାଟଣାରେ ୫.୬ ମିମି ଓ ଟିଟିଲାଗଡ଼ରେ ୩.୨ ମିମି ବର୍ଷା ହୋଇଛି ।

ଶନିବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିଭଳି ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାରେ କୁହୁଡ଼ି ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Spread the love