କୋଟିଏ ଟଙ୍କାର ଗଞ୍ଜେଇ ଜବତ : ଜଣେ ଗିରଫ

ବ୍ରହ୍ମପୁର ୧୫।୧: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ପୁଣି ଚଢାଉ ।  ଶନିବାର ଭୋରୁ ସକାଳୁ ଲାଞ୍ଜିପଲ୍ଲୀ ନିକଟ ଏକ ପରିତ୍ୟକ୍ତ ଘରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଗଜପତି ଅଞ୍ଚଳରୁ ବାହାର ରାଜ୍ୟକୁ ଚାଲାଣ ହେବା ନେଇ ଗଚ୍ଛିତ ରଖାଯାଇଥିବା ବେଳେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ କାବୁ କରିଥିବା ସୂଚନା ମିଳିଛି । ୧୦ କ୍ବିଣ୍ଟାଲ ଗଞ୍ଜେଇର ଆନୁମାନିକ ମୂଲ୍ୟ ଏକ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ରାଜ୍ୟ ଅବକାରୀ ବିଭାଗ କମିଶନର ଆଶିଷ କୁମାର ସିଂ ଓ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ।

ଗଞ୍ଜେଇ ଚାଲାଣ ହେବ ନେଇ ଖବର ମିଳିବା ପରେ ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ରାଜେନ୍ଦ୍ର ଭାତ୍ରାଙ୍କ ନିର୍ଦ୍ଦେଶକ୍ରମେ ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତଙ୍କ ନେତୃତ୍ବରେ ବିଭାଗର ଏକ ଟିମ୍ ଶନିବାର ଭୋରରୁ ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟ  ୧୦ ଲାଇନ ଠାରେ ଏକ ପରିତ୍ୟକ୍ତ ଘରୁ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଘଟଣାସ୍ଥଳରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିବା ଅବକାରୀ ଗୁଇନ୍ଦା ବିଭାଗ କହିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ମୋହନା ଅଡ଼ବା ଅଞ୍ଚଳର ଜିତେନ୍ଦ୍ର ଉଠାଣ ସିଂ । ଏଥିରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ ଆରମ୍ଭ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ।

ଗତ ଏକ ସପ୍ତାହ ମଧ୍ୟରେ ଫାଷ୍ଟ ଗେଟ୍ ନିକଟରୁ ୪୫ ଲକ୍ଷ  ଅର୍ଥାତ ୫୦୦ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଗଞ୍ଜାମରୁ ପୁରୀ ଜିଲ୍ଲାକୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା ୨ ଗଞ୍ଜେଇ ମାଫିଆଙ୍କୁ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରି ସେମାନଙ୍କଠାରୁ ମୋଟ୍ ୨୫ ଲକ୍ଷ ୭୫ ହଜାର ଅର୍ଥାତ ୩୧୫ କେଜି ଗଞ୍ଜେଇ ଜବତ କରିଥିଲା । ତେବେ ଏକ ସପ୍ତାହ ମଧ୍ୟରେ ବ୍ରହ୍ମପୁର ଅବକାରୀ ବିଭାଗ ଏକ କୋଟି ୭୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ କରିଥିବା ଜଣାପଡ଼ିଛି ।

ଚଢାଉରେ ଡେପୁଟି କମିଶନର ରାଜେନ୍ଦ୍ର ଭାତ୍ରା, ଇନ୍ସପେକ୍ଟର ହୃଦୟଚନ୍ଦ୍ର ସାମନ୍ତଙ୍କ ସମେତ ସୁପରିଟେଣ୍ଡେଣ୍ଟ ଏକ୍ସସାଇଜ ୟୁନିଟି ବ୍ରହ୍ମପୁର କୁବେର ସେଠୀ, ତରୁଣ କୁମାର ପାତ୍ର, ବସନ୍ତ କୁମାର ବାରିକ, ବଳରାମ ଜେନା, କପିଳାଶ ଭତ୍ରା, ସନ୍ତୋଷ କୁମାର ମହାକୁଡ, ବିବେକାନନ୍ଦ ଖେତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love