ଏମ୍‌ଭି ଯାଞ୍ଚ ବେଳେ ବ୍ରାଉନ ସୁଗାର ଜବତ, ଭଦ୍ରକରୁ ପାଣିକୋଇଲି ହେଉଥିଲା ଚାଲାଣ, ୩ ଗିରଫ

ଭଦ୍ରକ ୧୫/୦୧: ଜାତୀୟ ରାଜପଥରେ ବାଇକ ଯୋଗେ ଚାଲାଣ ହେଉଥିଲା ବ୍ରାଉନସୁଗାର । ଏମଭି ଚେକିଂ ସମୟରେ ମାଡିବସିଲା ପୋଲିସ । ଯାଞ୍ଚବେଳେ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ।

ସୂଚନାଯୋଗ୍ୟ ଯେ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଆରଡ଼ି ଛକ ନିକଟରେ ଏମଭି ଚେକିଂ ହେଉଥିବା ସମୟରେ ସନ୍ଦେହ ଜନକ ଅବସ୍ଥାରେ ଏକ ବାଇକକୁ ଅଟକାଇଥିଲା ପୋଲିସ । ଯାଞ୍ଚବେଳେ ସେମାନଙ୍କ ନିକଟରୁ ୧୭ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା । ବ୍ରାଉନ ସୁଗାର ଭଦ୍ରକରୁ ପାଣିକୋଇଲି ନେଉଥିବା ନେଇ ଅଭିଯୁକ୍ତମାନେ ପୋଲିସ ଆଗରେ ସ୍ବୀକାର କରିଥିଲେ । ତେବେ ଗିରଫ ୩ ଅଭିଯୁକ୍ତ ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନ ବଡମଙ୍ଗଳପୁରର ଚନ୍ଦନ ମଲ୍ଲିକ ଓ ସୟଦ ଅଜଲ ଅହମ୍ମଦ ଏବଂ ଭଦ୍ରକ ଗ୍ରାମାଞ୍ଚଳ ଥାନା ସମରାଇପୁର ଅଂଚଳର ମୁକୁନ୍ଦ ମୁରାରୀ ଦାସ । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଏ ନେଇ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି ।

Spread the love