ଜାନୁଆରୀ ୨୨ ଯାଏଁ ରାଲି ଓ ଶୋଭାଯାତ୍ରା କରି ପାରିବେନି ରାଜନୈତିକ ଦଳ, ଇସିଆଇଙ୍କ ନୂତନ ଆଦେଶ

ନୂଆଦିଲ୍ଲୀ ୧୫।୦୧: ଜାନୁଆରୀ ୨୨ ଯାଏଁ ରାଲି ଓ ଶୋଭାଯାତ୍ରା କରି ପାରିବେନି ରାଜନୈତିକ ଦଳ। ପାଞ୍ଚ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ରାଜନୈତିକ ରାଲି ଉପରେ ଲାଗିଥିବା କଟକଣା ଅବଧିକୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ତେବେ ଏହି ସମୟରେ ରାଜନୈତିକ ପାର୍ଟିକୁ କେବଳ ଭର୍ଚୁଆଲ ରାଲି କରିବାକୁ ଅନୁମତି ଦିଆଯାଇଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ ଆୟୋଗ ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ସାର୍ବଜନୀନ ରାଲି, ରୋଡ୍ ଶୋ ଏବଂ ବାଇକ ରାଲି ସମେତ ଅନେକ ନିର୍ବାଚନ ସମ୍ବନ୍ଧିତ କାମ ଉପରେ ଜାନୁଆରୀ ୧୫ ପର୍ଯ୍ୟନ୍ତ କଟକଣା ଲଗାଇଥିଲେ।

ଏଥିସହ ନିର୍ବାଚନ ଆୟୋଗ ରାଜନୈତିକ ଦଳଗୁଡିକକୁ ସର୍ବାଧିକ ୩୦୦ ବ୍ୟକ୍ତି କିମ୍ଵା ହଲ୍‌ର କ୍ଷମତାର ୫୦ ପ୍ରତିଶତ ଲୋକଙ୍କ ସହିତ ଇନଡୋର ବୈଠକ କରିବାକୁ ଅନୁମତି ଦେଇଛନ୍ତି। ଏହା ବ୍ୟତୀତ ମୋଡେଲ୍ କୋଡ୍ ଅଫ କଣ୍ଡକ୍ଟର(ଏମସିସି) ନିୟମ ଏବଂ କୋଭିଡ୍ ଗାଇଡ୍‌ଲାଇନ୍‌ ପାଳନ କରିବାକୁ ରାଜନୈତିକ ଦଳ ଗୁଡିକୁ ଇସିଆଇ ନିର୍ଦ୍ଦେଶ ଦେଇଛନ୍ତି। ଇସିଆଇ ରାଜ୍ୟ/ଜିଲ୍ଲା ପ୍ରଶାସନକୁ ଏମସସି ଏବଂ କୋଭିଡ୍ ଗାଇଡ୍‌ର ଅନୁପାଳନ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ପୂର୍ବରୁ ଉତ୍ତର  ପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁତରରେ ନିର୍ବାଚନ ତାରିଖ ଘୋଷଣା ସମୟରେ ଆୟୋଗ ମହାମାରୀକୁ ଦୃଷ୍ଟିର ରଖି ଜାନୁଆରୀ ୧୫ ଯାଏଁ ରାଲି ଏବଂ ଜନସଭା ଉପରେ ରୋକ୍ ଲଗାଇଥିଲେ। ଆୟୋଗ ଏହି ରାଜ୍ୟଗୁଡିକରେ କ୍ୟାମ୍ପେନକୁ ନେଇ ମାର୍ଗଦର୍ଶିକା ଜାରି କରିଥିଲେ। ଏଥିରେ ଜନସଭା ଉପରେ ମଧ୍ୟ କଟକଣା ଲଗାଯାଇଥିଲା। ୫ ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ୍ କରିବାକୁ ନିୟମ ପ୍ରଣୟନ ହୋଇଛି। କେବଳ ଏତିକି ନୁହେଁ ଭୋଟ୍ ଫଳାଫଳ ପରେ ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ ରୋକ୍ ଲଗାଯାଇଥିଲା।

Spread the love