ସରପଞ୍ଚ ପ୍ରାର୍ଥୀ ହେବାକୁ ସମସ୍ତେ ହାଇପାଇଁ, ହେଲେ ଜିଲ୍ଲା ପରିଷଦ ପାଇଁ ମିଳୁ ନାହାନ୍ତି ପ୍ରାର୍ଥୀ, ଟିକେଟ୍ ଦେଲେବି ନେଉ ନାହାନ୍ତି

ଭୁବନେଶ୍ଵର ୧୫।୦୧: ଏଥର ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ହେବାକୁ ସମସ୍ତେ ହାଇପାଇଁ । ହେଲେ ଜିଲ୍ଲା ପରିଷଦ ପାଇଁ ମିଳୁନାହାନ୍ତି ପ୍ରାର୍ଥୀ । ପାର୍ଟି ଟିକେଟ ଦେଲେ ବି ନେତା.କର୍ମୀଙ୍କ ଭିତରେ ଆଗ୍ରହ ନାହିଁ । କିନ୍ତୁ ସରପଞ୍ଚ ପ୍ରାର୍ଥୀ ହେବାକୁ ପ୍ରତି ପଞ୍ଚାୟତରେ ଲୋକ ବାଡିଆ ପିଟା ହେଉଛନ୍ତି ।କାରଣ ସରପଞ୍ଚ ହେଲେ ହାତରେ ପାଓ୍ବାର ଅଛି ଆଉ କାମ ବି ଅଛି। ସେହି ଜାଗାରେ ଜିଲ୍ଲା ପରିଷଦ ହେଲେ କେବଳ ଦଳୀୟ ଚିହ୍ନ ସିନା ମିଳିବ ହେଲେ ଫାଇଦା ନାହିଁ ।

ଫାଇଦା ଯେଉଁଠି ନେତା ସେଇଠି । ସରପଞ୍ଚ ହେବାକୁ ପ୍ରାର୍ଥୀ ମାଳମାଳ । ଜିଲ୍ଲା ପରିଷଦ ପାଇଁ ଖୋଜା ପଡ଼ିଛି ପ୍ରାର୍ଥୀ । ଏଥର ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନକୁ ନେଇ ସବୁ ଦଳ ଟେନସନରେ ଥିବା ବେଳେ ଖାସ କରି ଜିଲ୍ଲା ପରିଷଦ ଆସନ ପାଇଁ ମିଳୁନାହାନ୍ତି ପ୍ରାର୍ଥୀ । ଗୋଟିଏ ଗୋଟିଏ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ପାଇଁ ୧୦ରୁ ଅଧିକ ଆଶାୟୀ ଲବି କରୁଥିବା ବେଳେ ଜିଲ୍ଲା ପରିଷଦ ଟିକେଟ୍  ଯାଚିଲେ ବି ପ୍ରାର୍ଥୀ ହେବାକୁ ଆଗ୍ରହ ନାହିଁ । ଅବସ୍ଥା ଏମିତି ହୋଇଛି ଯେ, ଯାଜପୁର ଜିଲ୍ଲାରେ କଂଗ୍ରେସ ଦଳକୁ ଖବର କାଗଜରେ ବିଜ୍ଞାପନ ଦେବାକୁ ପଡ଼ିଛି । ଦେଖନ୍ତୁ, କେମିତି ବିଜ୍ଞାପନ ମାଧ୍ୟମରେ ପ୍ରାର୍ଥୀ ଖୋଜୁଛି କଂଗ୍ରେସ ଦଳ ।

ସରପଞ୍ଚ ହେଲେ ପଞ୍ଚାୟତରେ ବର୍ଷକୁ କୋଟିଏ ଟଙ୍କାର କାମ ମିଳିବ । ପ୍ରଧାନମନ୍ତ୍ରୀ ଆବାସ ଠାରୁ ଆରମ୍ଭ କରି ବିଜୁ ପକ୍କା ଘର ପର୍ଯ୍ୟନ୍ତ ସବୁ ବାଣ୍ଟିବାର ସୁଯୋଗ ମିଳିବ । ପୁଣି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନେକ ଯୋଜନାରେ ବି ମିଳିବ କାମ । ଏସବୁ କାମ ସିଧାସଳଖ ପଞ୍ଚାୟତ ଅଫିସରୁ ହ୍ୟାଣ୍ଡେଲ୍ କରିବେ ସରପଞ୍ଚ । ତେଣୁ ଏବେ ସରପଞ୍ଚ ହେବାକୁ ଅଧିକାଂଶ ନେତା କର୍ମୀ ହାଇପାଇଁ ହେଉଛନ୍ତି । ସେଇ ଜାଗାରେ ଜିଲ୍ଲା ପରିଷଦ ସଭ୍ୟ ହେଲେ ଫାଇଦା ନାହିଁ । ନା’ ହାତରେ କାମ ଅଛି , ନା ଟଙ୍କା କି ପାଓ୍ବାର ଅଛି ।

ଜିଲ୍ଲାପରିଷଦ ସଭ୍ୟ ହେଲେ କିଛି ଫାଇଦା ନାହିଁ।  କାମ ଅଛି , ନା ଟଙ୍କା ଅଛି ନା ପାଓ୍ବାର ଅଛି। ସେଥିପାଇଁ ଜିଲ୍ଲା ପରିଷଦ ସଭ୍ୟ ହେବାକୁ କାହାରି ଆଗ୍ରହ ନାହିଁ ।

ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ନିର୍ଦ୍ଦଳୀୟ ହୋଇଥିବା ବେଳେ ଜିଲ୍ଲା ପରିଷଦ ପ୍ରାର୍ଥୀ ଦଳୀୟ ଚିହ୍ନରେ ଲଢ଼ିବେ । ନିର୍ଦ୍ଦଳୀୟ ହେଲେ ବି ସରପଞ୍ଚ ପ୍ରାର୍ଥୀଙ୍କୁ ପରୋକ୍ଷ ଭାବେ ବିଭିନ୍ନ ରାଜନୈତିକ ଦଳଙ୍କ ସମର୍ଥନ ଥାଏ । ସେକଥା କାହାକୁ ଅଛପା ନାହିଁ । ତେବେ ହାତରେ ସମୟ କମ୍ ଥିବାରୁ ଏବେ ସବୁ ଦଳ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ଖୋଜା ମୁଖ୍ୟ ଚାଲେଂଜ୍ ହୋଇଛି ।

Spread the love