ଏକ୍ସପର୍ଟଙ୍କ ଚେତାବନୀ, QR କୋଡ୍ କରୁଛି କାଙ୍ଗାଳ ! ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ

ନୂଆଦିଲ୍ଲୀ ୧୫।୦୧: ମହାମାରୀ କାରଣରୁ ଏବେ ପ୍ରତିଟି ଲୋକ ଡିଜିଟାଲ ପେମେଣ୍ଟକୁ ପ୍ରାଥମିକତା ଦେଉଛନ୍ତି। ଯଦି ଆପଣ QR କୋଡ୍‌ ସ୍କାନ କରି ଟଙ୍କା ପୈଠ କରୁଛନ୍ତି, ତେବେ ଆପଣଙ୍କୁ ଏହି ସମୟରେ ସତର୍କ ରହିବାର ଆବଶ୍ୟକତା ରହିଛି। କାରଣ ଆପଣ କୌଣସି ସମୟରେ ହ୍ୟାକର୍ସଙ୍କ ଟାର୍ଗେଟ୍‌ରେ ଆସି ପାରନ୍ତି। ବିଶେଷଜ୍ଞ ଚେତାବନୀ ଦେଇଛନ୍ତି ଯେ, ଧୋକାବାଜ ସଂପ୍ରତି ଲୋକଙ୍କୁ ଠକିବା ପାଇଁ QR କୋଡ୍‌ର ଉପଯୋଗ ନିଜର ନୂତନ ଚାଲ୍ ଭାବେ ବ୍ୟବହାର କରୁଛନ୍ତି।

ମହାମାରୀ ପରଠୁ QR କୋଡ୍‌ ସାଧାରଣ କଥାରେ ପରିଣତ ହୋଇଛି। ମାତ୍ର ଠକମାନେ ଏହାକୁ ମାଧ୍ୟମ କରି ଲୋକଙ୍କ ପକେଟ୍ ଶୂନ କରିବାକୁ ଚେଷ୍ଟା ଚଳାଇଛନ୍ତି। ତାଙ୍କର ନୂତନ ଚାଲ୍‌ ଏକ QR କୋଡ୍ ବିଶିଷ୍ଟ ଫିଶିଂ ଇମେଲ୍ ଭାବେ ସାମ୍ନାକୁ ଆସିଛି। ଏହାକୁ ସ୍କାନ କଲେ ଆପଣଙ୍କ ଫୋନ୍ ମେଲଓ୍ଵେରରେ ସଂକ୍ରମିତ ହେବ ନାହିଁ। କିନ୍ତୁ ଏହା ଜରିଆରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ସବିଶେଷ ତଥ୍ୟ ଏବଂ ବ୍ୟକ୍ତିଗତ ତଥ୍ୟ ହ୍ୟାକରଙ୍କ ପାଖକୁ ଚାଲିଯିବ। ସିଏନଇଟି ନିଜର ରିପୋର୍ଟରେ ଏହି ସସମ୍ୟା ଦ୍ରୁତ ଗତିରେ ବଢୁଥିବା କହିଛି।

ଲୋକେ ଜାଲରେ ଏଥିପାଇଁ ଫସି ଯାଆନ୍ତି, କାରଣ ସେମାନଙ୍କୁ ଏହି ପରି ଧୋକାବାଜ ଲିଙ୍କ୍ ଦେଖିବାକୁ ମିଳେ ନାହିଁ, ଯାହା ତାଙ୍କ ସାମ୍ନାରେ ଏକ QR କୋଡ୍ ଭାବେ ରହିଥାଏ। ଏହା ସୁରକ୍ଷା ବିଶେଷଜ୍ଞଙ୍କ ପାଇଁ ମଧ୍ୟ ବଡ ଚ୍ୟାଲେଞ୍ଜ। କାରଣ ଏଥିରେ ହ୍ୟାକର୍ସଙ୍କ ଉପରେ ନଜର ରଖିବା ମୁସ୍କିଲ ହୋଇଯାଏ।

ଏଫ୫ର ସାଇବର ସୁରକ୍ଷା ବିଶେଷଜ୍ଞ ଆଞ୍ଜେଲ ଗ୍ରାଣ୍ଟ କହିଛନ୍ତି, ଯେବେ ବି ନୂତନ ଜ୍ଞାନ କୌଶଳ ସାମ୍ନାକୁ ଆସେ, ସାଇବର ଅପରାଧୀ ଏହାର ଫାଇଦା ଉଠାଇବା ପାଇଁ  ବିଭିନ୍ନ କୌଶଳ ଖୋଜିବାକୁ  ଉଦ୍ୟମ କରିଥାନ୍ତି। କାରଣ ଲୋକଙ୍କ ସହିତ ହେରଫେର କରିବା ସହଜ ହୋଇଯାଏ। ସାଧାରଣ ଲୋକେ ମଧ୍ୟ ଏହାକୁ ବୁଝିବା ମୁସ୍କିଲ।

ବିଶେଷଜ୍ଞ QR କୋଡ୍ ସ୍କାନ କରିବା ସମୟରେ ସାବଧାନ ରହିବାକୁ କହିଛନ୍ତି। ମନରେ କିଛି ସନ୍ଦେହ ହେଲେ ତୁରନ୍ତ ଏଥିରୁ ନିବୃତ୍ତ ରହିବାକୁ ବିଶେଷଜ୍ଞ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।

Spread the love