ପଞ୍ଚାୟତ ନିର୍ବାଚନରେ କେଉଁ ଦଳ ସପକ୍ଷରେ ଯିବ ମହିଳାଙ୍କ ଭୋଟ୍ ? ଚାଲିଛି ଅଙ୍କ କଷା, ଆଗରେ ବିଜେଡି

ଭୁବନେଶ୍ଵର ୧୬।୦୧: ପଞ୍ଚାୟତ ନିର୍ବାଚନରେ କେଉଁ ଦଳ ସପକ୍ଷରେ ମହିଳାଙ୍କ ଭୋଟ ଯିବ ।  ତାକୁ ନେଇ ଆରମ୍ଭ ହୋଇଗଲାଣି କସରତ । ରାଜ୍ୟରେ ମୋଟ ଭୋଟ ସଂଖ୍ୟାର ୫୦ ପ୍ରତିଶତ ମହିଳା ଭୋଟର ଥିବାରୁ ମହିଳାଙ୍କ ଭୋଟ ଚଳିତ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ତେବେ  ମହିଳା  ଭୋଟ ହାତେଇବା ପାଇଁ ଆଗରେ ରହିଛି ବିଜେଡି । ୭୦ ଲକ୍ଷ ମହିଳାଙ୍କୁ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ସଶକ୍ତ କରିଛନ୍ତି ନବୀନ ପଟ୍ଟନାୟକ । ଏହାର ଫାଇଦା ସିଧାସଳକ ଶାସକ ଦଳ ସପକ୍ଷରେ ଯିବ ବୋଲି ବିଜେଡି କହିଛି। ସେପଟେ ବିଜେପି ଓ କଂଗ୍ରେସ  ରାଜ୍ୟରେ ନାରୀ ନିର୍ଯାତନାକୁ ପ୍ରମୁଖ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯାଇ ଭୋଟ ମାଗିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । 

ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ଭୋଟ୍ କାହା ପାଖକୁ ଯିବ ? କେଉଁ ଦଳ ହାତେଇବ ମହିଳାଙ୍କ ସମର୍ଥନ ? ଚାଲିଛି ଅଙ୍କ କଷା । ରାଜ୍ୟ ରାଜନୀତିରେ ମହିଳାଙ୍କ ଭୋଟ୍ ବେଶ ଗୁରୁତ୍ବପୂର୍ଣ୍ଣ । ମହିଳା ଭୋଟ ଯେଉଁ ଦଳ ସପକ୍ଷରେ ଯାଏ ସେହି ଦଳ ବିଜୟୀ ହୋଇଥିବା ନଜିର ରହିଛି । ରାଜ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ପାଖାପାଖି ୫୦ ପ୍ରତିଶତ । ଆଉ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦ ପ୍ରତିଶତ ସଂରକ୍ଷଣ ବି ମହିଳାଙ୍କ ପାଇଁ ରହିଛି ।  ତେଣୁ  ମହିଳା ଭୋଟରଙ୍କୁ ହାତ ଛଡା କରିବାକୁ କୌଣସି ଦଳ ଚାହୁଁନାହାନ୍ତି । ତେବେ ମହିଳା  ଭୋଟ ହାତେଇବା ପାଇଁ ଆଗରେ ରହିଛି ବିଜେଡି । ରାଜ୍ୟରେ ପାଖାପାଖି ୭ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଅଛନ୍ତି । ୭୦ ଲକ୍ଷ ମହିଳାଙ୍କୁ ଆର୍ଥିକ ଓ ସାମାଜିକ ଦୃଷ୍ଟିରୁ ସଶକ୍ତ କରିବା ଲାଗି ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ଆଉ  ଏହାର ଫାଇଦା ସିଧାସଳଖ ଶାସକ ଦଳ ସପକ୍ଷରେ ଯିବ ବୋଲି ବିଜେଡି କହିଛି ।

ରାଜ୍ୟ ବିଜେପି  ମଧ୍ୟ ମହିଳାଙ୍କୁ ଗୁରୁତ୍ବ ଦେଇ ବିଭିନ୍ନ ପଦପଦବୀ ପ୍ରଦାନ କରିଛି । ବିଜେଡି  କେବଳ ଜିଦି ବାଦରେ ମହିଳାଙ୍କୁ  ସାଂସଦ,  ବିଧାୟକ କରି ପଠାଉଛି । ହେଲେ କେତେଜଣ ମହିଳା ସାଂସଦ ଓଡ଼ିଶାର ସମସ୍ୟା ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ରାଜ୍ୟର ବିଭିନ୍ନ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ବିଜେପି ଲୋକଙ୍କ ପାଖକୁ ଯିବ ବୋଲି ଦଳ କହିଛି ।  ସେପଟେ କଂଗ୍ରେସ କହି ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧି ଜଣେ ମହିଳା ହୋଇଥିବାରୁ ମହିଳା ମାନଙ୍କ ସମର୍ଥନ ଦଳ ପ୍ରତି ରହିଛି । 

ରାଜ୍ୟର ୨ କୋଟି ୭୮ ଲକ୍ଷ ୩୯ ହଜାର ୪୫୧ ଭୋଟରଙ୍କୁ ମଧ୍ୟରୁ ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୩୬ହଜାର ୮୭୯ ।  ତେବେ କେଉଁ ଦଳ ମହିଳାଙ୍କ ଭୋଟ ହାତେଇବାରେ ସକ୍ଷମ ହେଉଛି ତାହା ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ହିଁ ଜଣାପଡିବ ।

Spread the love