ଆଜିଠୁ ଚିଲିକାରେ ପକ୍ଷୀ ଗଣନା

ଓଡ଼ିଶାରେ ବିଦେଶୀ ପକ୍ଷୀ। ଚିଲିକାରୁ ଆରମ୍ଭ କରି ଭିତରକନିକା ପର୍ଯ୍ୟନ୍ତ ଏବେ ସବୁଠି ଅତିଥି ପକ୍ଷୀଙ୍କ ଭିଡ଼ ଜମିଥିବାରୁ ଗୁରୁବାରଠାରୁ ବନ୍ୟପ୍ରାଣୀ ଡିଭିଜନ୍‌ଗୁଡ଼ିକରେ ପକ୍ଷୀ ଗଣନା ଆରମ୍ଭ ହେବ। ଏଥିପାଇଁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ପକ୍ଷୀ ବିଶେଷଜ୍ଞଙ୍କ ସମେତ ବନ ବିଭାଗ ଅଧିକାରୀମାନେ ଏଥିରେ ସାମିଲ ହୋଇଛନ୍ତି। ସେମାନେ ସକାଳୁ ସନ୍ଧ୍ୟା ମଧ୍ୟରେ ପକ୍ଷୀ ଗଣନା କରି ରିପୋର୍ଟ ଦାଖଲ କରିବେ। ଗଣନା ପାଇଁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା କ୍ୟାମ୍ପ କରାଯାଇଥିବା ପିସିସିଏଫ୍‌(ବନ୍ୟପ୍ରାଣୀ) ସନ୍ଦୀପ ତ୍ରିପାଠୀ କହିଛନ୍ତି। ଜାନୁଆରି 3 ଅର୍ଥାତ୍‌ ଗୁରୁବାର ନନ୍ଦନକାନନ ସମେତ ଅନ୍ୟାନ୍ୟ ଡିଭିଜନ୍‌ଗୁଡ଼ିକରେ ପକ୍ଷୀ ଗଣନା ହେବ। 4 ତାରିଖରେ ଚିଲିକା, 6 ତାରିଖରେ ଭିତରକନିକା ଓ ହୀରାକୁଦ, 9 ତାରିଖରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ପକ୍ଷୀ ଗଣନା କରାଯିବ। ଭୋର 6ଟାରୁ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଶେଷ ହେବ। ଏହାପରେ ଡିଏଫ୍‌ଓମାନେ ବନ ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବେ।

ଚଳିତବର୍ଷ ଚିଲିକା ପକ୍ଷୀ ଗଣନା ଉପରେ ସମସ୍ତଙ୍କ ନଜର ରହିଛି। ଗତବର୍ଷ ପାଗ ଅନୁକୂଳ ଥିବାରୁ ଚିଲିକାରେ ଅତିଥି ପକ୍ଷୀଙ୍କ ସଂଖ୍ୟା ବଢ଼ିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଫଳପ୍ରଦ ହୋଇ ନଥିଲା। 2017 ଗଣନା ବେଳେ 9 ଲକ୍ଷ 37 ହଜାର 420 ପକ୍ଷୀ ଆସିଥିବା ବେଳେ 2018ରେ 97 ପ୍ରଜାତିର 8 ଲକ୍ଷ 93 ହଜାର 390 ପକ୍ଷୀ ଆସିଥିଲେ। ଏଥର ପକ୍ଷୀଙ୍କ ଆଗମନ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଚିଲିକାର ପାରିକୁଦ, ନଳବଣ, ବାଲୁଗାଁ, ସାତପଡ଼ା, ଟାଙ୍ଗୀ ଆଦି ଅଞ୍ଚଳ ଏଥର ନଜରରେ ରହିଛି। ପକ୍ଷୀଙ୍କ ସୁରକ୍ଷା ପାଇଁ 15 ଦିନ ପୂର୍ବରୁ ଚିଲିକା ଚାରିପାଖରେ ଯନ୍ତ୍ରଚାଳିତ ଡଙ୍ଗାକୁ ନିଷିଦ୍ଧ କରାଯାଇଛି। ପକ୍ଷୀ ଗଣନା କାର୍ଯ୍ୟରେ 35ଟି ଟିମ୍‌ ସାମିଲ ହେବେ। ପ୍ରତି ଟିମ୍‌କୁ ୱାକିଟକି, ବାଇନାକୁଲାର, ଜିପିଏସ୍‌ ସ୍କେଲ୍‌, ଡିଏଚ୍‌ଏଫ୍‌ ଆଦି ସାମଗ୍ରୀ ଯୋଗାଇ ଦିଆଯାଇଛି। 5ଟି ବୋଟ୍‌କୁ ପ୍ରସ୍ତୁତ କରି ରଖାଯାଇଛି।

 ଅନ୍ୟପକ୍ଷରେ ଭିତରକନିକାରେ ଗତବର୍ଷ ବିଦେଶୀ ପକ୍ଷୀଙ୍କ ଆଗମନ ବଢ଼ିଥିଲା। ଏଥର ମଧ୍ୟ ସମାନ ସ୍ଥିତି ରହିବ ବୋଲି ଆକଳନ କରାଯାଇଛି। 2017ରେ ଏଠାକୁ 76268 ବିଦେଶୀ ପକ୍ଷୀ ଆସିଥିବା ବେଳେ 2018ରେ 1 ଲକ୍ଷ 12 ହଜାର 937କୁ ବୃଦ୍ଧିପାଇଥିଲେ। ହୀରାକୁଦକୁ ବି ଗତବର୍ଷ ପକ୍ଷୀଙ୍କ ଆଗମନ ବଢ଼ିଥିବାରୁ ଏଥର ମଧ୍ୟ ପୁନରାବୃତ୍ତି ହେବ ବୋଲି ଆଶା କରାଯାଇଛି। ସେପଟେ ଜାନୁଆରି 6 ରୁ 14 ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କୁମ୍ଭୀର ଗଣନା ହେବ। 2017ରେ ଭିତରକନିକାରେ 1682 କୁମ୍ଭୀର ଥିବାବେଳେ 2017-18ରେ ଏହି ସଂଖ୍ୟା 1698କୁ ବୃଦ୍ଧି ପାଇଥିଲା। ଏଥର 1700 ଟପିବ ବୋଲି ଅନୁମାନ କରାଯାଉଛି। ଜାନୁଆରି 19ରେ ଡଲଫିନ୍‌ ଗଣନା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love