୭ ବର୍ଷର ସର୍ବୋଚ୍ଚ ସ୍ତରରେ କ୍ରୁଡ ଦର, ୨୦୧୪ ପରେ ଦ୍ୱିତୀୟବାର ବାରଲ ପିଛା ମୂଲ୍ୟ ହେଲା ୮୭ ଡଲାର

ଲଣ୍ଡନ ୧୮।୧: ଅନ୍ତର୍ଜାତୀୟ ବଜାରରେ ଅସୋଧିତ ତୈଳ ଦର ପୁଣି ବଢ଼ିଛି। ମଙ୍ଗଳବାର ବ୍ରେଣ୍ଟ କ୍ରୁଡ ବାରଲପିଛା ଦର ୮୭.୩୬ ଡଲାରରେ ପହଞ୍ଚିଥିବା ବେଳେ  ଅକ୍ଟୋବର ୨୦୧୪ ମସିହା ପରେ ବଜାରରେ କ୍ରୁଡ ମୂଲ୍ୟରେ ଏହା ଦ୍ୱିତୀୟ ବୃଦ୍ଧି ବୋଲି କୁହାଯାଉଛି। ଦର ୭ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ଗତ ୭୪ ଦିନ ଧରି ଭାରତରେ ପେଟ୍ରୋଲିୟମ ଦରରେ ପଇସାଟେ ବି ପରିବର୍ତ୍ତନ ହୋଇନି। ଆଗକୁ ଦେଶର ୫ ରାଜ୍ୟର ବିଧାନସଭା ନିର୍ବାଚନ। ଏଣୁ ସରକାର ତୈଳ ଦର ଅପରିବର୍ତ୍ତିତ ରଖିଥିବା ବେଳେ କ୍ରୁଡର ନୂଆ ଦର ଚାପ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି।

ଅଶୋଧିତ ତୈଳର ମାନକ ବ୍ରେଣ୍ଟ କ୍ରୁଡର ମୂଲ୍ୟ ବୃଦ୍ଧି ପଛରେ ଭୂ-ରାଜନୈତିକ ଉତ୍ତେଜନା ଓ ଏଥିଯୋଗୁ ଯୋଗାଣରେ ଉପୁଜିଥିବା ବାଧାକୁ ଦାୟୀ କରାଯାଉଛି। ୟେମେନର ହୁତୀ ବିଦ୍ରୋହୀମାନେ ୟୁଏଇଙ୍କ ତୈଳ ପ୍ରତିଷ୍ଠାନମାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଫଳରେ ଉତ୍ପାଦନ ପ୍ରଭାବିତ ହୋଇଛି। ଅଧିକାଂଶ ବିଶ୍ୱରେ ଏବେ ଶୀତ ଋତୁ ଏଣୁ ଇନ୍ଧନ ଆବଶ୍ୟକତା କାଳରେ ଉତ୍ପାଦନରେ ବାଧା ମୂଲ୍ୟବୃଦ୍ଧିର କାରଣ ପାଲଟିଛି। ସେପଟେ ବୈଶ୍ୱିକ ତୈଳ ଭଣ୍ଡାର ମଧ୍ୟ ହ୍ରାସ ହୋଇ ଚାଲିଛି।

ହୁତୀ ବିଦ୍ରୋହୀଙ୍କ କାଣ୍ଡ ଏବେ ପଶ୍ଚିମ ଏସିୟାର ଦୁଇ ପଡୋଶୀ ଦେଶ ଇରାନ ଓ ସାଉଦୀ ଆରବ ମଧ୍ୟରେ ଉତ୍ତେଜନାର କାରଣ ହୋଇପାରେ ବୋଲି ବିଶେଷଜ୍ଞ ଆକଳନ କରୁଛନ୍ତି। ଏଣୁ ଆଗାମୀ ଦିନମାନଙ୍କରେ ଅଶୋଧିତ ତୈଳ ଉତ୍ପାଦନ ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ମୂଲ୍ୟବୃଦ୍ଧିର ପୂର୍ବାନୁମାନ କରାଗଲାଣି। ଗତ କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ତୈଳ ଦର ଲଗାତାର ବଢି ଚାଲିଥିଲେ ବି ଘରୋଇ ବଜାରରେ ଦର ଅପରିବର୍ତ୍ତିତ ରହିଛି। ପ୍ରାୟ ଗତ ଅଢେଇମାସ ହେଲା ଭାରତରେ ପେଟ୍ରୋଲ ଅଥବା ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇ ନାହିଁ।

ଭାରତରେ ଦୀର୍ଘ ସମୟ ଧରି ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବଢ଼ି ରହିଥିଲା। ଦେଶରେ ଏହି ମୂଲ୍ୟ ବୃଦ୍ଧି କାଳରେ ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଦର ମଧ୍ୟ ଉଚ୍ଚ ଥିଲା। ତେବେ ପରେ କ୍ରୁଡ ଦର ହ୍ରାସ ହୋଇ ଆସିଥିବା ବେଳେ ଦେଶରେ ତୈଳର ମୂଲ୍ୟ ନିୟନ୍ତ୍ରଣକୁ ବେଶ ସୁହାଇଥିଲା। ହେଲେ ଏବେ କ୍ରୁଡ ଦର ପୁଣି ସେହି ସ୍ତରକୁ ପହଞ୍ଚିଛି ଯେଉଁସ୍ତରରେ ଥିଲା। ଏଥିରେ ଅଧିକ ସମୟ ପର୍ଯ୍ୟନ୍ତ ଯୋଗାଣ ପ୍ରଭାବିତ ହେଲେ ମୂଲ୍ୟ ବୃଦ୍ଧି ହେବା ନିଶ୍ଚିତ ବୋଲି ଆକଳନ କରାଯାଉଛି।

ଭାରତରେ ପେଟ୍ରୋଲ ଓ ଡିଜେଲର ଦର ନିର୍ଦ୍ଧାରଣ ସରକାର ତୈଳ ବିପଣନକାରୀ କମ୍ପାନୀଙ୍କ ଉପରେ ନ୍ୟସ୍ତ କରିଛନ୍ତି। ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେଉଥିବା ବେଳେ ତୈଳ କମ୍ପାନୀମାନେ ଘରୋଇ ବଜାରରେ ଦର ସ୍ଥିର ରଖିଛନ୍ତି। ଏଥିରୁ ରାଜ୍ୟମାନଙ୍କର ବିଧାନସଭା ନିର୍ବାଚନ ଲାଗି ସରକାର ଦରସ୍ଥିର ରଖିଥିବାର ଅନୁମାନ କରାଯାଉଛି। ୨୦୧୭ ମସିହାରେ ଯେତେବେଳେ ଏହି ସବୁ ରାଜ୍ୟମାନଙ୍କରେ ବିଧାନସଭା ନିର୍ବାଚନ ହୋଇଥିଲା ସେତେବେଳେ ମଧ୍ୟ ତୈଳ ମୂଲ୍ୟ ବୃଦ୍ଧି  ହୋଇନଥିବାର ରେକର୍ଡ ରହିଛି।

ସେତେବେଳେ ୧୬ ଜାନୁୟାରୀରୁ ୧ ଏପ୍ରିଲ ପର୍ଯ୍ୟନ୍ତ ତୈଳ କମ୍ପାନୀମାନେ ମୂଲ୍ୟ ସଂଶୋଧନ କରିନଥିଲେ। ଏହାର କିଛି ମାସ ପରେ ଡିସେମ୍ବର ୨୦୧୭ରେ ୨ ସପ୍ତାହ ପର୍ଯ୍ୟନ୍ତ ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଦେଶରେ ତୈଳ ମୂଲ୍ୟ ସ୍ଥିର ଥିଲା। ସେହିପରି ୨୦୧୯ ଏପ୍ରିଲ ଓ ମେ ମାସରେ ଲୋକସଭା ନିର୍ବାଚନ ନିମନ୍ତେ ତୈଳ କମ୍ପାନୀମାନେ ଦର ସଂଶୋଧନ କରିନଥିଲେ। ଏହା ପରେ ପେଟ୍ରୋଲିୟମ କମ୍ପାନୀମାନେ ୭୪ ଦିନ ଧରି ତୈଳ ମୂଲ୍ୟ ସୁଧାର ନ କରିବାର ଏହା ପ୍ରଥମ ମାମଲା।

ଦେଶରେ ପେଟ୍ରୋଲ ଓ ଡିଜେଲର ଖୁଚୁରା ବିକ୍ରୟ ମୂଲ୍ୟ ଗତ ନଭେମ୍ବର ପ୍ରଥମ ସପ୍ତାହରୁ ସ୍ଥିର ରହିଛି। ତୈଳ କମ୍ପାନୀମାନେ ଦର ସଂଶୋଧନ କରୁନଥିବା ବେଳେ ମୂଲ୍ୟ ହ୍ରାସ ଲାଗି ବିଭିନ୍ନ ରାଜ୍ୟ ସରକାର ଭାଟ ଶୁଳ୍କରେ ମଧ୍ୟ ରିହାତି କରିଛନ୍ତି। ଏଣୁ ଦେଶରେ ବଜାର ଦର ଏକପ୍ରକାର ସ୍ଥିର ରହିଛି। ଏଥିଯୋଗୁ ତୈଳ କମ୍ପାନୀଙ୍କ ମାର୍ଜିନ ଢେର ତଳକୁ ଖସି ସାରିଥିବାର ଜେ.ପି.ମର୍ଗାନ ଆକଳନ କରିଛନ୍ତି।

Spread the love