୧୪ଦିନ ଧରି ଧାରଣାରେ ବାହୁବଳୀ ସେବାୟତ ଅନୀଲ ଗୋଛିକାର

ପୁରୀ ୧୯।୧: ନ୍ୟାୟ ପ୍ରଦାନ ପାଇଁ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୀର୍ଘ ୧୪ ଦିନ ଧରି ଧାରଣାରେ ବସିଥିବା ପୁରୀର ବାହୁବଳୀ ସେବାୟତ ଅନୀଲ ଗୋଛିକାରଙ୍କୁ ସମର୍ଥନ ଜଣାଇଛନ୍ତି ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ କମିଶନ। କମିଶନର ରାଜ୍ୟ ମହିଳା ସଭାପତି ସନ୍ଧ୍ୟାରାଣୀ ଦଳେଇ ନିଜ ସହଯୋଗୀଙ୍କ ସହ ଧାରଣାସ୍ଥଳକୁ ଆସି ଅନୀଲଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିବା ସହ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି।

ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା କରିଡର ମଧ୍ୟରେ ଶେଷ ପ୍ଲଟ ଭାବେ ଅନୀଲ ଗୋଛିକାରଙ୍କ ବିଲଡିଂ ଭାଙ୍ଗିଥିଲା ପ୍ରଶାସନ। ମାମଲା ସୁପ୍ରିମକୋର୍ଟରେ ଥିବାବେଳେ ପ୍ରଶାସନ ଲାରା କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପୁନର୍ବାସ ଓ ପୁନଃଥଇଥାନ ନୀତି ଅନୁଯାୟୀ ଆବଶ୍ୟକ କ୍ଷତିପୂରଣ କୋର୍ଟରେ ଜମା କରାଯାଇ ଆଇନ ଅନୁଯାୟୀ ଜମି ଅଧିଗ୍ରହଣ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଜାତୀୟ ବଡି ବିଲଡିଂରେ ଜାତୀୟ ପୁରସ୍କାର ପାଇଥିବା ବାହୁବଳୀ ସେବାୟତ ଅନୀଲ ଗୋଛିକାର ବେଆଇନ ଭାବେ ତାଙ୍କ ବିଲଡିଂ ଭଙ୍ଗାଯାଇଥିବାରୁ ସେ ସିଂହଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ତାଙ୍କୁ ଏତଲା କପି ଦେଉନଥିବା, ଜମିର ଉପଯୁକ୍ତ କ୍ଷତିପୂରଣ ଦାବିରେ ସେ ଅଡି ବସିଛନ୍ତି । ଏଭଳିକି ୧୪ ଦିନ ଧରି ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ତାଙ୍କ ସହ ଆଲୋଚନା କରିନଥିବା ସେ କହିଛନ୍ତି।

Spread the love