ପରମାଣୁ ଅସ୍ତ୍ର ସହ ମିଶାଇଲ୍‌ ପରୀକ୍ଷଣ ପାଇଁ ପ୍ରସ୍ତୁତ ହେଉଛି ଉତ୍ତର କୋରିଆ

ସିଓଲ, ୨୧/୦୧: ଉତ୍ତର କୋରିଆ ପୁଣିଥରେ ପରମାଣୁ ଅସ୍ତ୍ର ଏବଂ ଦୂରଗାମୀ ମିଶାଇଲ୍‌ ପରୀକ୍ଷଣ ଆରମ୍ଭ କରିପାରେ । ଗୁରୁବାର ଆମେରିକା ଶତୃତାପୂର୍ଣ୍ଣ ଧମକ ଦେବା ଅଭିଯୋଗ ଆଣି ଏପରି ସଂକେତ ଦେଇଛି ଉତ୍ତର କୋରିଆ । ଅସ୍ଥାୟୀ ରୁପେ ବନ୍ଦ କରିଥିବା ସମସ୍ତ ଗତିବିଧିକୁ ପୁଣିଥରେ ଚାଲୁ କରିବା ନେଇ ଉତ୍ତର କୋରିଆ ପକ୍ଷରୁ କୁହାଯାଇଥିବା ବେଳେ ଟ୍ରମ୍ପ ପ୍ରଶାସନ ସମୟରେ ଯେଉଁ ସବୁ କାର୍ଯ୍ୟରୁ ନିବୃତ ରହିଥିଲା ତାହା ଆରମ୍ଭ କରିବା ନେଇ ସଙ୍କେତ ଦେଇଛି ।

ଗୁରୁବାର ଉତ୍ତର କୋରିଆ ଅଧିକାରୀକ କୋରିଆନ୍‌ ସେଣ୍ଟ୍ରାଲ୍‌ ନ୍ୟୁଜ୍‌ ଏଜେନ୍ସି (କେସିଏନ୍‌ଏ) କହିଛି ଯେ, କିମ୍‌ ଜଙ୍ଗ୍‌ ଉନ୍‌ ଶାସନରେ ଥିବା ୱାକର୍ସ ପାର୍ଟିର ପୋଲିତବ୍ୟୁରୋ ବୈଠକ କରିଛନ୍ତି । ଯେଉଁଥିରେ ଆମେରିକାର ଶତ୍ରୁତା, ଚାଲ୍‌ବାଜିର ମୁକାବିଲା କରିବା ପାଇଁ ଉତ୍ତର କୋରିଆ ସୈନ୍ୟ କ୍ଷମତାକୁ ମଜବୁତ କରିବା ନୀତିଗତ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି । ଅସ୍ଥାୟୀ ରୁପେ ନିଲମ୍ୱିତ ସମସ୍ତ ଗତିବିଧିକୁ ପୁଣି ଆରମ୍ଭ କରିବା ସମ୍ୱନ୍ଧରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉତ୍ତର କୋରିଆ ବର୍ତ୍ତମାନ ସ୍ଥିତିରେ ଅସ୍ତ୍ରଶସ୍ତ୍ରକୁ ପ୍ରଦର୍ଶନ କରିବା ପ୍ରକ୍ରିୟାକୁ ବଢ଼ାଇ ଦେଇଥିବା ଜଣାପଡ଼ିଛି । ଏହା ଗୋଟିଏ ମାସରେ ୪ ମିଶାଇଲ୍‌ ପରୀକ୍ଷଣ କରିଛି । ଏହା ପଛରେ ମୁଖ୍ୟ କାରଣ ପରମାଣୁ ଅସ୍ତ୍ରକୁ ନେଇ ୱାଶିଂଟନ୍‌ରୁ ପଡ଼ୁଥିବା ଚାପ ହୋଇପାରେ ବୋଲି ଅନୁମାନ କରାଯାଉଛି । ପୂର୍ବ ସପ୍ତାହରେ ବାଇଡେନ୍‌ ସରକାର ଉତ୍ତର କୋରିଆ ଉପରେ କିଛି ନୂଆ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ଯାହାକୁ ନେଇ ବିଦେଶ ମନ୍ତ୍ରଣାଳୟ କଡ଼ା ପଦକ୍ଷେପ ନେବାକୁ ଚେତାବନୀ ଦେଇଛି ।

Spread the love