ଏଥର ପଞ୍ଚାୟତ ନିର୍ବାଚନରେ ବହୁ ଉଚ୍ଚଶିକ୍ଷିତ ପ୍ରାର୍ଥୀ

ଭୁବନେଶ୍ଵର ୨୧।୦୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ସରଗରମ । ଆଜି ନୋମିନେସନର ଶେଷ ହୋଇଛି । ତେବେ ଚର୍ଚ୍ଚାର ବିଷୟ ହେଉଛି ଏଥର ବହୁ ସଂଖ୍ୟାରେ ଉଚ୍ଚଶିକ୍ଷିତ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଦେଖିବାକୁ ମିଳିଛି।  ଏମିତି କିଛି ଉଚ୍ଚ ଶିକ୍ଷିତ ପ୍ରାର୍ଥୀଙ୍କୁ ଭେଟିଥିଲା ନ୍ୟୁଜ ସେଭେନ। ଯେଉଁମାନେ ନିଜର ଚାକିରୀ କିମ୍ବା ଅନ୍ୟ କ୍ୟାରିୟର ଛାଡ଼ି ନିର୍ବାଚନ ମୈଦାନରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଆସିଛନ୍ତି।

ପଢ଼ିଛି ପାଠ, ପଲିଟିକ୍ସ କରିପାରିବି। ଲୋକଙ୍କ ସେବା କରିବାକୁ  ପଞ୍ଚାୟତ ନିର୍ବାଚନରେ  ପ୍ରାର୍ଥୀ ହୋଇଛି । ଏମିତି କିଛି ନାରା ଦେଉଛନ୍ତି ଏହି ଉଚ୍ଚଶିକ୍ଷିତ ପ୍ରାର୍ଥୀମାନେ। ଯେଉଁମାନେ ନିଜର ଚାକିରୀର ମୋହ  ତୁଟାଇ ଏବେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ଯାଜପୁର ଜିଲ୍ଲାର ସ୍ମୃତିରେଖା ବେହେରା।ବୟସ ୨୩। ପାଠପଢା କ୍ୟାରିୟର ଫାଷ୍ଟ କ୍ଲାସ। ବାଇଓ ଟେକ୍ନୋଲୋଜିରେ ଏମ.ଏସ.ସି.ପଢ଼ିଛନ୍ତି। ରାଜନୀତିରେ ଶିକ୍ଷିତ ଲୋକ ଆସିବା ଜରୁରୀ ଅନୁଭବ କରି ସେ ଜିଲ୍କା ପରିଷଦ ଭାବେ  ପ୍ରାର୍ଥୀ ହୋଇଛନ୍ତି।

ନବରଙ୍ଗପୁର ଦିଗିସଲପା ଗାଁର ରତିକାନ୍ତ ପଣ୍ଡା। ବି ଟେକ ପରେ ବିଦେଶରେ ଭଲ ଦରମାରେ ଚାକିରି ବି କରୁଥିଲେ । ମାତ୍ର ସମାଜସେବା ପାଇଁ ଲୋଭନୀୟ ଚାକିରିର ମୋହ ଛାଡିଛନ୍ତି।  ଜନ୍ମଭୂମି ସେବା ପାଇଁ ନିଜ ଗାଁକୁ ଫେରିଛନ୍ତି। ଆଉ ଏବେ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ଜିଲ୍ଲା ପରିଷଦ ଜୋନ ୨ରୁସେ  ପ୍ରାର୍ଥୀ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ନିରୁପମା ସାହୁ ଜଣେ ଆଇନଜିବୀ । ସେ ବିଶ୍ରାରୁ  ସ୍ଵାଧୀନ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଭାବରେ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ସୁମିତ ସୁମନ ତିର୍କୀ।  ନିଜର ବିଟେକ ପାଠ ଶେଷ କରି ଲାଠିକଟା  ଜିଲ୍ଲାପରିଷଦ ପ୍ରାଥିୀ ହୋଇଛନ୍ତି। ଆଦିବାସୀଙ୍କୁ ସେମାନଙ୍କର ହକ ଦେବା ଉଦ୍ଦେଶ୍ୟରେ ସେ ନିର୍ବାଚନକୁ ଓହ୍ଲାଇଥିବା କହିଛନ୍ତି ସୁମିତ ।

ଜଗତ୍ସିଂହପୁରର ଏହି ଉଚ୍ଚଶିକ୍ଷିତ ପରିବାର ଏବେ ନିର୍ବାଚନ ରଣାଙ୍ଗନରେ।  କୌଣସି ଦଳୀୟ ସମର୍ଥନ ନପାଇ ବି ଏହି ପରିବାରରୁ ତିନି ଜଣ ପ୍ରାର୍ଥୀ ହୋଇଛନ୍ତି।  କୁଜଙ୍ଗ ବ୍ଲକ ପଣ୍ଡୁଆ ପଞ୍ଚାୟତ ମୁଣ୍ଡିଦାର କୈଳାସ ସ୍ବାଇଁ କୃଷି ବିଭାଗ ଚାକିରୀରୁ ଅବସର ନେବା ପରେ ଏବେ ସରପଞ୍ଚ ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଝିଅ ଶୁଭଶ୍ରୀ ଶୁଭସ୍ମିତା ଜୀବ ବିଜ୍ଞାନରେ ଏମଏସସି କରିଛନ୍ତି, ସେ ସମିତି ସଭ୍ୟା ପାଇଁ ଏବଂ  ଗ୍ରାମୀଣ ବିକାଶ ପାଠ୍ୟକ୍ରମ ରେ ଏମଏ ପାସ କରିଥିବା ବୋହୂ ସସ୍ମିତା ସ୍ବାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି।

ପାଠ ମଣିଷକୁ କେବଳ ଶିକ୍ଷିତ କରିନଥାଏ ପାରଙ୍ଗମ କରିଥାଏ। ଆଶା କରିବା ଉଚ୍ଚଶିକ୍ଷତ ପ୍ରାର୍ଥୀମାନେ ଅଧିକରୁ ଅଧିକ ସଂଖ୍ୟାରେ  ତୃଣମୂଳ ସ୍ତରରେ ପ୍ରାର୍ଥୀ ହୋଇ ନିର୍ବାଚନ ପରିବେଶକୁ ଅଧିକ ସଶକ୍ତ କରନ୍ତୁ।

Spread the love