ଆସନ୍ତାକାଲି ଜିଲ୍ଲାପାଳମାନଙ୍କ ସହ ବୈଠକ କରି ସ୍ଥିତି ବୁଝିବେ ମୋଦୀ

ନୂଆଦିଲ୍ଲୀ ,୨୧।୧:  ସରକାରୀ ଯୋଜନାର ଲାଭ ଲୋକଙ୍କ ପାଖରେ କେତେ ପହଞ୍ଚୁଛି ? ଜିଲ୍ଲାରେ କିପରି କାର୍ଯ୍ୟକାରୀ ହେଉଛି ସରକାରୀ ଯୋଜନା ?  ଜିଲ୍ଲାରେ ସରକାରୀ ଯୋଜନା ଗୁଡିକର ସ୍ଥିତି କ’ଣ ? ଆସନ୍ତାକାଲି ଜିଲ୍ଲାପାଳଙ୍କ ସହ ବୈଠକରେ ଏହି ତମାମ ପ୍ରଶ୍ନ ପଚାରିବେ ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭିଡିଓ କନଫରେନ୍ସିଂରେ ହେବାକୁ ଥିବା ଏହି ବୈଠକରେ ଜିଲ୍ଲାରେ କାର୍ଯ୍ୟକାରୀ ସରକାରୀ ଯୋଜନାର ସ୍ଥିତି ବାବଦରେ ଜିଲ୍ଲାପାଳଙ୍କଠାରୁ ସିଧାସଳଖ ମତାମତ ନେବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏହି ସୂଚନା ଦିଆଯାଇଛି।

ପିଏମଓର ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମର ପ୍ରଗତି ତଥା ବର୍ତ୍ତମାନର ସ୍ଥିତି ବାବଦରେ ପଚାରି ବୁଝିବେ। ଏହି ଆଲୋଚନାରେ ସରକାରୀ ଯୋଜନାର ସ୍ଥିତି ସମ୍ପର୍କରେ ଜାଣିବା ସହ ଜିଲ୍ଲାରେ ତୃଣମୂଳ ସ୍ଥଳରେ ଥିବା ସମସ୍ୟା ଗୁଡିକ ମଧ୍ୟ ସାମ୍ନାକୁ ଆସିବ।

ଏହି ଆଲୋଚନାର ଉଦ୍ଦେଶ୍ୟ, ବିଭିନ୍ନ ସରକାରୀ ଯୋଜନା ଗୁଡିକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସରକାର ଦେଶରେ ବିକାଶ ଏବଂ ବିକାଶ କାର୍ଯ୍ୟରେ ଉତ୍ପନ୍ନ ହେଉଥିବା ଅସୁବିଧା ଦୂର କରିବା ଦିଗରେ ଲଗାତାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ସମସ୍ତ ଯୋଜନା ଲୋକଙ୍କ ଜୀବନସ୍ତରକୁ ଉପରକୁ ଉଠାଇବା ଏବଂ ସାମୁହିକ ବିକାଶ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ଅଟେ ।

Spread the love