ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ, ନାମାଙ୍କନ ଯାଞ୍ଚ ପରେ ଆସିଲା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର ୨୪।୦୧: ପଞ୍ଚାୟତ ନିର୍ବାଚନ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ପ୍ରାର୍ଥୀପତ୍ର ଯାଞ୍ଚ ପରେ ଏବେ ମୋଟ ୨ ଲକ୍ଷ ୨୦ ହଜାର ୪୧୪ ଜଣ ପ୍ରାର୍ଥୀ ନିର୍ବାଚନରେ ଲଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ୱାର୍ଡମେମ୍ବର ପାଇଁ ୧ ଲକ୍ଷ ୫୬ ହଜାର ୭୫୩, ସରପଞ୍ଚ ପାଇଁ ୩୨ ହଜଜାର ୮୬୦, ସମିତି ସଭ୍ୟ ପାଇଁ ୨୭ ହଜାର ୩୪ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୩ହଜାର ୭୬୭ ଜଣ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହୋଇଛନ୍ତି।

ତେବେ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ୮ହଜାର ୬୪୮ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ୍ ହୋଇଯାଇଛି। ଏଭିତରେ ଅଛନ୍ତି ୱାର୍ଡମେମ୍ବର ପାଇଁ ନାମାଙ୍କନ ଦାଖଲ କରିଥିବା ୫୫୪୪ ଜଣ, ସରପଞ୍ଚ ପାଇଁଁ ୧୭୫୩ଜଣ, ପଞ୍ଚାୟତ ସମିତି ପାଇଁ ୧୧୧୯ ଜଣ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୩୨ ଜଣ । ପ୍ରାର୍ଥୀ ପତ୍ର ଯାଞ୍ଚ ପରେ ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ଏହି ସୂଚନା ଦେଇଛନ୍ତି । କିଛି ପ୍ରାର୍ଥୀ ଦୀର୍ଘ ବର୍ଷ ହେଲା ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ଲଢେଇରୁ ବାଦ୍ ପଡ଼ିଥିବା ଦେଖିବାକୁ ମିଳିଛି। ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ଜାଲ୍ ଜାତି ପ୍ରମାଣ ପତ୍ର ଦେଇଥିବା ବେଳେ କିଛି ପ୍ରାର୍ଥୀଙ୍କର ଜାତି ପ୍ରମାଣପତ୍ର ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତି ବର୍ଗ ପାଇଁ ଧାର୍ଯ୍ୟ ହୋଇଥିବା ଜାତି ମଧ୍ୟରେ ନଥିଲା।

ସେହିପରି କେତେକ ପ୍ରାର୍ଥୀ ପ୍ରାର୍ଥିପତ୍ର ପୂରଣ ସମୟରେ କିଛି ତ୍ରୁଟି କରିଥିବାରୁ ସେଗୁଡ଼ିକ କଟିଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସୁଯୋଗ ଅଛି। କାଲି ଅପରାହ୍ନରେ ଚୂଡ଼ାନ୍ତ ତାଲିକା ଘୋଷଣା ହେବ। ଏହାପରେ କେତେ ପ୍ରାର୍ଥୀଙ୍କ ମଧ୍ୟରେ କେଉଁଠି ଲଢେଇ ହେବ ତାହା ଚୂଡ଼ାନ୍ତ ହେବ।

Spread the love