ପିକଅପ ଭ୍ୟାନ ସହ ୩ ଡକାୟତ ଗିରଫ

ବେଗୁନିଆ: ଧଳାପଥର ଡାକ ଘର ନିକଟରୁ ତିନି ଜଣ ଯୁବକ ଦଶପଲ୍ଲାରୁ ଆସୁଥିବା ଏକ ବାଇଗଣ ବୋଝେଇ ପିକଅପ ଭ୍ୟାନ ଅପହରଣ କରିନେଇଥିଲେ । ଗୋଟିଏ ଦିନ ଭିତରେ ବେଗୁନିଆ ପୋଲିସ ସମ୍ପୃକ୍ତ ଗାଡି ସହିତ ୩ ଜଣ ଡକାୟତଙ୍କୁ ଗିରଫ କରିଛି । ଗତକାଲି   ବିଳମ୍ବିତ ରାତିରେ ଦଶପଲ୍ଲା ଥାନା ନାହାକପଡା ଗ୍ରାମର ବିପିନବିହାରି ବେହେରାଙ୍କର ବୋଲେରୋ ଗାଡି ଅପହରଣ ହୋଇଥିଲା । ୩ ଜଣ ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ଚାଳକକୁ ମାଡ଼ ମାରି ତାଠାରୁ ଚାବି ଛଡାଇ ନେଇ ଆଖିପିଛୁଳାକେ ଖୋର୍ଦ୍ଧା ଅଭିମୁଖେ ପଳାଇଯାଇଥିଲେ । ଏ ସଂକ୍ରାନ୍ତରେ ଗାଡି ମାଲିକ/ଚାଳକ ବେଗୁନିଆ ଥାନାରେ ଜଣାଇଥିଲେ । ପରେ ଏସପି ରାଜକିଶୋର ଦୋରା ଏବଂ ଏସଡିପି ଓ ସୁଶୀଳକୁମାର ମିଶ୍ରଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଥାନା ଅଧିକାରୀ ଶ୍ରୀ ଶତପଥୀଙ୍କ ନେତୃତ୍ୱରେ ରଶ୍ମିରଞ୍ଜନ ଦାଶ , ଏ ଏସ ଆଇ ଗଜେନ୍ଦ୍ର କୁମାର ଜେନା ,ଭୁବନ ବେହେରା ,ସିଦ୍ଧେଶ୍ୱର ମହାପାତ୍ର ଏବଂ ଶ୍ରୀନିବଶ ବାରିକଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଆଖ ପାଖର ସମସ୍ତ ଟୋଲ ଗେଟ ଯାଞ୍ଚ କରିବା ସହ ଅପରାଧୀଙ୍କ ଉପରେ କଡା ନଜର ରଖିଥିଲେ ।ଗତକାଲି ରାତିରେ ଅପରାଧୀମାନେ ଗାଡିଟିକୁ ଜଟଣୀରେ ଲୁଚାଇ ରଖିଥିବା ସ୍ଥାନରୁ ବାହାରକୁ ଚାଲାଣ କରିବା ପାଇଁ ଯୋଜନା କରୁଥିବା ସମୟରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଏରିଆରେ ଧରାପଡିଥିଲେ ।ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳର ଅବଦୁଲ ମନସୁର ,ଶେଖ ମଜ୍ଜିତ ଓ ଫାରୁଖ ଖାଁ ଙ୍କୁ ଗିରଫ କରିଥିବାବେଳେ ଗାଡିକୁ ସୁରକ୍ଷା ଦେଇ ଆସୁଥିବା ଅନ୍ୟ ୨ ଜଣ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲେ ।ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ଚୋରି ଏବଂ ଡକାୟତି କେଶ ରହିଥିବାର ପୋଲିସ ସୂତ୍ରରୁ ପ୍ରକାଶ ।ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Spread the love