କର୍ଣ୍ଣାଟକରେ ପୁଣି ବଦଳିବେ ମୁଖ୍ୟମନ୍ତ୍ରୀ, ବୋମ୍ମଇ ସରକାରଙ୍କ ପ୍ରତି ଖପ୍ପା ବିଜେପି

ନୂଆଦିଲ୍ଲୀ ୨୫।୦୧: କର୍ଣ୍ଣାଟକରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ବଦଳି ପାରନ୍ତି। ଭାରତୀୟ ଜନତା ପାର୍ଟିର ହାଇକମାଣ୍ଡ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳାଇବା ଉପରେ ବିଚାର କରୁଛନ୍ତି। ରାଜ୍ୟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ପାର୍ଟି ନିର୍ବାଚନ ପୂର୍ବରୁ ବଡ ଧରଣର ପରିବର୍ତ୍ତନ କରିବାକୁ ଚାହୁଁଛି। କିଛି ମିଡିଆ ରିପୋର୍ଟ ଅନୁଯାୟୀ, ବିଜେପି ନେତୃ ବୃନ୍ଦ ରାଜ୍ୟରେ ବର୍ତ୍ତମାନର ବସବରାଜ ବୋମ୍ମଇ ସରକାରଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ଅଛନ୍ତି। କିନ୍ତୁ ପାର୍ଟି ଏବେ ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନରେ ବ୍ୟସ୍ତ। ତେଣୁ ଏହାର ସମ୍ଭାବନା ରହିଛି ଯେ, ନିର୍ବାଚନ ଫଳାଫଳ ପରେ ଦଳୀୟ ନେତୃତ୍ଵ କର୍ଣ୍ଣାଟକ ବିଜେପି ଉପରେ ବଡ ନିଷ୍ପତ୍ତି ନେଇ ପାରନ୍ତି।

ସୂତ୍ର ମୁତାବକ ବିଜେପି ନେତୃତ୍ଵ କର୍ଣ୍ଣାଟକର ଉପ ନିର୍ବାଚନ ଏବଂ ସ୍ଥାନୀୟ ମ୍ୟୁନିସିପାଲଟି ନିର୍ବାଚନରେ ପାର୍ଟିର ଖରାପ ପ୍ରଦର୍ଶନକୁ ନେଇ ବୋମ୍ମଇ ସରକାରଙ୍କ ପ୍ରତି ଖପ୍ପା। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା କ୍ଷେତ୍ର ହନାଗଲରେ ପାର୍ଟିକୁ ପରାଜୟର ମୁହଁ ଦେଖିବାକୁ ପଡିଛି। ଏହି ପରାଜୟ କାରଣରୁ ପାର୍ଟି ୨୦୨୩ରେ ହେବାକୁ ଥିବା ନିର୍ବାଚନକୁ ନେଇ ଚିନ୍ତିତ। ଏପରିକି ରାଜ୍ୟର ଅନେକ ମନ୍ତ୍ରୀ ଏବଂ  ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ବୋମ୍ମଇଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି।

ସନ୍ଧାନରେ ଯୁବ ଚେହେରା

ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପାର୍ଟି ନିଜର ମୁଖ୍ୟମନ୍ତ୍ରୀ ଚେହେରା ପାଇଁ ଯୁବ ଚେହେରା ସନ୍ଧାନରେ ରହିଛି। ଏଥିପାଇଁ ଦଳ ଲିଙ୍ଗାୟତ ସମୁଦାୟରୁ କୌଣସି ଏକ ବଡ ଚେହେରା ଖୋଜୁଛି। ଏହା ମଧ୍ୟ କୁହାଯାଉଛି ଯେ, ପାର୍ଟି କୌଣସି ଦଳିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିପାରେ।

Spread the love