ପଞ୍ଚାୟତ ନିର୍ବାଚନରେ କ’ଣ ରହିବ ଦାଦନ ଶ୍ରମିକଙ୍କ ଭୂମିକା ? କେଉଁଠି ଗାଁ ଖାଁ ଖାଁ ତ, କେଉଁଠି ଘରମୁହାଁ ହେଲେଣି ଲୋକେ

ବଲାଙ୍ଗିର/ବ୍ରହ୍ମପୁର ୨୯।୦୧:  ପଞ୍ଚାୟତ ନିର୍ବାଚନରେ କ’ଣ ରହିବ ଦାଦନ ଶ୍ରମିକଙ୍କ ଭୂମିକା ? ସେମାନେ ଭୋଟ ଦେବାକୁ ଗାଁକୁ ଫେରିବେ କି ?  ଆଉ ଯେଉଁ ଦାଦନ ଶ୍ରମିକମାନେ ଏବେ ଗାଁକୁ ଫେରୁଛନ୍ତି ସେମାନଙ୍କ ଭୋଟ କାହା ଆଡ଼କୁ ଯିବ ?  ଗାଁ ରାଜନୀତିରେ ଏବେ ଦାଦନଙ୍କ ଭୋଟକୁ ନେଇ ଚାଲିଛି ଅଙ୍କ କଷା । ଗଞ୍ଚାମ ଜିଲ୍ଲାରେ କିଛି ଦାଦାନ ଶ୍ରମିକ ଏବେ ଗାଁକୁ ଫେରି ନିର୍ବାଚନରେ ମାତିଥିବା ଦେଖିବାକୁ ମିଳିଛି । ହେଳେ ବଲାଙ୍ଗୀର ଜିଲ୍ଲାରେ ଦାଦାନ ଫେରିନଥିବାରୁ ଅନେକ ଗାଁ ଏବେ ଖାଁ ଖାଁ । ଯେଉଁଥି ପାଇଁ ଏବେ ଭୋଟ୍‌କୁ ନେଇ ଚିନ୍ତାରେ ନେତା।

ପଞ୍ଚାୟତ ନିର୍ବାଚନୀ ମାହୋଲ, ହେଲେ ଗାଁରେ ନାହିଁ ଗହଳି । ଘରେ ଘରେ ପଡ଼ିଛି ତାଲା । ଏମିତି ସ୍ଥିତି କଣ୍ଟାବାଞ୍ଜିର ଡାବ୍ରୀ ଗାଁରେ ଦେଖିବାକୁ ମିଳିଛି। ଖାଲି ଏହି ଗୋଟିଏ ଗାଁ ନୁହେଁ, ବଲାଙ୍ଗିର ଜିଲ୍ଲାର ବେଲପଡ଼ା, ମୁରିବାହାର, ତୁରେଇକେଲା, ଖପ୍ରାଖୋଲ, ବଙ୍ଗୋମୁଣ୍ଡା, ବାଟଣାଗଡ଼ ଭଳି ବ୍ଲକରେ ମଧ୍ୟ ସାମ୍ନାକୁ ଆସୁଛି ସେଇ ସମାନ ଚିତ୍ର । ଆପଣ ଭାବୁଥିବେ ପଞ୍ଚାୟତ ନିର୍ବାଚନୀ ମାହୋଲରେ ଏସବୁ ଗାଁ ଏମିତି ଖାଁ ଖାଁ କାହିଁକି ? କାହିଁକି ନାଁ ଏସବୁ ଗାଁ ଲୋକେ ଏବେ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି ।

ହଜାର ହଜାର ପୁରୁଷ ମହିଳା ଏବେ ଗାଁ ନାହାନ୍ତି । ପେଟ ପୋଷିବାକୁ ଆନ୍ଧ୍ର ପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ଛତିଶଗଡ଼ ଭଳି ରାଜ୍ୟକୁ ଯାଇଛନ୍ତି ଏସବୁ ଗାଁର ଲୋକେ । ବଲାଙ୍ଗିର ଜିଲ୍ଲାରୁ ୧୪ଟି ବ୍ଲକ ମଧ୍ୟରୁ ୭ଟି ବ୍ଲକରେ ପ୍ରତିବର୍ଷ ନୂଆଁଖାଇ ପରେ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ଜିଲ୍ଲା ଶ୍ରମବିଭାଗର ସରକାରୀ ରିପୋର୍ଟ ଅନୁସାରେ କେବଳ ୧୪ ହଜାର ୮୮୯ ଜଣ ଶ୍ରମିକ ବାହାର ରାଜ୍ୟ କୁ ଯାଇଥିବା କୁହାଯାଇଛି । ହେଲେ ବାସ୍ତବରେ ଏହି ସଂଖ୍ୟା ଢ଼େର ଅଧିକ।

ପଞ୍ଚାୟତ ନିର୍ବାଚନରେ ହାର ଜିତ ଲାଗି ଗୋଟିଏ ଭୋଟ ବି ଗୁରୁତ୍ବପୂର୍ଣ୍ଣ । ତେଣୁ  ଚଳିତ ନିର୍ବାଚନ ପାଇଁ ନଅଟି ଗାଁକୁ ଶ୍ରମିକମାନେ ଫେରିନଥିବାରୁ ଚିନ୍ତାରେ ନେତା । ସ୍ଥାନୀୟ ପ୍ରଶାସନ ଏହି ଦାଦନ ଶ୍ରମିକଙ୍କୁ ଗାଁକୁ ଫେରାଇ ଆଣିବା ଏବଂ ଭୋଟ ଦେବା ଲାଗି  ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି। ଏନେଇ ବଳାଙ୍ଗୀର ଜିଲ୍ଲାପାଳ ବେଲପଡା ସମେତ କଣ୍ଟାବାଞ୍ଜିର ବିଭିନ୍ନ ବ୍ଲକ ବୁଲି ସ୍ଥିତି ପରଖିଛନ୍ତି । ଗଣମାଧ୍ୟମ ଜରିଆରେ ଶ୍ରମିକମାନଙ୍କୁ ଗାଁକୁ ଆସି ଭୋଟ ଦେବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ ।

ଦକ୍ଷିଣ ଓଡିଶାରେ କିନ୍ତୁ ଭିନ୍ନ ଚିତ୍ର ଦେଖିବାକୁ ମିଳିଲାଣି । ପଞ୍ଚାୟତ ଭୋଟ ପାଇଁ ଗାଁ ମୁହାଁ ହେଲେଣି ପ୍ରବାସୀ ଶ୍ରମିକ । ବିଶେଷ କରି ସୁରତରେ କାମ କରୁଥିବା ଲୋକମାନେ ଭୋଟ ପାଇଁ ଘରକୁ ଫେରିବାକୁ ଆରମ୍ଭ କଲେଣି ।  ଗଞ୍ଜାମ ଜିଲ୍ଲାର ପୋଲସରା, ଖଲିକୋଟ୍, ହିଞିଳି,  ଆସିକା,  ପୁରୁଷୋତ୍ତମପୁର, ପାତ୍ରପୁର, ଚିକିଟି ପ୍ରମୁଖ ଅଞ୍ଚଳର ଲକ୍ଷାଧିକ ଲୋକେ ଭିଟାମାଟି ଛାଡି ଦାଦନ ଖଟିବାକୁ ସୁଦୂର ସୁରତ,  ମୁମ୍ବାଇ,  ଚେନ୍ନାଇ ଯାଇଥିବା ରିପୋର୍ଟରୁ ଜଣାପଡ଼ିଛି । ପେଟ ପାଇଁ ଯାଇଥିବା ଦାଦନ ଏବେ ଭୋଟ୍ ପାଇଁ ଗାଆଁ କୁ ଫେରିଥିବା କହିଛନ୍ତି । ଗଞ୍ଜାମରେ ପ୍ରବାସୀ ଶ୍ରମିକଙ୍କ ଉପସ୍ଥିତ ଗାଁ ରାଜନୀତିକୁ ସରଗରମ କରିଛି ।

ରାଜ୍ୟରେ ଆଜି ବି ଦାଦନ ସମସ୍ୟା ବଡ଼ ପ୍ରସଙ୍ଗ ହୋଇ ରହିଛି । ପାଖାପାଖି ୧୫ଲକ୍ଷ ଲୋକ କାମଧନ୍ଦା କରିବାକୁ ବାହାର ରାଜ୍ୟକୁ ଯାଇଥିବା କୁହାଯାଉଛି । ଏତେ ଲୋକଙ୍କ ଅନୁପସ୍ଥିତି ଗାଁ ଭୋଟକୁ ପ୍ରଭାବିତ କରିବ ଏବଂ ନେତାଙ୍କ ଅଙ୍କ ଭୁଲ୍ ହୋଇଯିବାର ସମ୍ଭାବନା ମଧ୍ୟ ରହିଛି ।

Spread the love