ଏଥର ରେଳ ବଜେଟରେ ଓଡ଼ିଶା ଭାଗ କେତେ ? ରାଜ୍ୟର ଦାବି ଅନୁସାରେ ମିଳିବ ତ ଅନୁଦାନ

ଭୁବନେଶ୍ଵର ୨୯।୦୧: ଏଥର ରେଳ ବଜେଟରେ ଓଡ଼ିଶା ଭାଗ କେତେ ? ରାଜ୍ୟର ଦାବି ଅନୁସାରେ ମିଳିବ ତ ଅନୁଦାନ ? ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନା ପୂର୍ବରୁ ଏନେଇ ଜୋର୍ ଧରିଛି ଚର୍ଚ୍ଚା ।  ମୋଦି ସରକାରଙ୍କ ଅମଳରେ ଓଡିଶାକୁ ରେଳ ବଜେଟରେ ସର୍ବାଧିକ ଗୁରୁତ୍ବ ଦିଆଯାଉଛି ।   ରାଜ୍ୟ ଯେତିକି ମାଗୁଛି କେନ୍ଦ୍ର ସେହି ଅନୁପାତରେ ଦାବି ପୂରଣ କରୁଛି । ଏଥିପାଇଁ ବୋଧ ହୁଏ ଗତ କିଛି ବର୍ଷ ହେଲା ରେଳ ବଜେଟକୁ ନେଇ କେନ୍ଦ୍ର ଅବହେଳା ନାରା ଶୁଣିବାକୁ ମିଳୁନି ।

ଗତବର୍ଷ ରେଳ ବଜେଟରେ ଓଡ଼ିଶା ୭ହଜାର ୨୦୦କୋଟି ଟଙ୍କା ଦାବି କରିଥିବା ବେଳେ   ମିଳିଥିଲା ୭ହଜାର କୋଟି ଟଙ୍କା । ୨୦୨୦-୨୧ରେ ରାଜ୍ୟ ପାଇଥିଲା ସାଢେ ୪ ହଜାର କୋଟି । ୨୦୧୪ ପୂର୍ବରୁ ରେଳ ବଜେଟରେ ଓଡିଶା ଭାଗ ମାତ୍ର ୧ ହଜାର କୋଟି ଭିତରେ ରହୁଥିଲା । ଏବେ ଅନୁଦାନ ମାତ୍ରା ଢ଼େର୍ ବଢ଼ିଛି । ଗତ ବର୍ଷ ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ  ରେଳବଜେଟରେ ୧ ହଜାର  କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ତା’ପୂର୍ବ ବର୍ଷ ଏଥିପାଇଁ ୫୨୦ କୋଟି ଟଙ୍କା ମିଳିଥିଲା ।

ସେହିଭଳି ବାଂଶପାଣି- ଦୈତାରୀ ରେଳ ପ୍ରକଳ୍ପ ପାଇଁ ଗତବର୍ଷ ବଜେଟ୍ ଥିଲା ୨୨୮ କୋଟି । ତା’ପୂର୍ବ ବର୍ଷ ବଜେଟ ଥିଲା ୮୦ କୋଟି । ସେହିଭଳି ଭଦ୍ରକ-ନିର୍ଗୁଣ୍ଡି ପାଇଁ ଗତଥର ବ୍ୟୟବରାଦ ହୋଇଥିଲା ୨୨୯ କୋଟି। ରାଉରକେଲା-ଝାରସୁଗୁଡା ପାଇଁ ଗତବର୍ଷ ମିଳିଥିଲା ୨୩୦ କୋଟି । ତୁରନ୍ତ ଏସବୁ ପ୍ରକଳ୍ପ ସାରିବାକୁ ବଡ ବ୍ୟୟବରାଦ ହୋଇପାରେ । ଏଥର ରାଜ୍ୟ ସରକାର କେତେ ଦାବି କରିଛନ୍ତି ତାହା ଜଣାପଡିନି, ତେବେ ଗତଥର ଅପେକ୍ଷା ଏଥର ଆଶା ଅଧିକ । କାରଣ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡିଶାରୁ ପ୍ରତିନିଧିତ୍ବ କରୁଛନ୍ତି।ରାଜ୍ୟରେ ପୁରୁଣା ପ୍ରକଳ୍ପକୁ ସାରିବା ସହ ନୂଆ ପ୍ରକଳ୍ପ ହେବା ନେଇ ବଜେଟରେ ବ୍ୟବସ୍ଥା ହୋଇପାରେ  ବୋଲି ବିଶେଷଜ୍ଞ କହିଛନ୍ତି ।

ଗତ କିଛିବର୍ଷ ଧରି ରେଳ ବଜେଟ୍ ରେ ଓଡିଶାର ଭାଗ ବଢିଛି । କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ  ଓଡିଶାର ହେଉଥିବା ରେଳ ପ୍ରକଳ୍ପ କାମ ସାରିବାକୁ ଗୁରୁତ୍ବ ଦିଆଯାଉଛି ।ତଥାପି ରେଳ ବଜେଟକୁ ନେଇ କିନ୍ତୁ ରାଜନୀତି ଥମୁନି । ରାଜ୍ୟ ସରକାରଙ୍କ ଦାବି ମୁତାବକ ରେଳ ବଜେଟରେ ଓଡିଶାର ଭାଗ ମିଳୁନଥିବାରୁ ରାଜ୍ୟକୁ ନିରାଶ ହେବାକୁ ପଡୁଛି ବୋଲି ବିଜେଡି କହିଛି । କଂଗ୍ରେସ ଭୁବନେଶ୍ବର ବିଶ୍ବସ୍ତରୀୟ ଷ୍ଟେସନ ନହେବା, ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ କାମ ସରି ନଥିବା ଉଦାହରଣ ଦେଇଛି ।  ଅଧିକ ରାଜସ୍ଵ ଦେଉଥିବା ରାଜ୍ୟକୁ ବଜେଟରେ ଅଧିକ ଭାଗ ମିଳିବା ଦରକାର ବୋଲି ଯୁକ୍ତି ବାଢିଛି କଂଗ୍ରେସ । ଜବାବରେ ବିଜେପି କହିଛି ମୋଦି ସରକାରରେ ରାଜ୍ୟ ମାଗିବାଠୁ ଅଧିକ ଅର୍ଥ ମିଳୁଛି । ରାଜ୍ୟର ରେଳ ବିକାଶରେ ଏହି ଧାରା ଆଗକୁ ବଜାୟ ରହିବ ଓ ଏଥର ବଜେଟରେ ବି ତାହା ପ୍ରତିଫଳିତ ହେବ।

Spread the love