ନିଜ ସାଥୀଙ୍କୁ ନେଇ ପ୍ରଥମ ଥର ପାଇଁ ସାମ୍ନାକୁ ଆସୁଛନ୍ତି ଧାବିକା ଦୂତି ଚାନ୍ଦ

ନିଜ ସାଥୀଙ୍କୁ ନେଇ ପ୍ରଥମ ଥର ପାଇଁ ସାମ୍ନାକୁ ଆସୁଛନ୍ତି ଧାବିକା ଦୂତି ଚାନ୍ଦ। ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ନିଜ ଜୀବନ ସାଥୀ ମୋନାଲିସାଙ୍କୁ ସେ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି। ପାରିବାରିକ ପତ୍ରିକା ‘କାଦମ୍ବିନୀ’ରେ ନିଜ ପ୍ରେମ କାହାଣୀକୁ ନେଇ ମୁହଁ ଖୋଲିଛନ୍ତି ଦୂତି। ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ଦୂତି ଏଥରକ ଖୋଲାଖୋଲି ଭାବେ ଏ ସମ୍ପର୍କରେ ଆଲୋଚନା କରିଛନ୍ତି। ଭାଲେଣ୍ଟାଇନ୍‌ ଡେ’ ଅବସରରେ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ପ୍ରଚ୍ଛଦ ପୃଷ୍ଠାରେ ନଜର ଆସିବେ ଦୂତି ଓ ତାଙ୍କ ପ୍ରେମିକା ମୋନାଲିସା। କାଦମ୍ବିନୀର ସମ୍ପାଦିକା ଡକ୍ଟର ଇତି ସାମନ୍ତଙ୍କ ସହ ଆଲୋଚନା ବେଳେ ଦୂତି ନିଜ ମନ କଥା ସେୟାର କରିଛନ୍ତି।ଦୂତି କହିଛନ୍ତି, ପ୍ରେମର ପରିଭାଷା ଏକ। ପ୍ରେମ ଦେଖେନି ରଙ୍ଗ, ରୂପ କି ଲିଙ୍ଗ। ଏଣୁ ଅନ୍ୟ ସବୁ ପ୍ରେମ ଭଳି ସମଲିଙ୍ଗୀ ପ୍ରେମର ପରିଭାଷା ବି ସମାନ। କେବଳ ମଣିଷର ଦୃଷ୍ଟି ଭଙ୍ଗୀ ଭିନ୍ନ। ଲୋକମାନଙ୍କର ନାନା କଥା ତାଙ୍କ ପ୍ରେମକୁ ଦୁର୍ବଳ କରିପାରିନାହିଁ କି କରି ବି ପାରିବନି। ସବୁ ପରିସ୍ଥିତିରେ ସେ ମୋନାଲିସାଙ୍କ ପ୍ରତି ନିଜ ଭଲ ପାଇବାକୁ ବଜାୟ ରଖିବେ। ତାଙ୍କ ପ୍ରେମ ଶାଶ୍ୱତ ଓ ଚିରନ୍ତନ, ଯାହା ଶେଷ ନିଃଶ୍ୱାସ ଯାଏଁ ସେ ବଜାୟ ରଖିବେ ବୋଲି କହିଛନ୍ତି ଦୂତି।କାଦମ୍ବିନୀ’ ପତ୍ରିକା ପାଇଁ କରିଥିବା ଏହି ଆଲୋଚନା ବେଳେ ଦୂତି ନିଜ ପ୍ରେମ କାହାଣୀ ବି ସେୟାର କରିଛନ୍ତି। ସେ ପ୍ରଥମ ଥର ପାଇଁ ମୋନାଲିସାଙ୍କୁ ନିଜ ଗାଁର ଖୁଦୁରୁକୁଣୀ ପୂଜା ବେଳେ ଭେଟିଥିଲେ ବୋଲି କହିଛନ୍ତି। ସେବେଠାରୁ ଉଭୟଙ୍କର ପରସ୍ପର ପ୍ରତି ଆକର୍ଷଣ ବଢ଼ିଥିଲା। ତା’ ପରେ ସେମାନେ ମୋବାଇଲରେ କଥା ବାର୍ତ୍ତା ଜାରି ରଖିଥିଲେ। କିନ୍ତୁ ବର୍ଷେ ପରେ ନିଜ ପ୍ରେମ ସମ୍ପର୍କରେ ମୁହଁ ଖୋଲି କହିଥିଲେ। ସେବେ ଠାରୁ ଏହି ଯୋଡ଼ି ଏକାଠି ଅଛନ୍ତି ବୋଲି କହିଛନ୍ତି। ସେମାନଙ୍କ ପ୍ରେମ କାହାଣୀ ବିଷୟରେ ଆହୁରି ଅନେକ କଥା ଦେଖିବାକୁ ମିଳିବ  ‘କାଦମ୍ବିନୀ’ ପତ୍ରିକାରେ।

Spread the love