ପଂଚାୟତ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ , ଭୋଟର ମାନଙ୍କୁ ଖୋଲାଖୋଲି ଭାବେ ଟଙ୍କା ବଂଟନ କରି ପ୍ରଭାବିତ କରା ଯାଉଛି : ବିଜେପି

ଭୂବନେଶ୍ୱର : ଶାସକ ବିଜେଡି ଶାସନ କ୍ଷମତାର ଅପବ୍ୟବହାର ସହ ଭୋଟର ମାନଙ୍କୁ ଖୋଲାଖୋଲି ଭାବେ ଟଙ୍କା ବଂଟନ କରି ପ୍ରଭାବିତ କରୁଛି। ଏଭଳି ଅଗଣତାନ୍ତ୍ରୀକ ଏବଂ ନିର୍ବାଚନ ଆଚରଣ ବିରୋଧୀ କାର୍ଯ୍ୟକୁ ସରକାରୀ ଅଧିକାରୀ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ କରାଯାଉଥିଲେ ସୁଦ୍ଧା ପ୍ରଶାସନ ନୀରବଦ୍ରଷ୍ଟା ସାଜି ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଭଳି ଅନେକ ଘଟଣା ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଶାସକ ଦଳ ଏବଂ ଏହାର କର୍ମକର୍ତା ମାନେ ମଧ୍ୟ ଜାଣିଶୁଣି ନିୟମ ଉଲ୍‌ଲଘଂନ କରୁଛନ୍ତି । ଶାସକ ଦଳ ପରବର୍ତୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ବ୍ୟାପକ ଭାବେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଛି ବୋଲି ବିଜେପି ପ୍ରତିନିଧି ଦଳ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି।
ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜିଲ୍ଲା ପରିଷଦ ପ୍ରାର୍ଥୀ ଜୋନ ନଂ-୧ର ବିଜେଡି ପ୍ରାର୍ଥୀ ରାକେଶ ନାୟକ ଓ ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥୀ ଅଭିମନ୍ୟୁ ଜେନା ଖୋଲାଖୋଲି ଭାବେ ସମସ୍ତଙ୍କ ଉପସ୍ଥିତିରେ ଭୋଟରଙ୍କୁ ଟଙ୍କା ବଂଟନ କରି ଭୋଟ ଦେବା ପାଇଁ ବାଧ୍ୟ କରୁଛନ୍ତି। ଏହି ସମସ୍ତ ଘଟଣା କ୍ୟାମେରାରେ ରେକର୍ଡ ହୋଇଛି ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆରେ ପ୍ରଦର୍ଶିତ ହୋଇଛି । ତ୍ରିସ୍ତରୀୟ ପଂଚାୟତ ଆଚରଣ ବିଧି ଅନୁଯାୟୀ ଶାସକ ଦଳ ନିୟମର ଉଲ୍ଲଘଂନ କରୁଛନ୍ତି। ତେଣୁ ଆଇନ ଅନୁଯାୟୀ ସେମାନଙ୍କୁ ଦଣ୍ଡିତ କରିବା ଉଚିତ୍। ସେମାନଙ୍କ ବିରୋଧରେ ନିର୍ବାଚନ କମିଶନ ବିହୀତ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପ୍ରତିନିଧି ଦଳ ଦାବୀ କରିଛି । ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ, ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲିଗାଲ ସେଲର ଜୟନ୍ତ ଜେନା, ରବିଶଂକର ପଟ୍ଟନାୟକ ଓ ମହେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Spread the love