ବଜେଟରୁ ଶସ୍ତା ମହଙ୍ଗା ଗାୟବ, ୯୦% ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି GST

ନୂଆଦିଲ୍ଲୀ ୧।୨: ସଂସଦରେ ମଙ୍ଗଳବାର କେନ୍ଦ୍ର ବଜେଟ୍ ୨୦୨୨-୨୩ ଉପସ୍ଥାପିତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମହତ୍ୱାକାଙକ୍ଷୀ ବଜେଟ୍ ଉପସ୍ଥାପନ କରିଥିବା ବେଳେ ସବୁ ବର୍ଗର ଲୋକଙ୍କୁ ସୁହାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି। ତେବେ ସବୁ ଥର ବଜେଟ୍‌ରେ ଶସ୍ତା, ମହଙ୍ଗାକୁ ନେଇ ଲୋକଙ୍କ ଯେଉଁ ଅପେକ୍ଷା ଥାଏ ତାହା ଏଥର ଗାୟବ ରହିଛି। ସରକାର ଆମଦାନୀ ଶୁଳ୍କ ଓ ଅନ୍ୟ ବାବଦେ ଆପଣାଇଥିବା ନରମ ମନଭାବରୁ ଏ ସମ୍ପର୍କିତ ସାମଗ୍ରୀ ଓ ବସ୍ତୁ ଶସ୍ତା ହେବ ବୋଲି ଆକଳନ କରାଯାଉଛି। ତେବେ ୯୦ ପ୍ରତିଶତ ଉତ୍ପାଦ ସାମଗ୍ରୀ ଓ ସେବା କର( ଜିଏସଟି) ଅନ୍ତର୍ଗତ ହୋଇଥିବାରୁ ବଜାରରେ ଶସ୍ତା ଓ ମହଙ୍ଗା  ଶୁଳ୍କ ଅନୁସାରେ ନିର୍ଦ୍ଧାରଣ ହେବ।

ଦେଶରେ ୨୦୧୭ ମସିହାରେ ଜିଏସଟି କାର୍ଯ୍ୟକାରୀ ହୋଇଥିଲା। ସେବେଠାରୁ ଜିଏସଟି ପରିଷଦଙ୍କ ବୈଠକରେ ସାମଗ୍ରୀ ଓ ସେବା ଉପରେ ଶୁଳ୍କହାର ଧାର୍ଯ୍ୟ ହେଉଛି। ବର୍ଷକୁ ବର୍ଷ ଜିଏସଟି ପରିସର ବଢ଼ି ବଢ଼ି ଚାଲିଥିବା ବେଳେ ବଜେଟରୁ ମହଙ୍ଗା ଓ ଶସ୍ତାର କ୍ଷମତା ହ୍ରାସ ହୋଇ ଚାଲିଛି। ଜିଏସଟିରେ ୧୭ ପ୍ରକାରର ଅପ୍ରତ୍ୟକ୍ଷ କର ସାମିଲ ହୋଇଛି। ଏଣୁ ଜିଏସଟି କାଉନସିଲ ହିଁ ଏବେ ଶୀର୍ଷ ଦରନିର୍ଦ୍ଧାରକ ହୋଇଛନ୍ତି।

ସରକାରଙ୍କ ଆୟର ସବୁଠୁ ବଡ ସାଧନ ହେଉଛି ଶୁଳ୍କ। ଯେଉଁଥିରେ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ କର ମଧ୍ୟ ସାମିଲ। ଏଣୁ ଇମ୍ପୋର୍ଟ ଏକ୍ସାଇଜ କମିଲେ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଥିବା ବେଳେ କମିଲେ ମୂଲ୍ୟ ହ୍ରାସ ହୋଇଥାଏ। ଏଣୁ ସରକାରଙ୍କ ଶୁଳ୍କ ଅନ୍ତର୍ଗତ ଇମ୍ପୋର୍ଟଏକ୍ସାଇଜ ଯୋଗୁ ପେଟ୍ରୋଲ, ଡିଜେଲ, ଏଲପିଜି, ସିଏନଜି, ଆମଦାନୀ ହେଉଥିବା ମଦ୍ୟ, ଚମଡା ଉତ୍ପାଦ, ସୁନା, ରୂପା, ଇଲେକ୍ଟ୍ରେନିକ ଉତ୍ପାଦ, ମୋବାଇଲ, ରସାୟନ ଓ ବାହନ ଆଦି ସାମଗ୍ରୀ ଉପରେ ବଜେଟର ପ୍ରଭାବ ରହିଛି।

ଶସ୍ତା ହେବ ଏହି ସବୁ ସାମଗ୍ରୀ
ଏଣୁ ବଜେଟରେ ଅର୍ଥମନ୍ତ୍ରୀ ମୋବାଇଲ ଓ ଜୁଏଲରୀ ଇଣ୍ଡଷ୍ଟ୍ରିର ଅଭିବୃଦ୍ଧି ଲାଗି କଷ୍ଟମ ଏକ୍ସାଇଜରେ ରିହାତି ଦେଇଛନ୍ତି। ଏଣୁ ମୋବାଇଲ ଫୋନ, ମୋବାଇଲ ଚାର୍ଜର ଓ ହୀରା ସୁନାଗହଣା ଆଦି ଶସ୍ତା ହେବ ବୋଲି ଆକଳନ କରାଯାଉଛି। ଖାସ ଏହି କାରଣରୁ ଏବେ ବିଦେଶରୁ ଆମଦାନୀ ହେଉଥିବା ମେସିନ ଓ ମେସିନାରୀ ଶସ୍ତା ହେବାର ଆକଳନ କରାଯାଉଥିବାବେଳେ ବସ୍ତ୍ର ଓ ଚମଡା ସାମଗ୍ରୀ ଶସ୍ତା ହେବ ବୋଲି କୁହାଯାଉଛି। ସେହିପରି କୃଷି ଉପକରଣ, ପ୍ୟାକିଂ ବାକ୍ସ, ଜେମସ ଏଣ୍ଡ ଜ୍ୱେଲରୀ, ସ୍କ୍ରାପ ଷ୍ଟିଲ ମେନ୍ଥଲ ଅଏଲ ଶସ୍ତା ହେବ।
ଏହି ସବୁ ଜିନିଷ ହେବ ମହଙ୍ଗା
ଦେଶରେ ବିକ୍ରି ହେଉଥିବା ବିଦେଶୀ ଛତା, କ୍ୟାପିଟାଲ ଗୁଡସ୍, ବିନା ବ୍ଲେଣ୍ଡିଂ ଫୁଏଲ ଓ ଇମିଟେସନ ଜ୍ୱେଲରୀ ମହଙ୍ଗା ହେବ। ଏପରି ଅନେକ ସାମଗ୍ରୀରେ ଗତବର୍ଷ ବଜେଟ୍‌ରେ ବେଶ୍ ଶୁଳ୍କ ରିହାତି ଦିଆଯାଇଥିଲା। ତେବେ ଚଳିତବର୍ଷ ଏହି ସବୁ ସାମଗ୍ରୀରୁ ଚଳିତବର୍ଷ ଶୁଳ୍କ ରିହାତି ସୁବିଧା ହଟାଇ ଦିଆଯାଇଛି।

Spread the love