କାକାକୁ ପଥରରେ ଛେଚି ହତ୍ୟା ଘଟଣା, ୪ ଜଣଙ୍କୁ ଗିରଫ କଲା ପୋଲିସ୍‌

ପାଟଣା, ୦୫/୦୨: କେନ୍ଦୁଝର ଜିଲ୍ଲା ବାରିଆ ଥାନା କଙ୍କଡ଼ା ଗ୍ରାମର ଅଭିମନ୍ୟୁ ଆପଟ ହତ୍ୟାକାଣ୍ଡ ଘଟଣାରେ ବାରିଆ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ଭଗବାନ ଆପଟ, ତାଙ୍କ ସ୍ତ୍ରୀ ସବିତା ଆପଟ, ଦୁଇ ପୁଅ ବିଦ୍ୟାଧର ଆପଟ  ଓ କାଳୀଚରଣ ଆପଟ ।

ଜମି ବାଡ଼ି ବିବାଦକୁ ନେଇ ଶୁକ୍ରବାର ଏହି ହତ୍ୟାକାଣ୍ଡ ଘଟିଥିଲା। ସମ୍ପର୍କୀୟ ପୁତୁରା ଭଗବାନ ଆପଟ ନିଜ ପରିବାର ସହିତ ମିଶି କକା ଅଭିମନ୍ୟୁ ଆପଟକୁ ପଥରରେ ଛେଚି ନୃଶଂସ  ଭାବରେ ଶୁକ୍ରବାର  ହତ୍ୟା କରିଥିଲା  । ଏହି  ହତ୍ୟାକାଣ୍ଡରେ ଭଗବାନକୁ ସାହାଯ୍ୟ କରିଥିଲେ ସ୍ତ୍ରୀ ସବିତା ଓ ଦୁଇ ପୁଅ । ଘଟଣା  ଘଟାଇ ଘଟଣା ସ୍ଥଳରୁ ଅଭିଯୁକ୍ତ ଭଗବାନ ସମେତ ସ୍ତ୍ରୀ ଓ ଦୁଇ ପୁଅ ଫେରାର ହୋଇଯାଇଥିଲେ।

ମୃତ ଅଭିମନ୍ୟୁ ଆପଟଙ୍କ ଶବକୁ ଜବତ ପରେ ବ୍ୟବଛେଦ କରି ବାରିଆ ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତଙ୍କ ମୋବାଇଲ ଫୋନକୁ ଟ୍ରାକିଂ କରି ମୁଖ୍ୟ ଅଭିଯୁକ୍ତ ଭଗବାନ ଆପଟକୁ କେନ୍ଦୁଝର କୋର୍ଟ ନିକଟରୁ ଗିରଫ କରିଥିବା ବେଳେ ବଡ଼ ପୁଅ, ସ୍ତ୍ରୀ ଓ ସାନ ପୁଅକୁ ରାତିରେ ଘରୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତ ଭଗବାନ ଆପଟଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ବିଚାରାଧିନ ଥିବା ଥିବା ବେଳେ ୧୪/୨୨ରେ ମାମଲା ରୁଜୁ କରି ବାରିଆ ପୋଲିସ ୪ ଅଭିଯୁକ୍ତଙ୍କୁ ଆଇପିସି ଧାରା ୩୦୪, ୩୪ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବାରିଆ ଥାନା ଅଧିକାରୀ ବନ୍ଦନା ପାତ୍ର ସୂଚନା ଦେଇଛନ୍ତି।

Spread the love