ମୋଦିଙ୍କ ସ୍ୱାଗତ ଲାଗି ବିମାନବନ୍ଦରକୁ ଆସିଲେନି ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ

ହାଇଦ୍ରାବାଦ ୫।୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆଇସିଆରଆଇଏସଏଟିର ୫୦ତମ ସ୍ଥାପନା ଦିବସ ସମାରୋହ ଓ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟିର ଉନ୍ମୋଚନ ଲାଗି ତେଲେଙ୍ଗାନାରେ ପହଞ୍ଚିଛନ୍ତି। ମୋଦି ମଧ୍ୟାହ୍ନରେ ହାଇଦ୍ରାବାଦ ବିମାନ ବନ୍ଦରରେ ଅବତରଣ କରିଥିବା ବେଳେ ରାଜ୍ୟପାଳ ତମିଲିସାଇ ସୌନ୍ଦର ରାଜନ, କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀ ଜି.କିଶନ ରେଡ୍ଡୀ ତେଲେଙ୍ଗାନା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଟି.ଶ୍ରୀନିବାସ ଯାଦବ ଆଦି ତାଙ୍କୁ ସ୍ୱାଗତ କରିବା ସହ ପାଛୋଟି ଆଣିଥିଲେ। ତେବେ ରାଜ୍ୟକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଅନୁପସ୍ଥିତ  ଥିବା ଦେଖା ଯାଇଛି।

ତେବେ ରାଓ ଅସୁସ୍ଥ ଥିବା ପ୍ରଗତି ଭବନ ସୂତ୍ରରୁ କୁହାଯାଇଛି। ତାଙ୍କ ଦିନରେ ସାମାନ୍ୟ ଜ୍ୱର ହୋଇଯାଇଥିଲା। ତେବେ ସେ ସନ୍ଧ୍ୟାରେ ଷ୍ଟାଚ୍ୟୁ ଅଫ ଇକ୍ୱାଲିଟିର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି କୁହାଯାଇଛି। ସେପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଟି.ଶ୍ରୀନିବାସ ଯାଦବଙ୍କୁ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ଓ ପ୍ରସ୍ଥାନ ସମ୍ବର୍ଦ୍ଧନା ଲାଗି ନାମିତ କରାଯାଇଥିବା କୁହାଯାଇଛି। ତେବେ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କାର୍ଯ୍ୟକ୍ରମରୁ ମୁଖ୍ୟମନ୍ତ୍ରୀ ରାଓ ନିଜକୁ ଦୂରେଇ ରଖିବାର କାରଣ କେନ୍ଦ୍ରୀୟ ବଜେଟ ବୋଲି ଏବେ କୁହାଯାଉଛି।

ଫେବୃଆରୀ ୨ ତାରିଖ ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ୨୦୨୨-୨୩ ସଂସଦରେ ଉପସ୍ଥାପନ କରିଥିଲେ। ତେବେ ଏହା ଏକ ଗୋଳମାଳିଆ ବଜେଟ୍ ବୋଲି ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ କହିଥିଲେ। ସେ କହିଥିଲେ ଯେ ଉଭୟ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ଦେଶକୁ ସେମାନଙ୍କ କ୍ଷମତାର ଅନୁଭବ କରାଇବାରେ ବିଫଳ ହୋଇଛନ୍ତି। ବଜେଟ ଦେଶର ସ୍ୱାର୍ଥ ବିରୋଧୀ ବୋଲି ସେ କହିଥିଲେ। ଏଣୁ ସେ ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିବା ଜଣାପଡିଛି।

Spread the love