ବାପାଙ୍କୁ ଗଛରେ ବାନ୍ଧି ଝିଅର ମୃତଦେହକୁ ପୋଡ଼ିଦେଲେ ମାଲିକ

ନୂଆପଡ଼ା : କାମଧନ୍ଦା ଅଭାବରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଶ୍ରମିକମାନେ। ତେବେ ପରବର୍ତ୍ତୀ ସମୟରେ ସେଠାରେ ମୃତ୍ୟୁବରଣ କରୁଥିଲେ ମଧ୍ୟ ମାଲିକମାନେ ମୃତଦେହ ଛାଡୁନାହାନ୍ତି। ଏପରିକି ମୃତ ଶ୍ରମିକଙ୍କ ବାପାଙ୍କୁ ଗଛରେ ବାନ୍ଧି ମୃତଦେହ ସେଠାରେ ପୋଡ଼ିଦିଆଯିବା ଭଳି ଏକ କରୁଣ ଚିତ୍ର ସାମ୍ନାକୁ ଆସିଛି। ନୂଆପଡ଼ା ଜିଲ୍ଲା ଲଖନା ଥାନା ମୁରରିବାହାଲି (ଡୁମେରପଡ଼ା) ଗାଁର ଏକ ଶ୍ରମିକ ପରିବାର ଆନ୍ଧ୍ରପ୍ରଦେଶର ନେଲୁର ଜିଲ୍ଲାକୁ ଇଟା ଗଢ଼ିବାକୁ ଯାଇଥିଲେ। ସେଠାରେ କୁମୁଦିନୀ ମାଝୀ (୧୬) ନାମକ ଜଣେ ନାବାଳିକା କାମ କରୁଥିବା ସମୟରେ ମୃତ୍ୟୁବରଣ କରିଛନ୍ତି।ତାଙ୍କ ମୃତଦେହ ଏଠାକୁ ଆଣି ସଂସ୍କାର କରିବାକୁ କୁମୁଦିନୀଙ୍କ ବାପା କାକୁତିମିନତି ହେବା ସତ୍ତ୍ବେ ଇଟାଭାଟି ମାଲିକ ତାଙ୍କୁ ଏକ ଗଛରେ ବାନ୍ଧିଦେଇ ବଳପୂର୍ବକ ସେଠାରେ ମୃତଦେହ ପୋଡ଼ି ଦେଇଥିବା ଖବର ଆସିଛି। ଏହି ଖବର ପ୍ରଚାରିତ ହେବାପରେ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି।
ଆଜିକୁ ୩ ମାସ ତଳେ ଡୁମେରପଡ଼ାର ଲୋଚନ ମାଝୀ ସ୍ତ୍ରୀ ମିଥିଳା ମାଝୀ ଓ ଝିଅ କୁମୁଦିନୀ ମାଝୀଙ୍କୁ ନେଇ କଣ୍ଟାବାଞ୍ଜିର ଜଣେ ଶ୍ରମିକ ସର୍ଦ୍ଦାରଙ୍କ ସହାୟତାରେ କାମ କରିବାକୁ ନେଲୁର ଯାଇଥିଲେ। ସେଠାରେ କିଛିଦିନ କାମ କରିବା ପରେ କୁମୁଦିନୀ ହଠାତ୍‍ ଅସୁସ୍ଥ ହୋଇପଡ଼ିଥିଲେ। ଠିକ ସମୟରେ ଚିକିତ୍ସା ନ ମିଳିବାରୁ ଶୁକ୍ରବାର ତାଙ୍କ ମୃତ୍ୟୁ ହୋଇଥିଲା।ତେବେ ଝିଅର ମୃତଦେହ ଗାଁକୁ ଆଣି ସଂସ୍କାର କରିବାକୁ ବାପା ଲୋଚନ ବାରମ୍ବାର ଅନୁରୋଧ କରିଥିଲେ। ହେଲେ ଇଟାଭାଟି ମାଲିକ ନାନା ବାହାନା କରି ମୃତଦେହ ଛାଡ଼ି ନ ଥିଲେ। ଇଟାଭାଟି ମାଲିକ କାହିଁକି ଏଭଳି ଅମାନବୀୟ କାଣ୍ଡ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ପରିବାର ଲୋକେ ଏଠାକୁ ଆସି ଏ ସମ୍ପର୍କରେ ଲଖନା ଥାନାରେ ଜଣାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଜଣାପଡ଼ିଛି। ଏସପି ଏହି ଘଟଣାରେ ହସ୍ତକ୍ଷେପ କରି ଉଚିତ ପଦକ୍ଷେପ ନେବାକୁ ଦାବି ହୋଇଛି।

Spread the love