ସ୍ତ୍ରୀର ଛୁରା ମାଡ଼ରେ ସ୍ଵାମୀ ମୃତ

ଆଠଗଡ଼, ୦୯/୦୨: ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ୪ ନମ୍ବର ୱାଡ ହରିଜନ ସାହିରେ ସ୍ତ୍ରୀର ଛୁରା ମାଡ଼ରେ ସ୍ଵାମୀ ମୃତ । ମୃତ ବ୍ୟକ୍ତିଙ୍କ ନାମ ମଙ୍ଗୁଳି ନାଏକ । ପାରିବାରିକ କଳହକୁ ନେଇ ସ୍ୱାମୀକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ଵୀକାର କରିଛି ହତ୍ୟାକାରି ସ୍ତ୍ରୀ ।

ସ୍ତ୍ରୀ ରୀନା ନାଏକ ଓ ତାଙ୍କ ସ୍ଵାମୀ ମଧ୍ୟରେ ଦୀର୍ଘ ଦିନ ଧରି କଳହ ଲାଗି ରହୁଥିଲା । ମଙ୍ଗୁଳି ନାଏକ ରୀନାଙ୍କୁ ଦ୍ଵିତୀୟ ବିବାହ କରିଥିବା ଜଣାପଡ଼ିଛି । ପ୍ରଥମ ସ୍ତ୍ରୀ ମାମି ନାଏକ ଥାଇ ମଙ୍ଗୁଳି ରୀନାଙ୍କୁ ଦ୍ଵିତୀୟ ବିବାହ କରିଥିଲେ । ରୀନା ମଧ୍ୟ ପୁର୍ବରୁ ସେହି ସାହିରେ ଅନ୍ୟ ଜଣଙ୍କୁ ବିବାହ କରିଥିଲେ । କିଛି ମାସ ପୂର୍ବରୁ ମଙ୍ଗୁଳି ନାଏକ ଓ ରୀନା ନାଏକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ମଙ୍ଗୁଳି ରୀନାଙ୍କୁ ନେଇ କୁଆଡେ ଚାଲି ଯାଇଥିଲେ । କିଛି ଦିନ ପରେ ଘରକୁ ଆସି ରହିଥିଲେ ।

ପରେ ରୀନା ଓ ମଙ୍ଗୁଳି ନାଏକଙ୍କ ମଧ୍ୟରେ ସବୁ ସମୟରେ କଳହ ଲାଗି ରହୁଥିଲା । ଯାହାର ଫଳ ସ୍ୱରୂପ ଆଜି ରୀନା ରାଗରେ ମଙ୍ଗୁଳିଙ୍କୁ ଏକ ଛୁରି ସାହାଯ୍ୟରେ ବେକ ଓ ପେଟକୁ ଆଘାତ କରିବାରୁ ଘଟଣା ସ୍ଥଳରେ ହିଁ ମଙ୍ଗୁଳିଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଆଠଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରୀନାଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Spread the love