ଦୁର୍ନୀତି ଠୁ ବହୁ ଦୂରରେ ପୂର୍ତ୍ତ ସଚିବ

ପୂର୍ତ୍ତ ସଚିବ ଦାୟିତ୍ୱରେ ଥିବା ଆଇଏଏସ ଅଫିସର କ୍ରିଷନ କୁମାରଙ୍କୁ ପ୍ରଶଂସା । ଶାସକ ଦଳର ନୁହେଁ , ଖୋଦ ବିରୋଧୀ ଦଳ ବିଧାୟକଙ୍କ ପ୍ରଶଂସା । ତାହାପୁଣି ବିଧାନସଭାର ପ୍ରଶ୍ନକାଳରେ । ସେ ବିଭାଗ ଦାୟିତ୍ଵରେ ରହିବା ଉଚିତ । ସେ ରହିଲେ ଦୁର୍ନୀତି କମିବ ବୋଲି ବିଧାୟକ ମାନେ ମତ ରଖିଛନ୍ତି । ଆଜି ପ୍ରଶ୍ନକାଳରେ କଂଗ୍ରେସର ଦୁଇ ଟାଣୁଆ ବିଧାୟକ ତାର ପ୍ରସାଦ ବାହିନୀପତି ଓ ସୁରେଶ କୁମାର ରାଉତରାୟ ଏଭଳି କହିଛନ୍ତି ।
ରାଜ୍ୟର ଇଞ୍ଜିନିୟରିଂ ପଦବୀରେ କେତେ ନିଯୁକ୍ତି ହୋଇଛି ଏବଂ ପୂର୍ତ୍ତ ବିଭାଗର ସଚିବ ପଦରେ ଜଣେ ଆଇଏଏସ ଅଫିସରଙ୍କୁ କାହିଁକି ନିଯୁକ୍ତି ଦିଆଯାଇଛି ବୋଲି ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ କରୁଥିବା ବେଳେ ଦଳର ଅନ୍ୟ ଦୁଇ ବିଧାୟକ ଏଭଳି ଟିପ୍ପଣୀ ଦେଇଥିଲେ । ତେବେ ଏହି ଦୁଇ ବିଧାୟକଙ୍କୁ ବାଚସ୍ପତି କହିବାକୁ ଅନୁମତି ଦେଇନଥିବାରୁ ସେମାନଙ୍କ ଟିପ୍ପଣୀ ଗୃହର ବିବରଣୀରେ ସ୍ଥାନ ପାଇଲାନାହିଁ ।
ସାଲୁଜା ଏହି ପ୍ରଶ୍ନ କରୁଥିବା ବେଳେ ତାଙ୍କ ଦକ୍ଷିଣ ପାର୍ଶ୍ୱରେ ବସିଥିବା ସୁରେଶ ରାଉତରାୟ ସଙ୍ଗେ ସଙ୍ଗେ ପ୍ରତିବାଦ କରିଥଲେ । କହିଥିଲେ ସଚିବ ଜଣେ ଫାଇନ ଲୋକ । ଦୁର୍ନୀତି ନାହିଁ । ତାଙ୍କ ସହ ତାରା ବି ସ୍ୱର ମିଳାଇଥିଲେ ।

Spread the love