ପୁରୀ ସଦରରେ ଗୁରୁ-ଶିଷ୍ୟ ଲଢ଼େଇ: ମହେଶ୍ବରଙ୍କ ପାଇଁ ପ୍ରତିଶୋଧର ସୁଯୋଗ

ପୁରୀ : ପୁରୀ ସଦର ବ୍ଲକରେ ଜମୁଛି ପଞ୍ଚାୟତ ନିର୍ବାଚନ ପ୍ରଚାର | ଭୋଟରଙ୍କୁ ମନେଇବାରେ ଲାଗି ପଡ଼ିଛନ୍ତି ପ୍ରାର୍ଥୀ। ଭିନ୍ନ ଭିନ୍ନ ତରିକାରେ ପ୍ରାର୍ଥୀମାନେ ପ୍ରଚାରକୁ ଜୋର୍‌ଦାର କରୁଛନ୍ତି । କିନ୍ତୁ ପ୍ରାର୍ଥୀଙ୍କ ଅପେକ୍ଷା ଏହି ନିର୍ବାଚନକୁ ନେଇ ବେଶ୍ ଚାପରେ ଗୁରୁ ଶିଷ୍ୟ (ମହେଶ୍ବର ମହାନ୍ତି ଓ ଜୟନ୍ତ ଷଡ଼ଙ୍ଗୀ) ରହିଛନ୍ତି ବୋଲି ଚର୍ଚ୍ଚା ହେଉଛି। ପଞ୍ଚାୟତ ନିର୍ବାଚନ ଉଭୟଙ୍କ ପାଇଁ ସମ୍ମାନର ପ୍ରଶ୍ନ। ହେଲେ ମହେଶ୍ବରଙ୍କ ପାଇଁ ପଞ୍ଚାୟତ ନିର୍ବାଚନ ପ୍ରତିଶୋଧ ନେବାର ସୁଯୋଗ ସୃଷ୍ଟି କରିଥିବା ବେଳେ ଜୟନ୍ତଙ୍କ ପାଇଁ ଏହା ଅଗ୍ନି ପରୀକ୍ଷା ବୋଲି କୁହାଯାଉଛି। ତେଣୁ ସଦର ବ୍ଲକରେ ଗୁରୁ-ଶିଷ୍ୟ ଲଢ଼େଇ ମଧ୍ୟରେ କିଏ ବାଜି ମାରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ବିଜେଡି ଗଡ଼କୁ ଜୟନ୍ତ ଭେଦ କରିପାରୁଛନ୍ତି ନା ରାଜନୀତିର ଭେଟେରାନ ଚେହେରା ମହେଶ୍ଵର ସାଧାରଣ ନିର୍ବାଚନ ପରାଜୟର ପ୍ରତିଶୋଧ ନେଉଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି।

ପୁରୀ ସଦର ବ୍ଲକରେ ୩ଟି ଜୋନ୍ (୨୫, ୨୬ ଓ ୨୭) ରହିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ସବୁ ଜୋନ୍‌ରେ ବିଜେଡି ଥିଲା। ସେହିପରି ବ୍ଳକର ୩୦ଟି ପଞ୍ଚାୟତ ମଧ୍ୟରୁ ୨୮ଟି ସରପଞ୍ଚ ଏବଂ ୨୭ଟି ସମିତି ସଭ୍ୟ ଜିତିଥିଲା ବିଜେଡି । ଚଳିତଥର ବ୍ଲକର ତିନୋଟି ଯାକ ଜୋନ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ନିଜ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଗୁରୁ-ଶିଷ୍ୟ ଫୁଲ ଦମ୍‌ରେ ଲାଗି ପଡ଼ିଛନ୍ତି।

ମହେଶ୍ବର ବିଜୁ ଜନତା ଦଳର ଜିଲ୍ଲା ସଭାପତି । ପୁରୀ ରାଜନୀତିର ଜଣେ ଆଗଧାଡ଼ିର ଚେହେରା। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରାୟ ଦୁଇ ଦଶନ୍ଧି ଧରି ପୁରୀ ସଦର ନିର୍ବାଚନମଣ୍ଡଳୀକୁ ନିଜ କବ୍ଜାରେ ରଖିଥିଲେ। ପାଞ୍ଚ ପାଞ୍ଚଥର ବିଧାୟକ ହୋଇଥିବା ମହେଶ୍ବର ମନ୍ତ୍ରୀ, ବିଧାନସଭା ବାଚସ୍ପତି ମଧ୍ୟ ହୋଇଛନ୍ତି। ହେଲେ ଗତ ସାଧାରଣ ନିର୍ବାଚନରେ ମହେଶ୍ବରଙ୍କୁ ଲଗିଥ୍‌ଲା ବଡ଼ ଝଟ୍‌କା। ନିଜ ଶିଷ୍ୟ ଜୟନ୍ତ ହିଁ ତାଙ୍କୁ ଦେଇଥିଲେ ଚକ୍‌ମା | ଜୟନ୍ତ ବିଜେଡିରୁ ଇସ୍ତଫା ଦେଇ ପଦ୍ମ ଧରି ସାଧାରଣ ନିର୍ବାଚନରେ ବିଜେପିରୁ ହିଁ ପ୍ରାର୍ଥୀ ହୋଇଥିଲେ । ମହେଶ୍ବର ୭୨,୭୩୯ ଖଣ୍ଡ ଭୋଟ ପାଇଥିବା ବେଳେ ଜୟନ୍ତଙ୍କୁ ମିଳିଥିଲା।
୭୬,୭୪୭ ଭୋଟ। କମ୍ ବ୍ୟବଧାନରେ ହେଉ ବରଂ ହାରିଯାଇଥିଲେ ମହେଶ୍ବର। ହେଲେ ପଞ୍ଚାୟତ ନିର୍ବାଚନ ମହେଶ୍ବରଙ୍କ ପାଇଁ ସମ୍ମାନର ପ୍ରଶ୍ନ ବୋଲି ଚର୍ଚ୍ଚା ହେଉଛି। ଯେ ହେତୁ ସେ ବିଜେଡି ଜିଲ୍ଲା ସଭାପତି ତେଣୁ ଜିଲ୍ଲାର ଫଳାଫଳ ତାଙ୍କ ଭାବମୂର୍ତ୍ତି ଉପରେ ପ୍ରତିଫଳିତ ହେବ। ତେଣୁ ନିଜ ଦକ୍ଷତାକୁ ପ୍ରତିପାଦିତ କରିବା ପାଇଁ ଗୋଟିଚାଳନା କରୁଛନ୍ତି ମହେଶ୍ଵର | ପୁଅ ସୁନୀଲଙ୍କୁ ମଧ୍ୟ ପ୍ରଚାର ମଇଦାନକୁ

ଜୟନ୍ତଙ୍କ ପାଇଁ ଅଗ୍ନିପରୀକ୍ଷା

ସାଧାରଣ ନିର୍ବାଚନରେ ଜିତିଥିଲେ ବି ପଞ୍ଚାୟତ ନିର୍ବାଚନ ଜୟନ୍ତଙ୍କ ପାଇଁ ଅଗ୍ନି ପରୀକ୍ଷା ବୋଲି କୁହାଯାଉଛି। କାରଣ ସାଧାରଣ ନିର୍ବାଚନରେ ରାଜନୀତିର ହାୱା ଟିକେ ଭିନ୍ନ ରହିଥିଲା। କମ୍ ବ୍ୟବଧାନରେ ଜିତିଥିଲେ ଜୟନ୍ତ। ଇତିମଧ୍ୟରେ ୩ ବର୍ଷ ବିତିଗଲାଣି। ସେ ଦଳୀୟ ସଙ୍ଗଠନକୁ କେତେଦୂର ସଜାଡ଼ି ପାରିଛନ୍ତି ତାହା ହିଁ ନିର୍ବାଚନ ଫଳାଫଳ ସ୍ପଷ୍ଟ କରିବ। କାରଣ ପଦ୍ମ ପୋଖରୀରେ ପାଦ ଦେଉ ଦେଉ ଦଳ ତାଙ୍କ ଉପରେ ଭରସା କରିଥିଲା । ଯେଉଁଥିପାଇଁ ହେଉନା କାହିଁକି ସେ ପ୍ରଥମ ଉଦ୍ୟମରେ ସଫଳତା ପାଇଥିଲେ। ହେଲେ ଏହାପରେ ସେ ଲୋକଙ୍କ ଭରସାଯୋଗ୍ୟ ହୋଇପାରିଛନ୍ତି ନା ନାହିଁ, ସାଧାରଣ ନିର୍ବାଚନରେ ଗୁରୁଙ୍କୁ ପରାଜୟର ରାସ୍ତା ଦେଖାଇବାରେ ତାଙ୍କର ଲୋକପ୍ରିୟତା ଥିଲା ନା ଆଉ କିଛି ତାହା ହିଁ ପଞ୍ଚାୟତ ନିର୍ବାଚନରୁ ଜଣାପଡ଼ିଯିବ। ତେଣୁ ନିଜ ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଜୟନ୍ତ ବି ଜୋର୍‌ଦାର ଲାଗିଛନ୍ତି। ବିଭିନ୍ନ ଜୋନ୍ ଏବଂ ପଞ୍ଚାୟତ ବୁଲି ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କୁ ନିବେଦନ କରୁଛନ୍ତି। ଗୋଟିଏ ପଟେ ବିଜେଡି ଗତ ପଞ୍ଚାୟତ ଫଳାଫଳକୁ ବଜାୟ ରଖୁବା ଲାଗି ଦମ୍ଭୋକ୍ତି ରଖୁଥିବା ବେଳେ ବିଜେଡି ଗଡ଼କୁ ଭେଦ କରି ବିଜେପି କିପରି ସଫଳତା ପାଉଛି ତାହା ଗଣତି ପରେ ହିଁ ସ୍ପଷ୍ଟ ହେବ। ତେବେ ପ୍ରଚ୍ଛଦପଟରେ ମହେଶ୍ବର-ଜୟନ୍ତ ଲଢ଼େଇର ପରିସମାପ୍ତି କିପରି ହେଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର।

Spread the love