ଦିବ୍ଯଙ୍କ ଦୁର୍ଗ ଭେଦିବାକୁ ବିରୋଧୀଙ୍କ ପ୍ରୟାସ

ଜିଲ୍ଲାର ସାମଗ୍ରିକ ବିକାଶକୁ ଆଧାର କରି ବିଜେଡି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଚାର ଚଳାଇଛି । ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ପ୍ରଚାରରେ ମହାରଥୀ ଭାବରେ ଅବତୀର୍ଣ୍ଣ ହୋଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ଅଭୂତପୂର୍ବ ବିକାଶ ଆଣିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ହୋଇଥିବା ବେଳେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀ

ମିଶ୍ର ବହୁ ଉନ୍ନୟନ କାର୍ଯ୍ୟ କରିଛନ୍ତି । ତେବେ ସଫଳତାର ସୂତ୍ର ଜାଣିଥିବା ଦିବ୍ୟଶଙ୍କରଙ୍କ ଦୁର୍ଗ ଭେଦ କରିବାକୁ ବିରୋଧୀ ରୀତିମତ ରଣକୌଶଳ ଚଳାଇଛନ୍ତି। ଏପରିକି ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ ଥିବା ୭ ଜିଲ୍ଲାପରିଷଦ ଜୋନ ମଧ୍ୟରେ ଧସେଇ ପଶି ବିଜେଡିକୁ ଚକମା ଦେବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ବିଭିନ୍ନ କୌଶଳ ଆପଣାଉଛନ୍ତି । ଜୁନାଗଡ଼ ନିର୍ବାଚନ ମଣ୍ଡଳୀରେ କୁନାଗଡ଼ ବ୍ଲକର ଆଟିଗାଁ (ଜୋନ୍-୧), ହାବସପୁର (ଜୋନ୍- ୨), ନାନ୍ଦୋଇ (ଜୋନ୍-୩), ଦାଶିଗାଁ (ଜୋନ୍‌-୪) ଓ ଗୋଲାମୁଣ୍ଡା ବ୍ଲକର ଗୋଲାମୁଣ୍ଡା (ଜୋନ୍‌-୧), ଦଶପୁର (ଜୋନ୍‌-୨) ଓ କେଗାଁ (ଜୋନ୍-୩) ମଧ୍ୟରୁ ଆଟିଗାଁ ଜୋନରେ ବିଜେଡିକୁ ଅଧିକ କସରତ କରିବାକୁ ପଡ଼ୁଥିବା ବେଳେ ଗୋଲାମୁଣ୍ଡା ବ୍ଲକ ଜୋନ୍‌-୧ରେ କଂଗ୍ରେସ ପ୍ରାର୍ଥୀ ଭଲ ସ୍ଥିତିରେ ଥିବା ଜଣାପଡୁଛି। ବିଜେପିର ଗ୍ରାମାଞ୍ଚଳ କର୍ମୀମାନେ ନିଷ୍ଠାର ସହ ପ୍ରଚାର କରି ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ସତ, ମାତ୍ର ଜିଲ୍ଲାସ୍ତରୀୟ ନେତାଙ୍କ ସମନ୍ବୟ ଅଭାବ କାରଣରୁ ଦଳ ଏକ ବାରିହେଉନି ଭୋଟରଙ୍କ ମତି ପ୍ରକାରର ଅଡୁଆ ସ୍ଥିତିର ସାମ୍ନା କରୁଛି। ଅନ୍ୟପକ୍ଷରେ ଗୋଲାମୁଣ୍ଡା ବ୍ଲକରେ କଂଗ୍ରେସ ଭଲ ପ୍ରାର୍ଥୀ ଦେଇଥିବା ସହ ବ୍ଲକସ୍ତରୀୟ କର୍ମକର୍ତ୍ତାମାନେ ନିଷ୍ଠାର ସହ କାମ କରୁଥିବାବେଳେ ଜିଲ୍ଲାସ୍ତରରୁ ଯେତିକି ପ୍ରୋତ୍ସାହନ ମିଳିବା କଥା ତାହା ମିଳୁନାହିଁ। ପ୍ରାର୍ଥୀମାନେ ଆର୍ଥିକ ଦୃଷ୍ଟିକୋଣରୁ ସ୍ୱଚ୍ଛଳ ନ ଥିବାରୁ ଭୋଟରଙ୍କ ନିକଟରେ ପହଞ୍ଚିବା ସେମାନଙ୍କ ପକ୍ଷରେ ଅସମ୍ଭବ ହୋଇପଡୁଛି। ଅନ୍ୟପକ୍ଷରେ ବିଜେଡି ପୂର୍ବ ସଙ୍ଗଠନକୁ ଜାଗ୍ରତ କରି ସବୁ ସ୍ଥାନରେ ସୈନିକ ଭଳି କର୍ମୀ ଓ ଆଞ୍ଚଳିକ ନେତାଙ୍କୁ ମୁତୟନ କରି ପ୍ରଚାରକୁ ଜୋରଦାର କରିବା ସହ ଆତ୍ମବିଶ୍ବାସକୁ ଦୃଢ଼ କରିପାରିଛି।

Spread the love