ବୟସର ଅପରାହ୍ନରେ ନିର୍ବାଚନ ଲଢିବାର ଇଚ୍ଛା, ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ୭୦ବର୍ଷ ବୟସ୍କା ମହିଳା

କଣ୍ଟାବାଞ୍ଜି ୧୧।୨: ଆଉ କିଛି ଦିନ ପରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ । ଗାଁ ଗହଳିରେ ଦେଖିବାକୁ ମିଳୁଛି ନିର୍ବାଚନ ତାତି । ସରପଞ୍ଚଠାରୁ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଭୋଟର ପ୍ରଚାରରେ ମାତିଛନ୍ତି । ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଯୁବକମାନେ ଆଗକୁ ଆସି ନିର୍ବାଚନ ଲଢୁଛନ୍ତି । ତେବେ ତୁରେକେଲା ବ୍ଲକ କୁଇଁବାହାଲ ପଂଚାୟତ ସରପଂଚ ପ୍ରାର୍ଥୀ ଭାବେ ୭୦ ବର୍ଷ ବୟସ୍କା ଜଣେ ବୃଦ୍ଧା ନିର୍ବାଚନ ଲଢୁଥିବା ଦେଖିବାକୁ ମିଳିଛି । ପରିଣତ ବୟସରେ ବୃଦ୍ଧବୃଦ୍ଧାମାନେ ଘରେ ରହି ଆରାମ କରୁଥିବା ବେଳେ ୭୦ ବର୍ଷ ବୟସ୍କା ବୃଦ୍ଧା ବିଲାସ ପୁଟେଲ ନିଜ ପୁଅ ଏବଂ ସମର୍ଥକମାନଙ୍କ ସହ ପ୍ରଚାରରେ ବାହାରିଛନ୍ତି ।

ପଞ୍ଚାୟତର ବିଭିନ୍ନ ଗାଁ ଗଳିକନ୍ଦି, ପଡାକୁ ପଡା ଯାଇ ଭୋଟ୍ ଭିକ୍ଷା କରୁଛନ୍ତି । ବୃଦ୍ଧା ବିଲାସଙ୍କ ସ୍ବାମୀ ଦସମୁ ପୁଟେଲ ପୂର୍ବତନ ସରପଞ୍ଚ  ଥିଲେ। ସେ ୩ ଥର ସରପଂଚ ରହିଥିଲେ । ବର୍ତ୍ତମାନ ସେ ଆରପାରିରେ । ପଂଚାୟତ ସଂରକ୍ଷଣରେ ମହିଳା ସିଟ୍ ହୋଇଥିବା ଯୋଗୁ ଗାଁ ଲୋକ ଏବଂ ମୋର ସମର୍ଥକମାନେ ନିର୍ବାଚନ ପାଇଁ ଆଗକୁ ଆସିବାକୁ କହିବାରୁ ମୁଁ ନିର୍ବାଚନ ଲଢୁଛି ।  ମୋର ସ୍ବାମୀ ଯେମିତି ଲୋକଙ୍କ ପାଇଁ କାମ କରୁଥିଲେ ମୁଁ ମଧ୍ୟ ଲୋକଙ୍କ ପାଇଁ ଜୀବନ ଥିବା ଯାଏଁ କାମ କରିବି ବୋଲି କହିଛନ୍ତି ସରପଂଚ ପ୍ରାର୍ଥୀ ବିଲାସ ପୁଟେଲା । ବୃଦ୍ଧା ବିଲାସ ପ୍ରଚାର ସମୟରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ମିଳୁଥିବା ଦେଖାଯାଉଛି ।

Spread the love