ନୂଆ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ପୁରୁଣା ସରପଞ୍ଚ ବୋଝ

ଜଗତସିଂହପୁର : ଜଗତସିଂହପୁର ବ୍ଲକର ୩୦ ସରପଞ୍ଚରୁ ୨୯ ଜଣ ପୁନର୍ବାର ପ୍ରାର୍ଥୀ ହୋଇ ନ ଥିବା ଜଣାପଡ଼ିଛି। ତେବେ ବିଭିନ୍ନ ପଞ୍ଚାୟତରେ ରାଜନୈତିକ ଦଳ ସମର୍ଥନରେ ନିର୍ବାଚନ ଲଢୁଥିବା ନୂଆ ପ୍ରାର୍ଥୀଙ୍କ ଲାଗି ସେସବୁ ପଞ୍ଚାୟତର ପୂର୍ବ ସରପଞ୍ଚଙ୍କ ଦୁର୍ନୀତି କାଳ ହୋଇଛି। ଏବେ ନୂଆ ପ୍ରାର୍ଥୀଙ୍କ ଲାଗି ସେହି ଦଳ ସମର୍ଥିତ ପୂର୍ବ ସରପଞ୍ଚଙ୍କ ଆର୍ଥିକ ଅନିୟମିତତା, ଅର୍ଥ ତୋଷାରପାତ ଓ ଲାଞ୍ଚ କାରବାର ତଥା ନିମ୍ନମାନର ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଭୋଟରଙ୍କ ପ୍ରଶ୍ନବାଣର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ସୂଚନା ମୁତାବକ, ଜଗତସିଂହପୁର ବ୍ଲକର ୩୦ଟି ପଞ୍ଚାୟତ ମଧ୍ୟରୁ କେବଳ ମୁଦୁପୁର ପଞ୍ଚାୟତର  ସରପଞ୍ଚ ସୁବାସ ଚନ୍ଦ୍ର ମହାନ୍ତିଙ୍କୁ ବାଦ ଦେଲେ ଅନ୍ୟ ୨୯ ଜଣ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି।ତେବେ ପ୍ରାର୍ଥୀ ହୋଇ ନ ଥିବା ସରପଞ୍ଚଙ୍କ ମଧ୍ୟରୁ କେତେକ ସଂରକ୍ଷଣ ବଦଳିବା କାରଣରୁ ପ୍ରାର୍ଥୀ ହୋଇପାରି ନ ଥିବାବେଳେ ଅନେକ ସ୍ଥାନରେ ସଂରକ୍ଷଣର ବାଧା ନ ଥାଇ ମଧ୍ୟ ଏହି ପୂର୍ବ ସରପଞ୍ଚମାନେ ଲୋକପ୍ରିୟତା ହରାଇବା କାରଣରୁ ନିଜ ପକ୍ଷରୁ ଚଳିତଥର ପ୍ରାର୍ଥୀ ହେବାରୁ ଓହରିଛନ୍ତି। ଅଥବା ଏହି କାରଣ ପାଇଁ ସେମାନଙ୍କୁ ଦଳୀୟ ସମର୍ଥନ ଦିଆଯାଇନାହିଁ। ଏହି ସରପଞ୍ଚମାନେ ଗତ ୫ ବର୍ଷରେ ମନମୁଖୀ କାମ କରିବା, ପଞ୍ଚାୟତ ଉନ୍ନୟନ କାର୍ଯ୍ୟକୁ ନିଜ ପରିବାର ବା ନିଜ ଲୋକଙ୍କ ମାଧ୍ୟମରେ କରିବା, ବିଭିନ୍ନ କାମରେ ଅନିୟମିତତା କରି ସମାଲୋଚନାର ଶରବ୍ୟ ହେବା, ପଞ୍ଚାୟତରେ ନିମ୍ନମାନର ଉନ୍ନୟନ କାମ ହେବା, ସରକାରୀ ଆବାସ, ପାଇଖାନା, ଭତ୍ତା କରାଇବାକୁ ପଞ୍ଚାୟତର ଗରିବ ଜନସାଧାରଣଙ୍କଠାରୁ ଲାଞ୍ଚ ନେବା ଘଟଣାରେ ଲୋକମାନେ ପ୍ରଚାରକୁ ଯିବାବେଳେ ସେହି ଦଳର ନୂଆ ପ୍ରାର୍ଥୀଙ୍କୁ ଟାର୍ଗେଟ କରୁଥିବା ସୂଚନା ମିଳିଛି।ଲୋକମାନେ ସେହି ଦଳର ପୂର୍ବ ସରପଞ୍ଚଙ୍କ କଥା କହି ନୂଆ ପ୍ରାର୍ଥୀଙ୍କୁ ପ୍ରଶ୍ନବାଣରେ ଘାଇଲା କରି ଛାଡୁଥିବାବେଳେ ପୁରୁଣା ସରପଞ୍ଚଙ୍କୁ ନୂଆ ପ୍ରାର୍ଥୀ ସାଙ୍ଗରେ ନେଇ ପ୍ରଚାର କରିବାକୁ ଡରୁଥିବା ସୂଚନା ମିଳିଛି। ଅନେକ ପଞ୍ଚାୟତରେ ପୂର୍ବ ସରପଞ୍ଚଙ୍କ କାର୍ଯ୍ୟକଳାପ ନୂତନ ପ୍ରାର୍ଥୀଙ୍କୁ ଅଡୁଆରେ ପକାଇ ଦେଇଥିବା ଜଣାପଡ଼ିଛି। ଏପରିକି ପୂର୍ବ ସରପଞ୍ଚଙ୍କ ପାଇଁ ଆମେ ହଟହଟା ହେଉଥିବା ନେଇ କେତେକ ପ୍ରାର୍ଥୀ ଦଳର ନେତାଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିବା ସୂଚନା ମିଳିଛି। ତେବେ ନୂଆ ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ପୁରୁଣା ସରପଞ୍ଚ ବୋଝ ପାଲଟିଥିବା କୁହାଯାଉଛି।

Spread the love