ଆଜି ନିର୍ବାଚନର ପ୍ରଥମ ପର୍ଯ୍ୟାୟ

ଭୁବନେଶ୍ୱର :  ଆଜି ପ୍ରଥମ ପର୍ଯ୍ୟାୟ ଲଢ଼େଇ । ଗଣତନ୍ତ୍ରର ଏହି ମହାପର୍ବ ପାଇଁ ରାଜ୍ୟ ନିର୍ବାଚନ କମିଶନ ନିଜର ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ କରିଛନ୍ତି। ୧୬ରୁ ୨୪ ତାରିଖ ଯାଏଁ ଦିନିକିଆ ବ୍ୟବଧାନରେ ମୋଟ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଯାଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୩୦ ଜିଲ୍ଲାର ୭୧ଟି ବ୍ଲକ ଅନ୍ତର୍ଗତ ୨୦୦ ଜିଲ୍ଲା ପରିଷଦ ଜୋନ୍‍, ୧୬୬୯ ପଞ୍ଚାୟତ ଏବଂ ୨୨୩୭୯ ୱାର୍ଡରେ ଭୋଟ୍‍ ଗ୍ରହଣ ହେବ। ରାଜ୍ୟବ୍ୟାପୀ ମୋଟ ୨୨୩୭୯ଟି ବୁଥରେ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ତତ୍ତ୍ୱାବଧାନରେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି କାର୍ଯ୍ୟ ପ୍ରାୟତଃ ଶେଷ ହୋଇଛି।

 

ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ରାଜ୍ୟବ୍ୟାପୀ ବୁଥ୍‍ମାନଙ୍କରେ ପୋଲିଂ ପାର୍ଟିମାନେ ପ୍ରାୟତଃ ପହଞ୍ଚି ସାରିଛନ୍ତି। କିଛି ସ୍ଥାନରେ ମଙ୍ଗଳବାର ରାତି ସୁଦ୍ଧା ପୋଲିଂ ପାର୍ଟି ବୁଥ୍‍ରେ ପହଞ୍ଚିଛନ୍ତି। ପ୍ରଥମ ପର୍ଯ୍ୟାୟରେ ମୋଟ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି। ନିର୍ବାଚନ ଯେପରି ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହେବ ସେଥିପାଇଁ ନିର୍ବାଚନ କମିଶନ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏହି ନିର୍ବାଚନରେ ମୋଟ ୩୭ ହଜାର ୨୪୫ ଜଣ ପୁଲିସ କର୍ମଚାରୀ ନିୟୋଜିତ ହେବେ। ସେହିପରି ୨୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଉତ୍ତେଜନାପ୍ରବଣ ଚିହ୍ନଟ ହୋଇଥିବା ୩ ହଜାର ୩୫୭ଟି ବୁଥରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ଏସ୍‍ଡିପିଓ, ଏଏସ୍‍ପି ଏବଂ ଆଇଆଇସିମାନେ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବେ।

ଜିଲ୍ଲାର ସାମଗ୍ରିକ ଭାବେ ନିର୍ବାଚନ ପରିଚାଳନା ଦାୟିତ୍ୱ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯାଇଛି। ସେହିପରି ଆରକ୍ଷୀ ଅଧିକ୍ଷକ ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିବେ।ଭୋଟ ଗ୍ରହଣ ସକାଳ ୭ଟାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭୋଟ ଦେବା ପାଇଁ ଜଣେ ଭୋଟର ପଞ୍ଚାୟତ ପାଇଁ ପ୍ରସ୍ତୁତ ୱାର୍ଡୱାରୀ ଭୋଟର ତାଲିକାରେ ସମ୍ପୃକ୍ତ ଭୋଟରଙ୍କ ନାମ ଥିବା ଜରୁରୀ ବୋଲି କୁହାଯାଇଛି। ଭୋଟରମାନେ ନିର୍ବାଚନ କମିଶନ, ଭାରତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଭୋଟ ପରିଚୟ ପତ୍ର ଦେଖାଇ ଭୋଟ ଦେଇ ପାରିବେ। ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଉକ୍ତ ପରିଚୟ ପତ୍ର ନଥାଏ, ସେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଅନୁମୋଦିତ ଲାଭ କରିଥିବା ୧୩ଟି ଦସ୍ତାବିତ ମଧ୍ୟରୁ ଯେ କୌଣସି ଗୋଟିଏ ଦସ୍ତାବିଜ ଦେଖାଇ ଭୋଟ ଦେଇପାରିବେ।

ଉକ୍ତ ପରିଚୟ ପତ୍ର ମଧ୍ୟ ପରିବାରର ଅନ୍ୟ ସଦସ୍ୟମାନେ ବ୍ୟବହାର କରିପାରିବେ। ଚଳିତ ନିର୍ବାଚନ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହେବ। ଏଣୁ ପ୍ରତ୍ୟେକ ଭୋଟର ଭୋଟ ଗ୍ରହଣ କେନ୍ଦ୍ରରେ ସାମାଜିକ ଦୂରତା ରଖିବା ସହ  ମାସ୍କ ପିନ୍ଧିବା ନିହାତି ଜରୁରୀ ବୋଲି କମିଶନଙ୍କ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ରାଜ୍ୟବ୍ୟାପୀ ୫ଟି ପର୍ଯ୍ୟାୟରେ ୬୭୯୪ଟି ଗ୍ରାମ ପଞ୍ଚାୟତର ୯୧ ହଜାର ୯୧୩ ୱାର୍ଡରେ ଭୋଟ ଗ୍ରହଣ ହେବ। ଏଥିରେ ୨ କୋଟି ୭୯ ଲକ୍ଷରୁ ଊର୍ଦ୍ଧ୍ବ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ। ମୋଟ ୯୧ ହଜାର ୯୧୩ଟି ବୁଥରେ ଭୋଟ ଗ୍ରହଣ ହେବାକୁ ଯାଉଥିବା ବେଳେ ଏଥିରୁ ୧୩ ହଜାର ୭୮୫ଟି ବୁଥକୁ ଉତ୍ତେଜନାପ୍ରବଣ ଭାବେ ଚିହ୍ନଟ କରାଯାଇଛି।

 

Spread the love