ଜଗତସିଂହପୁର ପଟସରାରେ ନିର୍ବାଚନୀ ହିଂସା, ବୁଥରେ ଭୋଟ ବାକ୍ସ ଭଙ୍ଗାରୁଜା

ଜଗତସିଂହପୁର ପଟସରାରେ ନିର୍ବାଚନୀ ହିଂସା । ଜଗତସିଂହପୁରରେ  ପଟସରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ନମ୍ବର ବୁଥରେ ଭୋଟ ବାକ୍ସ ଭଙ୍ଗାରୁଜା ହୋଇଛି।   ୪୦ ରୁ ୫୦ ଲୋକ  ବୁଥ ଭିତରେ ପଶି ଭୋଟ ବାକ୍ସ ସହ ସବୁ ନିର୍ବାଚନ ସାମଗ୍ରୀ ଭାଙ୍ଗି ମତଦାତାଙ୍କୁ ଠେଲି ବାହାରକୁ ବିଦା କରିଦେଇଥିବା ଦେଖିବାକୁ ମିଳିଛି ।

ଅନ୍ୟପକ୍ଷରେ ଜଗତସିଂହପୁର ପଲି ପଞ୍ଚାୟତରେ ମଧ୍ୟ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା । ବୁଥ୍ ଭିତରେ ୱାର୍ଡମେମ୍ବର ସମର୍ଥକଙ୍କ ଭୋଜିକୁ ନେଇ ପୋଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ଯାହାଫଳରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ପଲି ପଞ୍ଚାୟତର କିଛି ଯୁବକ ବୁଥ ମଧ୍ୟରେ ଭୋଜି କରିଥିଲେ । ଏହି ଖବର ପାଇ ପୋଲିସର ମୋବାଇଲ ଭ୍ୟାନ ଗାଁ ମଧ୍ୟକୁ ଆସିଥିଲା । ସେହି ସମୟରେ ସେଠାରେ ଭୋଜି କରୁଥିବା ଯୁବକମାନେ ପୋଲିସ ଗାଡି ଉପରକୁ ଢେଲା ମାଡ କରିଥିଲେ । ତେବେ ପୋଲିସ ଗାଡିକୁ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।

ସୂଚନା ଅନୁସାରେ, ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୩୦ ଜିଲ୍ଲାର ୬୮ ବ୍ଲକରେ ୧୮୬ ଜିଲ୍ଲା ପରିଷଦ ଆସନ ପାଇଁ ପଡ଼ୁଛି ଭୋଟ । ୧ ହଜାର ୫୧୪ ପଞ୍ଚାୟତର ୨୦ ହଜାରରୁ ଅଧିକ ବୁଥରେ ଆରମ୍ଭ ହୋଇଛି ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଭୋଟ କାର୍ଡ ନଥିଲେ ନିର୍ବାଚନ କମିଶନଙ୍କ ଦ୍ୱାରା ଅନୁମୋଦିତ ଅନ୍ୟ ୧୩ଟି କାର୍ଡ ଦେଖାଇ ଭୋଟର ମତାଧିକାର ସାବ୍ୟସ୍ତ କରିପାରିବେ ।

Spread the love