ତିନି ତଲାକ ବିଲ ପାସ ପ୍ରସଙ୍ଗ : ରାଜ୍ୟ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ

ଶତାଦ୍ଦୀ ଶତାଦ୍ଦୀ ଧରି ସମାଜର ଏକ ପ୍ରମୁଖ ବର୍ଗର ମହିଳାଙ୍କ ସଶକ୍ତିକରଣ ପାଇଁ ସଂସଦରେ ତିନି ତଲାକ ବିଲ ପାସ ହେବା ଏକ ଐତିହାସିକ ଘଟଣା । ମହିଳା ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହା ସବୁଠୁ ଦୃଢ ଓ ଐତିହାସିକ ନିଷ୍ପତି । ଶାହାବାନୁ ମାମଲାରୁ ମୁସଲିମ ମହିଳା ସଶକ୍ତିକରଣ ପାଇଁ ଆରମ୍ଭ ହୋଇଥିବା ମହା ଅଭିଯାନକୁ
ପ୍ରଧାନମନ୍ତ୍ରୀ ମୋଦୀ ଅନ୍ତିମ ପର୍ଯ୍ୟାୟରେ ପହଂଚାଇଛନ୍ତି । ଏଥି ପାଇଁ ସାରା ଦେଶବାସୀଙ୍କ ସହ ଓଡିଶା ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ତିନି ତଲାକ ବିଲ ଲିଙ୍ଗଗତ ନ୍ୟାୟର ବିଜୟ, ଯାହା ସମାଜରେ ସମାନତା ଆଣିବ ଓ ବିଶେଷ ଭାବରେ ମୁସଲମାନ
ସଂପ୍ରଦାୟର ମହିଳାମାନଙ୍କୁ ନ୍ୟାୟ ଦେବାରେ ସକ୍ଷମ ହେବ । ଏକ ପୂରୁଣାକାଳିଆ ଏବଂ ମଧ୍ୟଯୁଗୀୟ ପ୍ରଥାର ଅନ୍ତ ଘଟିଛି ଏବଂ ଏହାକୁ ଇତିହାସର ଡଷ୍ଟବିନକୁ ଫୋପାଡି ଦିଆଯାଇଛି । ମୁସଲିମ ମହିଳାଙ୍କ କ୍ଷେତ୍ରରେ ଏକ ଐତିହାସିକ ଭୃଲର ସଂଶୋଧନ କରାଯାଇଛି । ଭାରତ ପାଇଁ ଏହା ଉତ୍ସବର ବେଳ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ତିନି ତଲାକ ଭଳି ମସ୍ତବଡ ଭୁଲକୁ ସାହସିକତାର ସହିତ ସାମ୍ନା କରି ଆସୁଥିବା ମୁସଲିମମାନଙ୍କ ଧୈର୍ଯ୍ୟକୁ ଏବେ ସଲାମ
କରିବାର ସମୟ ଆସିଛି । ତିନି ତଲାକ ବିଲ ସଂସଦରେ ପାସ ହୋଇ ଦେଶରେ ଲାଗୁ ହେବା ମାତ୍ରେ ମୁସଲିମ ମହିଳାମାନଙ୍କୁ ସଶକ୍ତ କରିବା ସହ ସେମାନେ ହକଦାର ଥିବା ମର୍ଯ୍ୟାଦା ସେମାନଙ୍କୁ ମିଳିପାରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଅଧିକାଂଶ ପ୍ରମୁଖ ମୁସଲିମ ରାଷ୍ଟ୍ରରେ ତିନି ତଲାକ ପ୍ରଥାର ବ୍ୟବସ୍ଥା ନାହିଁ । ଅନ୍ୟ ମହିଳାମାନଙ୍କ ଭଳି ନିଜର ହକ ଏବଂ
ଅଧିକାରକୁ ମୁସଲିମ ମହିଳାମାନେ ଏବେ ସାବ୍ୟସ୍ତ କରିପାରିବେ । ଏଭଳି ଐତିହାସିକ ପଦକ୍ଷେପ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ବୋଲି ବିଜେପି ସଂଖ୍ୟା ଲଘୁ ମୋର୍ଚ୍ଚାର ଉପସଭାପତି ଅବଦୁଲ ସଲାମ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଓ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର
ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love