ଶାସକ ବିଜେଡିର ଭୋଟ ସୁରକ୍ଷା ପାଇଁ ସରକାରୀ କର୍ମଚାରୀମାନେ ଆଇନ ବିରୋଧୀ କାର୍ଯ୍ୟ କରୁଛନ୍ତି: ବିଜେପି

ଭୁବନେଶ୍ୱର,୧୯/୦୨: ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ଆଚରଣ ବିଧିକୁ ଶାସକ ବିଜୁ ଜନତା ଦଳ ବାରମ୍ବାର ଉଲଘଂନ କରୁଥିବା ଅଭିଯୋଗରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛନ୍ତି ବିଜେପିର ପ୍ରତିନିଧି ଦଳ । ଶାସକ ବିଜେଡିର ସୁରକ୍ଷାରେ ସରକାରୀ କର୍ମଚାରୀମାନେ ଆଇନ ବିରୋଧୀ କାର୍ଯ୍ୟର ସଫଳ ରୂପାୟନ କରୁଛନ୍ତି । ଏପରିକି ନିଜ କ୍ଷମତାର ଅପବ୍ୟବାହାର କରି ଶାସକ ବିଜେଡି ସପକ୍ଷରେ ପ୍ରଚାର କରିବାସହିତ ଭୋଟରମାନଙ୍କୁ ପ୍ରଭାବିତ କରୁଛନ୍ତି। ଏଭଳି ବହୁ ଘଟଣାମାନ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ହେବା ସତ୍ୱେ ସରକାରୀ କର୍ମଚାରୀମାନେ ନିର୍ଭୟରେ ଶାସକ ବିଜେଡିର କର୍ମୀ ଭଳି କାର୍ଯ୍ୟ କରୁଛନ୍ତି । ଯାହାକୁ ସଂପୂର୍ଣ୍ଣ ଭାବେ ସରକାରୀ ଚାକିରୀ ନୟମ ସର୍ତାବଳୀର ଖିଲାପ ଏବଂ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ । ଏହି ତାଲିକାରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଡିଓ, ତହସିଲଦାର, ସରକାରୀ ଶିକ୍ଷକମାନେ ଅନ୍ତର୍ଭୁକ୍ତ । ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ ବିହୀତ ଓ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ବିଜେପି ଦାବୀ ଜଣାଇଛି ବୋଲି ଆଜି ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ଅବସରରେ ପ୍ରତିନିଧି ଦଳର ସଦସ୍ୟ ତଥା ଓବିସି ମୋଚର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଛନ୍ତି ।
ଗତ କାଲି ୨ୟ ପର୍ଯ୍ୟାୟ ପଂଚାୟତ ନିର୍ବାଚନ ଭୋଟିଂ ସମୟରେ ଏଭଳି କିଛି ଘଟଣା ଘଟିଥିବାର ସାମ୍ନାକୁ ଆସିଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ “ଆତ୍ମା”ର ଚେୟାରମ୍ୟାନ ନିଜେ ଶାସକ ବିଜେଡ଼ିର ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି । ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ନନ୍ଦାହାଣ୍ଡି ବ୍ଲକ କୃଷି ଅଧିକାରୀ ଶ୍ରୀ ନାରାୟଣ ରଥ ନିଜ କ୍ଷମତାର ଅପବ୍ୟବହାର କରି ଏବଂ ବିଜେଡି ଏଜେଂଟ ସାଜି ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ କରାଇବା ପାଇଁ ଚାଷୀଙ୍କ ଅକାଉଂଟକୁ ୧୩୦୦ଟଙ୍କା ଦେଇଛନ୍ତି । ଯାହାକି ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ଯଥାଶୀଘ୍ର ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ବିଜେପି ଧାରଣ ଦେବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି
ସେହିପରି ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ ବିଡିଓ ଶାସକ ବିଜେଡିର ମ୍ୟାନେଜର ଭାବେ କାର୍ଯ୍ୟ କରୁଛନ୍ତି ।

ଗତକାଲି ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଭିଡିଓ ଭାଇରାଲ ହୋଇଛି। ଶାସନ କଳକୁ ବ୍ୟବହାର ଜରି ଭୋଟରମାନଙ୍କୁ ପ୍ରଭାବିତ କରୁଥିବାର ସ୍ପଷ୍ଟ ପ୍ରମାଣିତ ହୋଇଛି । ତାଙ୍କ ବିରୁଦ୍ଧରେ ବର୍ତମାନ ସୁଦ୍ଧା କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ରାଜ୍ୟ ନିର୍ବାଚନ କମିଶନଙ୍କ ନିରପେକ୍ଷତାକୁ ନେଇ ପୁଣି ଥରେ ସନ୍ଦେହ ଦୃଢୀଭୁତ ହୋଇଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ପ୍ରତିନିଧି ଦଳରେ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଲିଗାଲସେଲର ରବିଶଙ୍କର ପଟ୍ଟନାୟକ, ଜୟନ୍ତ ଜେନା ଓ ମହେନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

Spread the love